ସୁରସିଂହ ପଟ୍ଟନାୟକ

ମଧୁସୂଦନ ଦାସ ତାଙ୍କର ପରିବ୍ୟାପ୍ତ ସମାଜବାଦ କାର୍ଯ୍ୟକ୍ରମକୁ ଓଡ଼ିଆ ଭାଷାସଂସ୍କୃତି ମୁକ୍ତି ସଂଗ୍ରାମର ଏକ ଅବିଚ୍ଛେଦ୍ୟ ଅଙ୍ଗ ରୂପେ ଗଢ଼ି ତୋଳିଥିଲେ। ଏହା ଥିଲା ଓଡ଼ିଆମାନଙ୍କ ପାଇଁ ଏକାନ୍ତ ଗୌରବର ବିଷୟ।

ଦେଶର ନବ ଜାଗରଣରେ ମହାନ ଜାତୀୟତାବାଦୀ ନେତା ରୂପେ ପ୍ରତିଷ୍ଠା ଲାଭ କରିଥିବା ଜାତୀୟ ଗୌରବ ମଧୁସୂଦନ ଦାସ ହେଉଛନ୍ତି ଭାରତର ପ୍ରଥମ ଭାଷାଭିତ୍ତିକ ପ୍ରଦେଶ ‘ଓଡ଼ିଶା’ର ନିର୍ମାତା। ମଧୁସୂଦନ ଦାସଙ୍କର ଜନ୍ମ ହୋଇଥିଲା, ବିଶ୍ୱ ଘଟଣାପ୍ରବାହର ଏକ ସ୍ମରଣୀୟ ବର୍ଷ ୧୮୪୮ ସାଲରେ, ଯେଉଁବର୍ଷ ସମାଜବାଦୀ ଚିନ୍ତାଧାରାର ଆଦ୍ୟସ୍ଫୁରଣ ରୂପରେ ରଚିତ ହୋଇଥିବା କମ୍ୟୁନିଷ୍ଟ ମେନିଫେଷ୍ଟୋ। ତାଙ୍କର ତିରୋଧାନ ଘଟିଥିଲା ଏହାର ଛୟାଅଶୀ ବର୍ଷର ଅନ୍ତରାଳରେ।

ଅନ୍ୟ ଏକ ତାତ୍ପର୍ଯ୍ୟପୂର୍ଣ୍ଣ ବର୍ଷ ୧୯୩୪ ସାଲରେ, ଯେଉଁ ବର୍ଷ ଭାରତର ଭୂମିରେ କଂଗ୍ରେସ ସମାଜବାଦୀ ଦଳର ଅଭୁ୍ୟଦୟ ଘଟିଲା। ଆଶ୍ଚର୍ଯ୍ୟ ଲାଗେ ଏହି ମଧ୍ୟବର୍ତ୍ତୀ ୮୬ବର୍ଷ କାଳ ଭାରତରେ ସମାଜବାଦୀ ଚିନ୍ତାଧାରା ଏକପ୍ରକାର ଅଜ୍ଞାତ ରହିଥିବାବେଳେ ଦେଶର ଏକ ନିଭୃତ କୋଣରେ ଓଡ଼ିଶାର ମଧୁସୂଦନ ଦାସଙ୍କ ମଧ୍ୟରେ ଏହାର ପରିପ୍ରକାଶ ଥିଲା କେତେ ସ୍ୱତଃସ୍ଫୂର୍ତ୍ତ, ଅବାରିତ ଆଉ ପ୍ରତିଶ୍ରୁତିବଦ୍ଧ। ତେଣୁ ପଣ୍ଡିତ ନେହେରୁଙ୍କ ଭାଷାରେ, ମଧୁସୂଦନ ଭାରତର ସାମାଜିକ ଆଉ ଅର୍ଥନୈତିକ ଉତ୍ଥାନ ଲାଗି ମାର୍ଗଦର୍ଶୀ ପ୍ରକଳ୍ପମାନ ସ୍ଥାପନ କରିଥିଲେ।

ମହାତ୍ମାଗାନ୍ଧୀ ୨୫.୩.୧୯୩୮ରେ ମଧୁସୂଦନ ଦାସଙ୍କର ଗୁଢ଼ ସମାଜତାତ୍ତ୍ୱିକ ଦର୍ଶନ ଉପରେ ଆଲୋକପାତ କରିବାକୁ ଯାଇ ଡେଲାଙ୍ଗଠାରେ କହିଥିଲେ,‘ମଧୁସୂଦନ ଦାସଙ୍କର ତାତ୍ପର୍ଯ୍ୟପୂର୍ଣ୍ଣ ଅଭିବ୍ୟକ୍ତି ହେଲା – ‘ମଣିଷ ଓ ପଶୁମାନଙ୍କ ମଧ୍ୟରେ ମୁଖ୍ୟ ବିଭେଦ ହେଉଛି ଶାରୀରିକ ଗଠନ ପ୍ରଣାଳୀ। ମଣିଷ ତାହାର ହସ୍ତ ଓ ପାଦରେ ରହିଥିବା ଅଙ୍ଗୁଳିଗୁଡ଼ିକୁ ବିଚକ୍ଷଣ ବୁଦ୍ଧିର ପ୍ରୟୋଗ ମାଧ୍ୟମରେ ଅତ୍ୟନ୍ତ କଳାତ୍ମକ ଭାବରେ ବ୍ୟବହାର କରିପାରେ। ’

