ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାଲାଇଭର ସ୍ୱତନ୍ତ୍ର ସାକ୍ଷାତକାରରେ ଓଲିଉଡ ଅଭିନେତା ତଥା ରାଜ୍ୟ ସରକାରଙ୍କ ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସନାୟକ ନିଜ ବ୍ୟକ୍ତିଗତ ଜୀବନ ଓ ରାଜନୈତିକ ଯାତ୍ରା ସମ୍ପର୍କରେ କହିଛନ୍ତି।

ଓଲିଉଡର ଆକ୍ସନ ବୟ ଭାବେ ପରିଚିତ ଆକାଶ ଦାସନାୟକ। ସେ ୨୦୦୮ରେ ମୁକ୍ତିଲାଭ କରିଥିବା ଓଡ଼ିଆ ସିନେମା ‘କଳିଙ୍ଗପୁତ୍ର’ ଜରିଆରେ ନାୟକ ଭାବେ ଓଲିଉଡରେ ଏଣ୍ଟ୍ରି ନେଇଥିଲେ। ଏହା ପୂର୍ବରୁ ଅବଶ୍ୟ ଆକାଶ ଆଲବମ୍‌ ହିରୋ ଭାବେ ଓଡ଼ିଶାରେ ସୁପରିଚିତ ଥିଲେ। ଏବେ ସେ ରାଜ୍ୟ ସରକାରଙ୍କ ମୋ କଲେଜ ପରିଚାଳନା ସଙ୍ଗଠନର ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଉଛନ୍ତି।

୧୯୮୧, ସେପ୍ଟେମ୍ବର ୧୭ ତାରିଖରେ ଯାଜପୁର ଜିଲ୍ଲାରେ ଜନ୍ମ ହୋଇଥିଲେ ଆକାଶ। ଆକାଶଙ୍କ ବାପା ମାୟାଧର ନାୟକ ଥିଲେ ଶ୍ରମିକ ନେତା  ଓ ମା’ ଇନ୍ଦିରା ଦାସ ଥିଲେ ଜଣେ ଶିକ୍ଷୟିତ୍ରୀ। ପିଲା ବେଳୁ ଆକାଶ ଥିଲେ ବେଶ୍‌ ଲାଜକୁଳା ଓ ଚୁପଚାପ ସ୍ୱଭାବର ପିଲା। କେହି କେବେ ଭାବି ନଥିଲେ ସେ ଦିନେ ଓଡ଼ିଆ ସିନେ ଜଗତର ଜଣେ ଜଣାଶୁଣା ଅଭିନେତା ପାଲଟିଯିବେ।

ଯାଜପୁର ରୋଡସ୍ଥିତ ବ୍ୟାସନଗର କଲେଜରୁ ତାଙ୍କ ସ୍ନାତକ(ଏଲଏଲବି) ହାସଲ କରିଥିଲେ । ଏହାପରେ ସେ ସାମ୍ବାଦିକତା ପଢ଼ିବା ପାଇଁ ଦିଲ୍ଲୀ ଯାଇଥିଲେ। ଦିଲ୍ଲୀରେ ପଢ଼ିଲା ବେଳେ ଆକାଶଙ୍କ ମନରେ ଅଭିନୟ କରିବାର ଇଚ୍ଛା ଜାଗ୍ରତ ହୋଇଥିଲା। ତେଣୁ ଓଡ଼ିଶା ଆସିବା ପରେ ଭୁବନେଶ୍ୱରର ଜଣାଶୁଣା ନାଟ୍ୟାନୁଷ୍ଠାନ ‘ଶତାବ୍ଦୀର କଳାକାର’ରେ ସେ ଯୋଗ ଦେଲେ। ମଞ୍ଚରେ ଅଭିନୟ କରୁ କରୁ ମ୍ୟୁଜିକ ଆଲବମରେ ଅଭିନୟ କରିବାର ସୁଯୋଗ ମିଳିଲା।

ଆକାଶଙ୍କର କିଛି ସୁପରହିଟ୍‌ ଆଲବମ୍‌ ମଧ୍ୟରେ ରହିଛି ମୋନାଲିସ, ସଞ୍ଜ ନଇଁ ଗଲେ, ଚିଠି ମୋର ଟିକି ଚଢ଼େଇ ଆଦି।

ଛୋଟ ପରଦାରେ କିଛି କାମ କରିବା ପରେ ପ୍ରଯୋଜକ ଦେବାନନ୍ଦ ପଣ୍ଡା ଓ ନିର୍ଦ୍ଦେଶକ ବରଦା ପ୍ରସନ୍ନ ତ୍ରିପାଠୀଙ୍କ ନୂଆ ଚଳଚ୍ଚିତ୍ର ‘କଳିଙ୍ଗ ପୁତ୍ର’ ରେ ଆକାଶଙ୍କୁ ହିରୋ ହେବାର ସୁଯୋଗ ମିଳିଲା। ସେହି ଫିଲ୍ମ ପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା। ଏହାପରେ ତାଙ୍କ ଭିତରେ ଅଭିନୟ କରିବା ପାଇଁ ଆହୁରି ଆତ୍ମବିଶ୍ୱାସ ସୃଷ୍ଟି ହେଲା। ତାଙ୍କ ଅଭିନୟ ଜୀବନକୁ ପ୍ରଭାବିତ କରିଥିଲେ ଓଲିଉଡର ଅତି ଲୋକପ୍ରିୟ ଅଭିନେତ୍ରୀ ତଥା ତାଙ୍କ ମାଉସୀ ଅନିତା ଦାସ।

‘‘ମୁଁ ପିଲାବେଳୁ ସିନେମା ଦେଖିବାକୁ ଭଲ ପାଉଥିଲି। କିନ୍ତୁ କେବେ ନିଜେ ଅଭିନେତା ହେବି ସେ କଥା ଭାବି ନଥିଲି। କାରଣ ପିଲାବେଳୁ ହିଁ ମୁଁ ଅତି ଲାଜକୁଳା ଓ ଚୁପଚାପ ସ୍ୱଭାବର ଥିଲି। ମୋ ମାଉସୀ ଅନିତା ଦାସଙ୍କୁ ଦେଖି ଅଭିନୟ ପ୍ରତି ଆକର୍ଷିତ ହୋଇଥିଲି’’, କହନ୍ତି ଆକାଶ ଦାସନାୟକ।
୨୦୦୮ ମସିହାରେ କଳିଙ୍ଗପୁତ୍ର କଥାଚିତ୍ରରୁ ଅଭିନେତା ଜୀବନ ଆରମ୍ଭ କରିଥିବା ଆକାଶ, ବର୍ତ୍ତମାନ ସୁଦ୍ଧା ୧୦ରୁ ଅଧିକ ଓଡ଼ିଆ ଓ ବଙ୍ଗଳା ଫିଲ୍ମରେ ଅଭିନୟ କରିସାରିଛନ୍ତି । ତାଙ୍କ ଓଡ଼ିଆ ଫିଲ୍ମ ମଧ୍ୟରେ ରହିଛି, ଶପଥ, ରାଜୁ ଆୱାରା, ଆସିବୁ କେବେ ସାଜି ମୋ ରାଣି, ଆଲୋ ମୋର କଣ୍ଢେଇ, ଶୁଭ ବିବାହ, ଶତୃ ଶଂହାର, ସତ୍ୟମେବ ଜୟତେ, କଳିଙ୍ଗ ପୁତ୍ର,।

Comment