ଓଡ଼ିଶାଲାଇଭ୍ ବ୍ୟୁରୋ
ବହୁ ଚର୍ଚ୍ଚିତ ଚିଟଫଣ୍ଡ ଠକେଇର ଶିକାର ହୋଇଥିବା ଜମାକାରୀଙ୍କ ପାଇଁ କିଛି ଆଶାର ସଂଚାର ହୋଇଛି। ଓଡ଼ିଶା ସରକାର ଇତିମଧ୍ୟରେ ଚିଟଫଣ୍ଡ ଜମା ଟଙ୍କା ଫେରାଇବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ହେଲେ ଫେରସ୍ତ ପାଇବା ଲୋକଙ୍କ ମଧ୍ୟରେ ଅଛନ୍ତି କେବଳ ଛୋଟ ଜମାକାରୀ। ଚିଟଫଣ୍ଡ ଘୋଟାଲା ପଦାକୁ ଆସିବା ପରେ ଓ ଏନେଇ ଜନ ଅସନ୍ତୋଷ ବୃଦ୍ଧି ଯୋଗୁଁ ସରକାର ୨୦୧୩ ମସିହାରେ ଏକ ପାଣ୍ଠି ଗଠନ କରିଥିଲେ। ଏହି ପାଣ୍ଠିରୁ ଲୋକଙ୍କୁ ସେମାନଙ୍କ ଅର୍ଥ ଫେରାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ସରକାର।
ସରକାର ଗଠନ କରିଥିବା ଜଷ୍ଟିସ ଏମ ଏମ ଦାସ କମିଶନ ଇତିମଧ୍ୟରେ ସରକାରଙ୍କୁ ୪ଟି ମଧ୍ୟବର୍ତ୍ତୀ କାଳୀନ ରିପୋର୍ଟ ଦେଇସାରିଛନ୍ତି। ଏହି ରିପୋର୍ଟରେ ୧ ଲକ୍ଷ ୧ହଜାର ୬୦୪ ଜଣ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରାଯାଇଛି। ନିଷ୍ପତ୍ତି ନିଆଯାଇଛି ଯେ ପ୍ରଥମ ପର୍ଯ୍ୟାୟରେ ଯେଉଁମାନେ ୧୦ ହଜାର ଟଙ୍କା କିମ୍ବା ତାଠାରୁ କମ ଜମା କରିଥିଲେ ସେମାନଙ୍କୁ ଟଙ୍କା ଫେରସ୍ତ ଦିଆଯିବ। ଅର୍ଥ ବିଭାଗ ସଚିବ ଏ ସମ୍ପର୍କରେ ଜିଲ୍ଲାପାଳମାନଙ୍କୁ ପତ୍ର ଲେଖିଛନ୍ତି।
ଜଷ୍ଟିସ ଦାସ କମିଶନଙ୍କ ପ୍ରଥମ ଦୁଇଟି ରିପୋର୍ଟରେ ଏହି ଛୋଟ ଜମାକାରୀଙ୍କ ନାମ ଉଲ୍ଲେଖ କରାଯାଇଛି। ଖବର ଅନୁଯାୟୀ ଛୋଟ ଜମାକାରୀଙ୍କ ଭିତରୁ ବାଲେଶ୍ୱର ଜିଲ୍ଲାର ୧୨ଟି ବ୍ଲକର ୨୩୦୬ ଜମାକାରୀ ଅଛନ୍ତି। ଲିଖିତ ଭାବେ ବଣ୍ଡ ଦେବା ପରେ ସେମାନେ ଏହି ଟଙ୍କା ଫେରିପାଇବେ। ସଂପୃକ୍ତ ତହସିଲଦାରଙ୍କ ନିକଟରେ ସରକାର ଏହି ଅର୍ଥ ଜମା କରିସାରିଥିବା ଜଣାପଡ଼ିଛି। ତେବେ ୨୦୧୩ ମସିହାରୁ ସ୍ୱତନ୍ତ୍ର ପାଣ୍ଠି ଗଠନ ହୋଇଥିଲେ ହେଁ ଟଙ୍କା ଫେରସ୍ତ ପାଇଁ ଏତେ ବିଳମ୍ବ କାହିଁକି ହେଲା ବୋଲି ପ୍ରଶ୍ନ କରିଛନ୍ତି ଜମାକାରୀ।
ଆହୁରି ମଧ୍ୟ ଯେଉଁମାନେ ରୋଜ ଭ୍ୟାଲି ସଂସ୍ଥାରେ ଅର୍ଥ ଜମା କରିଥିଲେ ସେମାନଙ୍କୁ ହିଁ ଟଙ୍କା ଫେରସ୍ତ ମିଳିବ। ଏଣୁ ଅନ୍ୟ ୧୬ ଚିଟଫଣ୍ଡ ସଂସ୍ଥାରେ ଯେଉଁମାନେ ଟଙ୍କା ରଖିଥିଲେ ସେମାନଙ୍କ କଥା କଣ ହେବ ବୋଲି ସନ୍ଦେହ ସୃଷ୍ଟି ହୋଇଛି।














