ଓଡ଼ିଶାଲାଇଭ୍‌ ବ୍ୟୁରୋ

‘‘ରାଜ୍ୟରେ ୧୦ଟି ଜିଲ୍ଲାରେ କରୋନା ସଂକ୍ରମଣ କମିଛି। ଗତ ଦିନ ୧୦ ଦିନ ହେଲା ରାଜ୍ୟ ଲକ୍‌ଡାଉନ୍‌ରେ ଥିବାରୁ ସଂକ୍ରମଣ କମିଛି। ବିଶେଷକରି ଆରମ୍ଭରୁ ଅଧିକ ପ୍ରଭାବିତ ଥିବା ପଶ୍ଚିମ ଓଡ଼ିଶାରେ ମଧ୍ୟ ସଂକ୍ରମଣ ହ୍ରାସ ପାଇଛି’’, ଶନିବାର ଏକ ସାମ୍ବାଦିକ ସମ୍ମଳିନୀରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏକଥା କହିଛନ୍ତି।

ଭଦ୍ରକ, ବଲାଙ୍ଗିର, ଦେବଗଡ଼, ଗଜପତି, ଝାରସୁଗୁଡ଼ା, କଳାହାଣ୍ଡି, ନବରଙ୍ଗପୁର, ନୂଆପଡ଼ା, ସମ୍ବଲପୁର, ଏବଂ ସୁନ୍ଦରଗଡ଼ ଏହି ସବୁ ଜିଲ୍ଲାରେ ଧୀରେ ଧୀରେ ସଂକ୍ରମଣ କମୁଥିବାରୁ ରାଜ୍ୟ ପାଇଁ ଏହା ଆଶ୍ୱସ୍ତିକର କଥା ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ।

“ରାଜ୍ୟବାସୀ ମାସ୍କ ପିନ୍ଧିବା ଜାରି ରଖନ୍ତୁ, ଭିଡ଼କୁ ଯାଆନ୍ତୁ ନାହିଁ, ବାରମ୍ବାର ସାବୁନରେ ହାତ ଧୁଅନ୍ତୁ, ଜରୁରୀ ନଥିଲେ ଘରୁ ବାହାରନ୍ତୁ ନାହିଁ ଏଭଳି ସମସ୍ତ କୋଭିଡ୍‌ ଉପଯୋଗୀ ନିୟମ ମାନନ୍ତୁ। ସମସ୍ତେ ଯଦି କୋଭିଡ୍‌ ନିୟମ ମାନିବେ ତାହେଲେ ଖୁବଶୀଘ୍ର ଆମେ କୋଭିଡକୁ ହରାଇପାରିବା” କହିଛନ୍ତି ମୁଖ୍ୟ ଶାସନ ସଚିବ।

ସେହିପରି ଗ୍ଲୋବାଲ ଟେଣ୍ଡର ମାଧ୍ୟମରେ ଓଡ଼ିଶା ସରକାର ୩ କୋଟି ୮୦ ଲକ୍ଷ ଟିକା କିଣିବେ। ଏଥିପାଇଁ ଟେଣ୍ଡର କରାଯାଇଛି। ଏହି ପ୍ରକ୍ରିୟା ସଫଳ ହେଲେ ମେ’ ୨୮ ପରେ ଟିକା କିଣା ଯାଇପାରିବ। ୪ ମାସ ମଧ୍ୟରେ ସମସ୍ତ ଟିକା ଯୋଗାଇ ଦେବାକୁ ସରକାର ଟେଣ୍ଡରରେ ଦର୍ଶାଇଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ।

Comment