ଓଡ଼ିଶାଲାଇଭ୍ ବ୍ୟୁରୋ

  • ପୁଣି ଫେରିଲା ସିବିଆଇ
  • ଏ ସମୟରେ କ’ଣ ପାଇଁ ଚଢ଼ଉ?
  • ଆଗକୁ ଅଛି ତିର୍ତ୍ତୋଲ ଓ ବାଲେଶ୍ୱର ଉପ-ନିର୍ବାଚନ

ପୁଣି ଫେରିଲା ସିବିଆଇ। ଚିଟଫଣ୍ଡ ଦୁର୍ନୀତି ମାମଲାରେ ବେଶ କିଛିଦିନର ନିରବତା ପରେ ଏବେ ସିବିଆଇ ପୁଣି ଓଡ଼ିଶା ଫେରିଛି। ସିସୋର ଚିଟଫଣ୍ଡ ଦୁର୍ନୀତି ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ବିଧାୟକ ଦେବୀପ୍ରସାଦ ମିଶ୍ରଙ୍କ ସରକାରୀ ବାସଭବନ ସମେତ ପୈତୃକ ବାସଭବନରେ ମଧ୍ୟ ଚଢ଼ଉ କରିଛି।

ତେବେ ଏ ଚଢ଼ଉ ପଛରେ କିଛି ରାଜନୈତିକ ଅଭିସନ୍ଧି ରହିଛି କି ନାହିଁ ସେ ପ୍ରଶ୍ନର ଉତ୍ତର କିନ୍ତୁ କିଛି ସିଧାସଳଖ ଦେଇନାହାନ୍ତି ଦେବୀପ୍ରସାଦ ମିଶ୍ର। ସେ କହିଛନ୍ତି ସିବିଆଇ ଚଢ଼ଉ କରିବାକୁ ଆସି ନ ଥିଲା କେବଳ ଡକ୍ୟୁମେଣ୍ଚ ସମ୍ପର୍କରେ ପଚାରିବାକୁ ଆସିଥିଲା। ତେବେ ରାଜନୈତିକ ଅଭିସନ୍ଧି ପଛରେ କହିଛନ୍ତି ଯେ, ସମୟ କହିବ ରାଜନୈତିକ ଅଭିସନ୍ଧି ଅଛି କି ନାହିଁ।

ଗତ ଜୁନ ମାସରେ ସିସୋର ଚିଟଫଣ୍ଡ ଦୁର୍ନୀତି ଫାଇଲ ପୁଣି ଖୋଲିଥିଲା ସିବିଆଇ। ଶୁଭଙ୍କର ସହ ଦୁଇ ଜଣ ବରିଷ୍ଠ ଅଧିକାରୀ ପରାଗ ଗୁପ୍ତା ଓ ତତ୍କାଳୀନ ଓଟିଡିସି ଜେନେରାଲ ମ୍ୟାନେଜରଙ୍କୁ ପଚରାଉଚରା କରିଥିଲା। ତେବେ ଦୀର୍ଘ ଦିନର ବ୍ୟବଧାନ ପରେ ଦେବୀ ମିଶ୍ରଙ୍କୁ ପୁଣି ପଚରାଉଚୁରା କରିଛି ସିବିଆଇ। ଦେବୀ ମିଶ୍ର ପର୍ଯ୍ୟଟନ ମନ୍ତ୍ରୀ ଥିବା ବେଳେ ସିସୋର ସହ ଏକାଧିକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ତେବେ ଏସବୁ ନିଷ୍ପତ୍ତି ସରକାରଙ୍କର ଥିଲା। ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି ନ ଥିଲା ବୋଲି କହିଛନ୍ତି ବିଧାୟକ ଦେବୀପ୍ରସାଦ ମିଶ୍ର।

