ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବସବାସ କରୁଥିବା ଅସହାୟ ଲୋକଙ୍କ ପାଖରେ ଶୁଖିଲା ଖାଦ୍ୟ ପହଞ୍ଚାଉଛି ‘ଉଡ୍ର ଚାରିଟେବୁଲ ଟ୍ରଷ୍ଟ’। କରୋନା ମହାମାରୀ ସମୟରେ ଜନସାଧାରଣ କଠିନ ପରିସ୍ଥିତି ଦେଇ ଗତି କରୁଥିବାବେଳେ ସେମାନଙ୍କୁ ସହଯୋଗର ହାତ ବଢ଼ାଇ ଆଗକୁ ଆସିଛି ଏହି ଚାରିଟେବୁଲ ଟ୍ରଷ୍ଟ। ଏହି ଟ୍ରଷ୍ଟର ପରାମର୍ଶଦାତା ତଥା ରାଜ୍ୟ ସରକାରଙ୍କ ମୋ କଲେଜ ଅଭିଯାନର ଅଧ୍ୟକ୍ଷ ଆକାଶ ଦାସ ନାୟକଙ୍କ ଉପସ୍ଥିତିରେ ଯାଜପୁର ଜିଲ୍ଲାର ବିଭିନ୍ନି ସ୍ଥାନରେ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି।କରୋନା ମହାମାରୀ ଅନେକଙ୍କୁ ଅନାଥ ଓ ଅସହାୟ କରିଦେଇଛି। ସେମାନଙ୍କୁ ସାହାଯ୍ୟ କରିବାକୁ କେତେକ ବ୍ୟକ୍ତି, ସଂସ୍ଥା ଏବଂ ଅନୁଷ୍ଠାନ ଆଗେଇ ଆସିଛନ୍ତି। ସେମାନଙ୍କ ଭଳି ‘ଉଡ୍ର ଚାରିଟେବୁଲ ଟ୍ରଷ୍ଟ’ ମଧ୍ୟ କୋଭିଡ୍‌ କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ କରୁଛି। ଏହି ଟ୍ରଷ୍ଟର ସ୍ୱେଚ୍ଛାସେବୀମାନେ ବ୍ରହ୍ମପୁର, ପୁରୀ, କଟକ, ଭୁବନେଶ୍ୱର, ବାଲେଶ୍ୱର ଆଦି ସ୍ଥାନରେ ବାସ କରୁଥିବା ଅସହାୟ ଲୋକଙ୍କୁ ଶୁଖିଲା ଖାଦ୍ୟ ଯୋଗାଉଛନ୍ତି।ଏହି ପରିପ୍ରେକ୍ଷୀରେ ଜନସାଧାରଣଙ୍କୁ ସଚେତନ କରି ଆକାଶ ଦାସ ନାୟକ କହିଛନ୍ତି, “ଆମେ ସମସ୍ତେ ଏବେ ଏକ ଅଦୃଶ୍ୟ ଶକ୍ତି ବିରୁଦ୍ଧରେ ଲଢେ଼ଇ କରୁଛେ। ଏହି ମହାମାରୀରେ କିଏ ନିଜର ପ୍ରିୟଜନକୁ ହରାଇଛି ତ ପୁଣି କିଏ ଜୀବିକା ହରାଇଛି। ତେଣୁ ଆସନ୍ତୁ ସମସ୍ତେ ଏକାଠି ହୋଇ ଅନ୍ୟକୁ ସାହାଯ୍ୟ କରିବା। ନିଜ ନିଜ ସାଧ୍ୟମତେ ଆଖପାଖରେ ଥିବା ଲୋକମାନଙ୍କ ମୁହଁରେ ଟିକେ ହସ ଫୁଟେଇବାକୁ ଚେଷ୍ଟା କରିବା। ଏଥିସହ ସମସ୍ତେ ସତର୍କ ଏବଂ ସଚେତନତାର ସହ ସରକାରଙ୍କ କୋଭିଡ୍‌ ଗାଇଡଲାଇନ୍‌କୁ ମାନି କରୋନାକୁ ହରାଇବା ମାନବିକତାକୁ ଜିତାଇବା।”ରାଜ୍ୟରେ କରୋନା ସଂକ୍ରମଣର ଭୟ ଟଳି ନଥିବାରୁ ଲକ୍‌ଡାଉନ୍‌ ଏବଂ ସଟ୍‌ଡାଉନ୍‌ ବଳବତ୍ତର ରହିଛି। ଏଥିରେ ପ୍ରଭାବିତ ହୋଇଥିବା ଗରୀବଶ୍ରେଣୀର ଲୋକ ଏବଂ କରୋନାରେ ପ୍ରଭାବିତ ହୋଇଥିବା ବ୍ୟକ୍ତିଙ୍କ ନିକଟରେ ଖାଦ୍ୟ ପହଞ୍ଚାଉଥିବା ସ୍ୱେଚ୍ଛାସେବୀମାନଙ୍କୁ ମୋ କଲେଜର ଅଧ୍ୟକ୍ଷ ଆକାଶ ଦାସ ନାୟକ ଧନ୍ୟବାଦ ଜଣାଇଛନ୍ତି। ଏଥିସହ କରୋନା ମହାମାରୀ ବିରୁଦ୍ଧରେ ଚାଲିଥିବା ଲଢେ଼ଇରେ ସାମିଲ ହେବାପାଇଁ ଅନ୍ୟମାନଙ୍କୁ ଆହ୍ୱାନ ଦେଇଛନ୍ତି।

Comment