ଓଡ଼ିଶାଲାଇଭ୍ ବ୍ୟୁରୋ

‘ଉଡ୍ର ଚାରିଟେବୁଲ୍‍ ଟ୍ରଷ୍ଟ’ ପକ୍ଷରୁ ଚଳିତବର୍ଷ ପାଇଁ ‘ଗିଫ୍ଟ ଏ ପ୍ଲାଣ୍ଟ’ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ବୁଧବାର ଭୁବନେଶ୍ୱରର ପଟିଆରେ ଏହି କାର୍ଯ୍ୟକ୍ରମର ଆରମ୍ଭ କରାଯାଇଛି। ଅଭିନେତା ତଥା ଉଡ୍ରର ପରାମର୍ଶଦାତା ଆକାଶ ଦାସନାୟକ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଲୋକମାନଙ୍କୁ ୫ ହଜାର ବୃକ୍ଷ ବଣ୍ଟନ କରିଥିଲେ।

“ଜୀବଜଗତ ବଞ୍ଚି ରହିବା ପାଇଁ ଗଛଲତା ରହିବା ନିତ୍ୟାନ୍ତ ଆବଶ୍ୟକ। ବୃକ୍ଷ ମଣିଷର ଜୀବନଧାରଣ ନିମନ୍ତେ ଅମ୍ଳଜାନ, ଔଷଧ ଓ ଖାଦ୍ୟ  ଯୋଗାଇ ଆସିଛି। ହେଲେ ଏବେ ଅବାଧ ଗଛକଟା ଯୋଗୁଁ ଦିନକୁ ଦିନ ଗ୍ଲୋବାଲ ୱାର୍ମିଂ ବଢ଼ି ଚାଲିଛି। ଏହାର କୁପ୍ରଭାବ ଆମ ପରିବେଶ ଉପରେ ପଡୁଛି। ଏଥିପାଇଁ ଆମକୁ ଅଧିକରୁ ଅଧିକ ବୃକ୍ଷରୋପଣ କରିବାକୁ ପଡ଼ିବ”, କହିଛନ୍ତି ଆକାଶ ଦାସନାୟକ।

ସେ ଆହୁରି ମଧ୍ୟ କହିଛନ୍ତି, “ଉଡ୍ର ପକ୍ଷରୁ ପ୍ରତିବର୍ଷ ‘ଗିଫ୍ଟ ଏ ପ୍ଲାଣ୍ଟ’ ନାମକ ଏହି କାର୍ଯ୍ୟକ୍ରମ କରାଯାଉଛି। ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲୋକଙ୍କୁ ଗଛ ବଣ୍ଟାଯିବା ସହ ବୃକ୍ଷରୋପଣ ମଧ୍ୟ କରାଯାଉଛି। ଏହି ମହତ କାର୍ଯ୍ୟକ୍ରମରେ ସାମିଲ ହେବାପାଇଁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି।”

ଚଳିତବର୍ଷ ଉଡ୍ର ପକ୍ଷରୁ ଓଡ଼ିଶାର ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର ଆଦି ଜିଲ୍ଲାମାନଙ୍କରେ ୫ ଲକ୍ଷ ବୃକ୍ଷ ବଣ୍ଟନ କରାଯିବାର ଯୋଜନା ରହିଛି। ଉଡ୍ରର ସ୍ଵେଚ୍ଛାସେବୀମାନେ ପର୍ଯ୍ୟାୟକ୍ରମେ ବିଭିନ୍ନ ସହରରେ ବୃକ୍ଷ ବଣ୍ଟନ କାର୍ଯ୍ୟକ୍ରମ କରିବେ।

‘ଉଡ୍ର ଚାରିଟେବୁଲ୍‍ ଟ୍ରଷ୍ଟ’ ଅନେକ ସମୟରେ ସମାଜର ମୁଖ୍ୟସ୍ରୋତରୁ ଦୂରରେ ରହିଥିବା ଲୋକମାନଙ୍କ ମୁହଁରେ ହସ ଫୁଟାଇବାପାଇଁ ଅନେକ ଭିନ୍ନ ଧରଣର କାର୍ଯ୍ୟକ୍ରମ କରିଥାଏ। ଟ୍ରଷ୍ଟ ପକ୍ଷରୁ ବର୍ଷର ବିଭିନ୍ନ ସମୟରେ ‘ଥିଲେ ଦିଅ ନଥିଲେ ନିଅ’, ‘ତାରେ ଜମିନ୍‍ ପର୍‍’, ‘ଚାଲ ଖୁସି ବାଣ୍ଟିବା’, ‘ବଡଦିନ ବଡସ୍ୱପ୍ନ’ ଏବଂ ‘ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା ଶିବିର’ ଆଦି କାର୍ଯ୍ୟକ୍ରମ ଆୟୋଜନ କରାଯାଏ।

ବୁଧବାର ‘ଗିଫ୍ଟ ଏ ପ୍ଲାଣ୍ଟ’ କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ‘ଉଡ୍ର ଚାରିଟେବୁଲ୍‍ ଟ୍ରଷ୍ଟ’ର ସଭାପତି ଶମ୍ଭୁକଲ୍ୟାଣ ଦାସ, ଉପସଭାପତି ଡକ୍ଟର ସୂର୍ଯ୍ୟପ୍ରକାଶ ଚୌଧୁରୀ, ସମ୍ପାଦିକା ଶୁଭ୍ରାଜ୍ୟାତି ଦାସନାୟକ ପ୍ରମୁଖ ଯୋଗ ଦେଇଥିଲେ। ଏହାସହ ଟ୍ରଷ୍ଟର ଏକାଧିକ ସଦସ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ।

Tags: #UDRA #GiftaPlantProgram #AkashDasnayak #PlantationDrive #Odisha

 

Comment