ଓଡ଼ିଶାଲାଇଭ୍‌ ବ୍ୟୁରୋ

୧୯ ବର୍ଷ ହେଲା ରାଜ୍ୟରେ କଂଗ୍ରେସ କ୍ଷମତାରେ ନାହିଁ। ଦିନକୁ ଦିନ କଂଗ୍ରେସର ଅବସ୍ଥା ଶୋଚନୀୟ ହୋଇଯାଉଛି। ହେଲେ ଏପରିସ୍ଥଳେ ଶ୍ରୀକାନ୍ତଙ୍କ ଜେନାଙ୍କ ମୁଖ୍ୟମନ୍ତ୍ରୀ ଏବଂ ଉପ-ମୁଖ୍ୟମନ୍ତ୍ରୀ ପ୍ରସ୍ତାବ କଂଗ୍ରେସ ଶିବିରରେ ଝଡ଼ ସୃଷ୍ଟି କରିଛି।

ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜିନି। ନିର୍ବାଚନକୁ ଆହୁରି ବର୍ଷେ ବାକି ରହିଛି। ହେଲେ ୨୦୧୯ରେ କଂଗ୍ରେସ କ୍ଷମତାକୁ ଆସିଲେ କିଏ ମୁଖ୍ୟମନ୍ତ୍ରୀ ହେବେ ତାକୁ ନେଇ ଏବେଠୁ ଆରମ୍ଭ ହେଲାଣି ଚର୍ଚ୍ଚା। ଏହି ଚର୍ଚ୍ଚା ହେଉଛି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଇସ୍ତାହାର କମିଟି ଅଧ୍ୟକ୍ଷ ଶ୍ରୀକାନ୍ତ ଜେନାଙ୍କ ଚିଠିକୁ ନେଇ।

ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ହେବାର ମାତ୍ର ୮ ଦିନ ପରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କୁ ନେଇ ଚର୍ଚ୍ଚା ଜୋର୍ ଧରିଛି। କିଏ ମୁଖ୍ୟମନ୍ତ୍ରୀ ଏବଂ ଉପ-ମୁଖ୍ୟମନ୍ତ୍ରୀ ହେବେ ସେନେଇ ଶ୍ରୀକାନ୍ତ ଜେନା ଏକ ଏଆଇସିସି ଏବଂ ପିସିସିର ଓଡ଼ିଶା ସଦସ୍ୟଙ୍କୁ ଚିଠି ଲେଖି ପ୍ରସ୍ତାବ ଦେଇଛନ୍ତି।

ଶ୍ରୀକାନ୍ତ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି, “୨୦୧୯ରେ ଯଦି କଂଗ୍ରେସ କ୍ଷମତାକୁ ଆସେ ତାହାଲେ ଓବିସି ବର୍ଗର ଜଣେ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉ। ଏହାସହ ଅନୁସୂଚିତ ଜାତି ବର୍ଗର ଜଣଙ୍କୁ ଏବଂ ଜନଜାତି ବର୍ଗର ଜଣଙ୍କୁ ଉପ-ମୁଖ୍ୟମନ୍ତ୍ରୀ କରାଯାଉ।”

ଶ୍ରୀକାନ୍ତଙ୍କ ଏହି ଚିଠି ଆସିବା ପରେ କଂଗ୍ରେସ ଶିବର ପୁଣି ହଲ୍‌ଚଲ୍‌ ହୋଇଯାଇଛି। ଶ୍ରୀକାନ୍ତଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି ନିରଞ୍ଜନ।

ନିରଞ୍ଜନ ପଟ୍ଟନାୟକ କହିଛନ୍ତି, “ଭୁବନେଶ୍ୱରରେ ବସି ନିର୍ବାଚନ ଇସ୍ତାହାର ତିଆରି କରାଯିବ ନାହିଁ। ଗାଁ ଲୋକଙ୍କ ମତକୁ ନେଇ ଇସ୍ତାହାର ତିଆରି ହେବ। ନିର୍ବାଚନ ପୂର୍ବରୁ କମିଟି ବସି ଏ ସମ୍ପର୍କରେ ନିଷ୍ପତ୍ତି ନେବ।”

“ଆମେ ୧୯ ବର୍ଷ ହେଲା କ୍ଷମତାରେ ନାହୁଁ। କ୍ଷମତାକୁ ଆସିବା ପରେ କିଏ ମୁଖ୍ୟମନ୍ତ୍ରୀ ହେବେ ଏବଂ କିଏ ଉପ-ମୁଖ୍ୟମନ୍ତ୍ରୀ ହେବେ ତାହା ରାହୁଲ ଗାନ୍ଧି ବିଚାର କରିବେ। ତେଣଉ ଏଥିପାଇଁ ଆମେ ଆଗରୁ ଚିନ୍ତା କରିବା କିଛି ଆବଶ୍ୟକ ନାହିଁ”, କହିଛନ୍ତି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା।

ଏଯାଏଁ ପସିସିର ନୂଆ ଟିମ୍‌ କୌଣସି କାର୍ଯ୍ୟକ୍ରମ ଆରମ୍ଭ କରିନାହିଁ। ନିର୍ବାଚନ ପାଇଁ କୌଣସି ବୈଠକ ହୋଇନାହିଁ। ହେଲେ ଏହା ପୂର୍ବରୁ ଶ୍ରୀକାନ୍ତଙ୍କ ଏଭଳି ଚିଠିକୁ ନେଇ କଂଗ୍ରେସ ଭବନ ଉଠୁଛି ପଡ଼ୁଛି। ନିରଞ୍ଜନ ପିସିସି ସଭାପତି ହେବା ପରେ ଶ୍ରୀକାନ୍ତ ଏଭଳି ଚିଠି କାହିଁକି ଲେଖିଲେ ବୋଲି ରାଜନୀତି କରିଡରରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଚିଠି ପଛରେ ଜାତି ପଲିଟିକ୍ସ ନା ଆଉ କିଛି ରହିଛି ତାହା ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ।

LEAVE A REPLY

Please enter your comment!
Please enter your name here