ଓଡ଼ିଶାଲାଇଭ୍ ବ୍ୟୁରୋ

ଗରିବ ଓ ଅସହାୟ ଲୋକଙ୍କୁ ବସ୍ତ୍ର ଦାନ କରିବାକୁ ଉଡ୍ର ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ‘ଥିଲେ ଦିଅ ନ, ଥିଲେ ନିଅ’ ଅଭିଯାନ ଆରମ୍ଭ ହୋଇଛି। ଶନିବାର ଭୁବନେଶ୍ଵର ବାପୁଜୀ ନଗର ସ୍ଥିତ ପ୍ୟାରିସ୍ ବେକରି ସାମ୍ନାରେ ଉଡ୍ର ଚାରିଟେବୁଲ ଟ୍ରଷ୍ଟର ପରାମର୍ଶଦାତା ତଥା ଜଣାଶୁଣା ଅଭିନେତା ଆକାଶ ଦାସନାୟକ ଏବଂ ତାଙ୍କ ପତ୍ନୀ ଶୁଭ୍ରଜ୍ୟୋତି ଦାସନାୟକ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି। ଓଡ଼ିଆ ସିନେତାରକା ସମରେଶ ରାଉରରାୟ, ଶ୍ରୀତମ ଦାସ, ପୁନମ ମିଶ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଅଭିଯାନର ସଫଳତା କାମନା କରିଛନ୍ତି।ଏହି ଅଭିଯାନ ସମ୍ପର୍କରେ ଆକାଶ ଦାସନାୟକ କହିଛନ୍ତି, “ସମାଜର ମୁଖ୍ୟସ୍ରୋତରୁ ଦୂରରେ ଥିବା ଅସହାୟ ଲୋକଙ୍କ ପାଖରେ ପିନ୍ଧିବା ପାଇଁ ଭଲ ପୋଷାକ କିମ୍ବା ଶୀତବସ୍ତ୍ରଟିଏ ନାହିଁ। ତେଣୁ ଏହି ଅଭିଯାନ ମାଧ୍ୟମରେ ସେପରି ଲୋକମାନଙ୍କ ପାଖରେ ଭଲ ବସ୍ତ୍ର ପହଞ୍ଚାଇବା ଲାଗି ‘ଥିଲେ ଦିଅ, ନ ଥିଲେ ନିଅ’ କାର୍ଯ୍ୟକ୍ରମ ପ୍ରତି ବର୍ଷ ଆୟୋଜନ କରାଯାଉଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ପ୍ୟାରିସ୍ ବେକରି ଆଉଟ୍‌ଲେଟ୍ ସାମ୍ନାରେ ଉଡ୍ର ବ୍ଲେସିଂ ବକ୍ସ ରହିଛି। ସେଥିରେ ଲୋକମାନେ ନିଜର ପୁରୁଣା ବା ନୂଆ ପୋଷାକ ଦାନ କରିପାରିବେ ଏବଂ ଯେଉଁମାନେ ପୋଷାକ ଆବଶ୍ୟକ କରୁଛନ୍ତି ସେମାନେ ଏହି ବକ୍ସରୁ ଆସି ନେଇପାରିବେ।”“ବିଶିଷ୍ଟ ସମାଜସେବୀ ମାୟାଧର ନାୟକଙ୍କ ନେତୃତ୍ଵରେ ୨୦୧୮ ମସିହାରେ ‘ଥିଲେ ଦିଅ ନ ଥିଲେ ନିଅ’ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ସେବେଠାରୁ ପ୍ରତିବର୍ଷ ଉଡ୍ର ଏହି ଅଭିଯାନକୁ ଆଗେଇ ନେଇଛି। ଗତ ବର୍ଷ ଏହି ଅଭିଯାନ ମାଧ୍ୟମରେ ୨୫ ହଜାରରୁ ଊର୍ଦ୍ଧ୍ଵ ନୂଆ ଓ ପୁରୁଣା ବସ୍ତ୍ର ସଂଗୃହୀତ ହୋଇଥିଲା। ଏଗୁଡ଼ିକୁ ଭଲ ଭାବେ ସଫା କରିବା ପରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅସହାୟ ଲୋକଙ୍କୁ ଦାନ କରାଯାଇଥିଲା”, କହିଛନ୍ତି ଉଡ୍ର ଚାରିଟେବୁଲ ଟ୍ରଷ୍ଟର ସମ୍ପାଦିକା ଶୁଭ୍ରଜ୍ୟୋତି ଦାସନାୟକ।

ଲୋକମାନଙ୍କର ଅଭୁତପୂର୍ବ ସମର୍ଥନ ଦେଖି ‘ଥିଲେ ଦିଅ, ନ ଥିଲେ ନିଅ’ କାର୍ଯ୍ୟକ୍ରମକୁ ବର୍ଷସାରା ଚଳାଇବା ପାଇଁ ଉଡ୍ର ପରିବାର ପକ୍ଷରୁ ନିଷ୍ପତି ନିଆଯାଇଛି ବୋଲି ଆକାଶ ଦାସନାୟକ ଘୋଷଣା କରିଛନ୍ତି।‘ଥିଲେ ଦିଅ ନ ଥିଲେ ନିଅ’ କାର୍ଯ୍ୟକ୍ରମରେ ଓଡ଼ିଶା ଏବଂ ଓଡ଼ିଶା ବାହାରେ ଥିବା ଲୋକମାନେ ସାମିଲ ହୋଇଛନ୍ତି। ଦେଶର ୧୨ଟି ସହର ଯଥା – ଭୁବନେଶ୍ଵର, ପାରାଦୀପ, କଟକ, ବ୍ରହ୍ମପୁର, ପୁରୀ, ବାଲେଶ୍ଵର, ଭଦ୍ରକ, ଯାଜପୁର, ମୁମ୍ବାଇ, କୋଲକାତା, ପୁଣେ ଓ ହାଇଦ୍ରାବାଦରେ ଥିବା ସମସ୍ତ ପ୍ୟାରିସ୍ ବେକରି ଆଉଟ୍‌ଲେଟ୍ ଆଗରେ ଥିବା ବ୍ଲେସିଙ୍ଗ ବକ୍ସରେ ଲୋକମାନେ ପୁରୁଣା ଓ ନୂଆ ବସ୍ତ୍ର ଦାନ କରିଛନ୍ତି। ଏଗୁଡ଼ିକୁ ଓ୍ଵାସେକ୍ସ ହସ୍‌ପିଟାଲିଟି ସଲ୍ୟୁସନ୍ ଦ୍ଵାରା ସଫା କରାଯିବା ପରେ ଗରିବଙ୍କ ମଧ୍ୟରେ ବାଣ୍ଟି ଦିଆଯିବ ବୋଲି ଉଡ୍ର ପକ୍ଷରୁ କୁହାଯାଇଛି।

Comment