ଓଡ଼ିଶାଲାଇଭ୍‌ ବ୍ୟୁରୋ

‘‘ଯାତ୍ରାକୁ ଲୋକେ ଭଲ ପାଉଛନ୍ତି। ଲକ୍ଷ ଲକ୍ଷ ଲୋକ ରାତି ଅନିଦ୍ରା ହୋଇ ଯାତ୍ରା ଦେଖୁଛନ୍ତି। ସିନେମା ଏବଂ ଟିଭି ସିରିଏଲକୁ ସରକାର ଯେତିକି ଅଗ୍ରାଧିକାର ଦେଉଛନ୍ତି ଯାତ୍ରାକୁ ସେତିକି ମିଳୁନି। ଯାତ୍ରା ପ୍ରତି ଏତେ ବାଛ ବିଛାର କାହିଁକି?’’

କରୋନା ଲକ୍‌ଡାଉନ୍‌ ବେଳେ ଏହି ପ୍ରଶ୍ନ ଉଠାଇଛନ୍ତି ଯାତ୍ରା କଳାକାର। ଲକ୍‌ଡାଉନ୍‌ ବେଳେ ସିନେମା ହଲ ବନ୍ଦ ହୋଇଛି, ଥିଏଟର ବନ୍ଦ ରହିଥିବା କୁହାଯାଉଛି। ହେଲେ ଯାତ୍ରା ବନ୍ଦ ହୋଇଛି ବୋଲି କେହି କେବେ କହି ନାହାନ୍ତି। ସରକାର ବୋଧେ ଯାତ୍ରା ଜଗତ କଥା ଭୁଲି ଯାଇଛନ୍ତି। ତୁରନ୍ତ ରାଜ୍ୟ ସରକାର ଯାତ୍ରାକଳାକୁ ଲୋକକଳାର ମାନ୍ୟତା ଦିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଇଛି ଯାତ୍ରା କଳାକାର ଓ କର୍ମଚାରୀ ସଂଘ।

‘‘ଓଡ଼ିଶାରେ ୬୫ଟି ଯାତ୍ରା ପାର୍ଟି ଅଛନ୍ତି। ୧୦ ହଜାରରୁ ଅଧିକ କଳାକାର, କର୍ମଚାରୀ ଓ ଟେକ୍‌ନିସିଆନ୍‌ କାମ କରୁଛନ୍ତି। ଲକ୍‌ଡାଉନ୍‌ ବେଳେ ଯାତ୍ରା ପରିବେଷଣ ବନ୍ଦ ହୋଇଯାଇଥିବାରୁ ସେମାନଙ୍କ ଘରେ ଚୁଲି ଜଳୁନି। ସରକାର ଏତିପ୍ରତି ଦୃଷ୍ଟି ଦେବା ସହ ଯାତ୍ରାକୁ ମାନ୍ୟତା ଦେବା ଲାଗି ବ୍ୟବସ୍ଥା କରନ୍ତୁ’’, କହିଛନ୍ତି ଯାତ୍ରା କଳାକାର ଓ କର୍ମଚାରୀ ସଂଘ ସଭାପତି ଦୈତାରି ପଣ୍ଡା।

ଯାତ୍ରା କଳାକାରମାନେ ଦାବି କରିଛନ୍ତି ଯେ, ୧୦ ହଜାର କଳାକାର ଓ କର୍ମଚାରୀଙ୍କୁ ସରକାର ଆର୍ଥିକ ସହାୟତା ପ୍ରଦାନ କରନ୍ତୁ। ଯାତ୍ରା ପ୍ରଯୋଜକମାନଙ୍କୁ ସବ୍‌ସିଡ୍‌ରେ ୠଣ ପ୍ରଦାନ କରାଯାଉ। ଯାତ୍ରାକୁ ଲୋକକଳାର ମାନ୍ୟତା ଦେବାକୁ ଦାବି ହୋଇଛି।

Comment