ଓଡ଼ିଶାଲାଇଭ୍ ବ୍ୟୁରୋ

ମୋ କଲେଜ ଅଭିଯାନ ଅଧୀନରେ ମୟୂରଭଞ୍ଜସ୍ଥିତ ଖୁଣ୍ଟା ଡିଗ୍ରୀ ମହାବିଦ୍ୟାଳୟରେ ଏକ ପଠନ କକ୍ଷର ଉଦଘାଟନ ହୋଇଛି। ମଙ୍ଗଳବାର ଦିନ ମହାବିଦ୍ୟାଳୟର ୨୮ତମ ପ୍ରତିଷ୍ଠା ଦିବସ ଅବସରରେ ମୋ କଲେଜ ଅଭିଯାନ ପରିଚାଳନା ସଂଗଠନର ଅଧ୍ୟକ୍ଷ ଆକାଶ ଦାସନାୟକ ଭର୍ଚୁଆଲ ମାଧ୍ୟମରେ ଏହି ପଠନ କକ୍ଷର ଉଦଘାଟନ କରିଥିଲେ।

ଏ  ଅବସରରେ ସେ କହିଛନ୍ତି, “ଛାତ୍ରାଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ଦେବାଲାଗି ଭିତ୍ତିଭୂମି ମଧ୍ୟ ଏକ ଉଲ୍ଲେଖନୀୟ ଭୂମିକା ନେଇଥାଏ। ତେଣୁ ଖୁଣ୍ଟା ମହାବିଦ୍ୟାଳୟରେ ଏହି ପଠନ କକ୍ଷ ହେବା ଦ୍ଵାରା ଛାତ୍ରଛାତ୍ରୀମାନେ ଏକ ଭଲ ପରିବେଶରେ ବିଭିନ୍ନ ପ୍ରକାର ବହି ପଢ଼ିବାର ସୁଯୋଗ ପାଇପାରିବେ।”

ମହାବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀମାନେ ମୋ କଲେଜ ଅଭିଯାନକୁ ୩ ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରିଥିଲେ। ଏହାପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହାର ଦୁଇଗୁଣା ଅର୍ଥାତ ୬ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଥିଲା। ଏବେ ମୋଟ ୯ ଲକ୍ଷ ଟଙ୍କା ଅନୁଦାନ ରାଶିରେ ଖୁଣ୍ଟା ଡିଗ୍ରୀ ମହାବିଦ୍ୟାଳୟର ବିଭିନ୍ନ ଭିତ୍ତିଭୂମିର ବିକାଶ କରାଯାଉଛି।

ମହାବିଦ୍ୟାଳୟର ଜଣେ ପୁରାତନ ଛାତ୍ରୀ ଇନ୍ଦୁମତୀ ଦାଶ ମହାବିଦ୍ୟାଳୟରେ ନୂଆ ପଠନ କକ୍ଷ ନିର୍ମାଣ ଅବସରରେ ସେ କହିଛନ୍ତି, “ଛାତ୍ରାଛାତ୍ରୀଙ୍କ ଲାଗି ଆମ କଲେଜରେ ଏକ ପଠନ କକ୍ଷର ଆବଶ୍ୟକତା ଥିଲା। ଖୁସିର କଥା ମୋ କଲେଜ ଅଭିଯାନ ଅଧୀନରେ ଆମ କଲେଜକୁ ନୂଆ ପଠନ କକ୍ଷଟିଏ ମିଳିଛି।” ମହାବିଦ୍ୟାଳୟର ବିକାଶ ଲାଗି ପୂର୍ବରୁ ଇନ୍ଦୁମତୀ ଦାଶ ୨ ଲକ୍ଷ ଟଙ୍କା ଅନୁଦାନ ଦେଇଥିଲେ।

“ଆମ ମହାବିଦ୍ୟାଳୟ ପାଇଁ ଏକ ପଠନ କକ୍ଷ ଦିନେ ସ୍ୱପ୍ନ ଥିଲା। ତେବେ ଆନନ୍ଦର ବିଷୟ ମୋ କଲେଜ ଅଭିଯାନ ଅଧୀନରେ ଆମର ପୁରାତନ ଛାତ୍ରାଛାତ୍ରୀଙ୍କର ସହଯୋଗ ରାଶି ଏବଂ ରାଜ୍ୟ ସରକାରଙ୍କଠାରୁ ଦୁଇଗୁଣା ଅନୁଦାନ ରାଶି ପାଇବା ପରେ ଆମ ମହାବିଦ୍ୟାଳୟରେ ଏହି ପଠନ କକ୍ଷଟି ନିର୍ମିତ ହୋଇପାରିଛି। ଏହାଦ୍ଵାରା ଆମ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଶେଷ ଉପକୃତ ହୋଇପାରିବେ”, କହିଛନ୍ତି ମହାବିଦ୍ୟାଳୟର ଅଧ୍ୟକ୍ଷ ସରୋଜ ରଞ୍ଜନ ତ୍ରିପାଠୀ।

Tags: #MoCollegeAbhiyan #KhuntaDegreeCollege #AkashDasNayak #CollegeReadingRoom

 

Comment