ଓଡ଼ିଶାଲାଇଭ୍ ବ୍ୟୁରୋ
କାନ୍ଦି ପକାଇଲେ ଅଭିନେତ୍ରୀ ଉଷସୀ ମିଶ୍ର। କାନ୍ଦି କାନ୍ଦି ୨୨ ତାରିଖ ରାତିର ଘଟଣା ମିଡିଆ ସାମ୍ନାରେ ବଖାଣିଲେ। କହିଲେ, ସୁରକ୍ଷା ନମିଳିଲେ ଯାତ୍ରା ଜଗତ ଛାଡ଼ିବି।
ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ଅସଦାଚରଣ ଘଟଣା ଭିନ୍ନ ମୋଡ଼ ନେଇଛି। ଉଷସୀଙ୍କୁ ନ୍ୟାୟ ଦେବା ଏବଂ କଳାକାରଙ୍କୁ ସୁରକ୍ଷା ଦେବା ପାଇଁ ପୂରା ଓଲିଉଡ ଏକାଠି ହୋଇଥିବା ଦେଖିବାକୁ ମିଳିଛି। ଉଷସୀଙ୍କ ପ୍ରତି ହୋଇଥିବା ଅମାନବୀୟ ଘଟଣାର ପ୍ରତିବାଦରେ ସିନେ କଳାକାର ସଂଘ ସାମ୍ବାଦିକ ସମ୍ମିଳନୀ କରି ନ୍ୟାୟ ମାଗିଛି। ଅନୁଗୁଳ ଡେରଙ୍ଗରେ ଘଟିଥିବା ଘଟଣାର ପୂରା ବର୍ଣ୍ଣନା କରିଛନ୍ତି ଉଷସୀ।
“ମୋତେ ଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରାଯାଇଥିଲା। ହେଲେ ମୋ ପାଖରେ ପ୍ରମାଣ ନଥିବାରୁ ମୁଁ ମାମଲା ରୁଜୁ କରିନାହିଁ”, କହିଛନ୍ତି ଉଷସୀ ମିଶ୍ର। ଏହାସହ ସେ ଯାତ୍ରା ପାର୍ଟିର ମ୍ୟାନେଜମେଣ୍ଟ ଉପରେ ଆଙ୍ଗୁଳି ଉଠାଇଛନ୍ତି। ସୁରକ୍ଷା ନଦେଲେ ସେ ପାର୍ଟି ଛାଡ଼ିବେ ବୋଲି କହିଛନ୍ତି।
୨୨ ତାରିଖ ରାତିର ଘଟଣା। ଅନୁଗୁଳ ଜିଲ୍ଲା ଡେରଙ୍ଗରେ ଯାତ୍ରା ପରିବେଷଣ କରୁଥିଲା ଇଷ୍ଟର୍ଣ୍ଣ ବ୍ଲୁ ଅପେରା। ସେହି ରାତିରେ ଉଷସୀ ଭୁବନେଶ୍ବରରୁ ଅନୁଗୁଳ ବାହାରିଥିଲେ। ରାତି ୧୧ଟା ବେଳକୁ ଡେରଙ୍ଗରେ ପହଞ୍ଚିଥିଲେ ଉଷସୀ। କିନ୍ତୁ ଗଲା ବେଳେକୁ ଡେରଙ୍ଗ ପାଖରେ ରାସ୍ତା ପ୍ରବଳ ଜାମ୍ ଥିଲା। ଉଷସୀ ଭିଡ଼ କାଟି ଆସିବା ବେଳକୁ କିଛି ଲୋକ ତାଙ୍କୁ ଅଶ୍ଲିଳ ଭାଷାରେ ଗାଳି ଗୁଲଜ କରିଥିଲେ। ଏହାର ପ୍ରତିବାଦ କରିଥିଲେ ଉଷସୀ। ହେଲେ ଉତ୍ତ୍ୟକ୍ତ ଲୋକେ ଉଷସୀଙ୍କ ଗାଡ଼ି ଭଙ୍ଗାରୁଜା କରିଥିଲେ ବୋଲି ଉଷସୀ କହିଛନ୍ତି।
କଥା ଏତିକିରେ ଶେଷ ହୋଇ ନଥିଲା, ଉଷସୀ ମେକ୍ଅପ୍ ନେଉଥିବା ବେଳେ ସେହି ଲୋକମାନେ ଆସି ହୋ-ହଲ୍ଲା କରିବା ସହ ଉଷସୀଙ୍କୁ ମାଡ଼ ମାରିଥିଲେ। ଇନ୍ଦ୍ରମଣି ସାହୁ ନାମକ ଜଣେ ବ୍ୟକ୍ତି ଚୁଟି ଭିଡ଼ିଥିଲା ବୋଲି ଉଷସୀ ସାମ୍ବାଦିକ ସମ୍ମିଳନୀରେ ସାଂଘାତିକ ଅଭିଯୋଗ କରିଛନ୍ତି।
ଏନେଇ ଉଷସୀ କଣହାଁ ଥାନାରେ ଅଭିଯୋଗ କରିଛନ୍ତି। ଇନ୍ଦ୍ରମଣି ସାହୁ ଏବଂ ତାଙ୍କ ଦୁଅ ପୁଅ ନାଁରେ ଏତଲା ଦେଇଛନ୍ତି। ହେଲେ ଉଷସୀଙ୍କୁ ଏଯାଏଁ ନ୍ୟାୟ ମିଳିନି। ସାମ୍ବାଦିକ ସମ୍ମିଳନୀରେ ଉଷସୀ କାନ୍ଦି କାନ୍ଦି ନ୍ୟାୟ ମାଗିଛନ୍ତି। ସୁରକ୍ଷା ନମିଳିଲେ ଯାତ୍ରା ପାର୍ଟି ଛାଡ଼ିବେ ବୋଲି କହିଛନ୍ତି ଉଷସୀ।








କାନ୍ଦି ପକାଇଲେ ଅଭିନେତ୍ରୀ ଉଷସୀ ମିଶ୍ର। କାନ୍ଦି କାନ୍ଦି ୨୨ ତାରିଖ ରାତିର ଘଟଣା ମିଡିଆ ସାମ୍ନାରେ ବଖାଣିଲେ। କହିଲେ, ସୁରକ୍ଷା ନମିଳିଲେ ଯାତ୍ରା ଜଗତ ଛାଡ଼ିବି।