ତେବେ ଏ ସମୟରେ ସିବିଆଇ ଚଢ଼ଉକୁ ନେଇ ପ୍ରଶ୍ନ  ଉଠିଛି। ଗତ ଦୀର୍ଘ ବର୍ଷ ଭିତରେ ତରବର ହୋଇ ନ ଥିବା ସିବିଆଇ ହଠାତ କାହିଁକି ଏମିତି ଚଢ଼ଉ କରିଛି ବୋଲି ପ୍ରଶ୍ନ ଉଠିଛି। ଦେବୀ ମିଶ୍ର କରୋନାରୁ ସୁସ୍ଥ ହୋଇ ପ୍ରୋଟୋକଲ ଅନୁସାରେ ଗୃହ ସଂଗରୋଧରେ ରହିଛନ୍ତି ବୋଲି କହିଛନ୍ତି। ତେଣୁ ସ୍ୱାଭାବିକ ଭାବେ ସିବିଆଇର ଭୂମିକାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୂର୍ବରୁ ନିର୍ବାଚନ ପୂର୍ବରୁ ମଧ୍ୟ କେତେଥର ଚଢ଼ଉ ହୋଇଛି। ଆଗକୁ ବାଲେଶ୍ୱର ଓ ତିର୍ତ୍ତୋଲ ନିର୍ବାଚନ ଅଛି। ଏଥିପାଇଁ କେନ୍ଦ୍ର ସରକାରଙ୍କ ଇଙ୍ଗିତରେ ଚଢ଼ଉ ଚାଲିଥାଇପାରେ ବୋଲି ବିଭିନ୍ନ ମହଲରେ ସନ୍ଦେହ ସୃଷ୍ଟି ହୋଇଛି।

ବିଜେଡି ପକ୍ଷରୁ କିଛି ଏ ନେଇ ସ୍ପଷ୍ଟ କୁହାଯାଇ ନ ଥିଲେ ମଧ୍ୟ କଂଗ୍ରେସ ଏ ସଂକ୍ରାନ୍ତରେ ମୁହଁ ଖୋଲିଛି। ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ କେନ୍ଦ୍ରକୁ କଠୋର ସମାଲୋଚନା କରିଛନ୍ତି। କହିଛନ୍ତି ବାଲେଶ୍ୱରରେ ବିଜେଡି କଂଗ୍ରେସ ମଧ୍ୟରେ ଲଢ଼େଇ ହେବ। ଏଥିରେ ବିଜେଡିକୁ ବଦନାମ କଲେ ବିଜେପିର ଫାଇଦା ହେବ ବୋଲି ସେ କହିଛନ୍ତି।ଏହାସହ ବିଜେଡି ବାରମ୍ବାର ସଂସଦରେ ବିଭିନ୍ନ ପ୍ରସଂଗରେ ଏନଡିଏକୁ ସମର୍ଥନ କରୁଥିବାରୁ ତୀବ୍ର ସମାଲୋଚନା କରିଛନ୍ତି ସୁର ରାଉତରାୟ। ୪ ଦିନ ଆଗରୁ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ବିଜେଡି ଏନଡିଏକୁ ସମର୍ଥନ କରିଥିଲା। ଏ ଚଢ଼ଉରେ କିଛି ନୂଆ କଥା ନାହିଁ। ବିଜେଡି-ବିଜେପି ମଧ୍ୟରେ ସମ୍ପର୍କ ନାହିଁ ଏହାକୁ ପ୍ରମାଣିତ କରିବା ପାଇଁ, ଲୋକଙ୍କ ପାଖରେ ଏକଥା ପହଞ୍ଚାଇବା ପାଇଁ ଏପରି ରେଡ୍ ହୋଇଛି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନିପତି। ନିର୍ବାଚନ ଆସିଲେ ଚିଟଫଣ୍ଡ କଥା କାହିଁକି ମନେ ପଡୁଛି ସିବିଆଇର, ଏ ପ୍ରଶ୍ନ ଉଠାଇଛନ୍ତି ତାରାପ୍ରସାଦ।

Comment