ଏହିଠାରେ ହିଁ ରହିଛି ସମାଜବାଦୀ ଅଥବା ମାର୍କ୍ସବାଦୀ ଦର୍ଶନର ମୂଳ ଭିତ୍ତିଭୂମି। ସମଗ୍ର ବିଶ୍ୱରେ ମଣିଷ ହେଉଛି ଏକମାତ୍ର ପ୍ରାଣୀ, ଯାହାମଧ୍ୟରେ ସନ୍ନିବେଶିତ ହୋଇ ରହିଛି ଅନ୍ତର୍ନିହିତ ସର୍ଜନାତ୍ମକ ସୃଷ୍ଟିଶକ୍ତି। ସେ ଏହାକୁ ତାହାର ହାତ ଆଉ ପାଦର ବିଚକ୍ଷଣ ପ୍ରୟୋଗ ମଧ୍ୟରେ ବିଶ୍ୱର ସୃଷ୍ଟି ପଦାର୍ଥମାନଙ୍କର ଉପରେ ଆରୋପିତ କରି, ସମାଜ ପାଇଁ ଆବଶ୍ୟକ ଥିବା ପ୍ରୟୋଜନୀୟ ବସ୍ତୁମାନ ସୃଷ୍ଟିକରେ। ମନୁଷ୍ୟ ସମାଜର ଏକ ଅଂଶ ରୂପେ, ଜଣେ ମଣିଷକୁ ତାହାର ଆବଶ୍ୟକତା ଅନୁଯାୟୀ ଏହି ବସ୍ତୁମାନ ଲଭ୍ୟ ହେବା ଆବଶ୍ୟକ। ମାତ୍ର ସଭ୍ୟତାର ଅଗ୍ରଗତି ମଧ୍ୟରେ ପୁଞ୍ଜିବାଦୀ ଶୋଷଣ ପ୍ରକ୍ରିୟାରେ ଜଣେ ଉତ୍ପାଦକ ମଣିଷଠାରୁ ତାହାର ଉତ୍ପାଦିତ ବସ୍ତୁ ସବୁ ବିଚୁ୍ୟତ ଅଥବା ବର୍ଜିତ ହୋଇଥାଏ। ଫଳରେ ସେ ଶୋଷିତହୋଇ ବସ୍ତୁରେ ପରିଣତ ହୋଇଯାଏ।

ମଧୁସୂଦନ ଦାସଙ୍କର ଅବିଚ୍ଛେଦ୍ୟ ସମ୍ପର୍କ ରହିଥିଲା ମଣିଷର ଏହି ଶୋଷଣବିହୀନ ସର୍ଜନାତ୍ମକ ପ୍ରକ୍ରିୟା ସହିତ। ମହାତ୍ମାଗାନ୍ଧୀ ୨୨.୧.୧୯୩୭ରେ ସେବାଶ୍ରମ ଠାରେ ଆହୂତ ଶିକ୍ଷା ସମ୍ମିଳନୀରେ ପ୍ରକାଶ କରିଥିଲେ, ‘ମଧୁସୂଦନ ଦାସଙ୍କର ଦୃଢ଼ବିଶ୍ୱାସ ଥିଲା ଯେ, ଆମ୍ଭମାନଙ୍କର ହସ୍ତ ଓ ପଦଗୁଡ଼ିକ ବିଧିବଦ୍ଧ ଭାବେ ଯଦି ସଞ୍ଚାଳିତ ଆଉ ନିୟୋଜିତ ହୁଏ, ତା’ହେଲେ ମଣିଷର ମସ୍ତିଷ୍କ ସ୍ଥାଣୁ ଅଥବା ନିର୍ବେଦ ପାଲଟିଯିବ…ଋଷି ଟଲଷ୍ଟୟ ତାଙ୍କର ବହୁ କାହାଣୀ ମାଧ୍ୟମରେ ଏହି ତଥ୍ୟକୁ ହିଁ ଉଦ୍ଭାସିତ କରିଛନ୍ତି।

ଏଥିରେ ରହିଛି ହସ୍ତ ଆଉ ପଦର ସଂଯୋଗରେ ସର୍ଜନାତ୍ମକ କ୍ରିୟା ମାଧ୍ୟମରେ ମଣିଷର ସର୍ବାଙ୍ଗୀନ ବିକାଶର ସ୍ୱରୂପ ଯାହା ସମାଜବାଦ ଅଥବା ସର୍ବୋଦୟର ଆଧାରଶିଳା ଅଟେ। ବହୁ ବିଚିତ୍ରତା ଓ ବିବିଧତା ମଧ୍ୟରେ ଏହିସବୁ କାର୍ଯ୍ୟକ୍ରମ ରୂପାୟିତ ହୋଇଥିଲା ମଧୁସୂଦନଙ୍କର କର୍ମଶାଳାରେ।

ସାଗର ବକ୍ଷରେ ଭାସମାନ ବରଫଖଣ୍ଡର ନିମଜ୍ଜିତ ବୃହଦାଂଶ ଲୁକ୍କାୟିତ ହୋଇ ରହିଥିଲା ପରି ମଧୁସୂଦନଙ୍କର ସବୁ ଦିଗନ୍ତକୁ ପ୍ରସାରିତ ପରିବ୍ୟାପ୍ତ ବ୍ୟକ୍ତିତ୍ୱର ଏହିସବୁ ଉପଲବ୍ଧô ହେଉଛି ଏକ ଅନାଲୋଚିତ ଦିଗ।

ସୂର୍ଯ୍ୟାସ୍ତ ଆଇନ ବଳରେ ଜମିଦାରୀ ଉଚ୍ଛେଦ ହୋଇଯାଇଥିବା ଗୋଟିଏ କ୍ଷୟିଷ୍ଣୁ ପରିବାରରେ, ଗ୍ରାମ ଗହଳରେ ମଧୁସୂଦନ ଦାସ ଜନ୍ମଗ୍ରହଣ କରିଥିଲେ। ଜନ୍ମବେଳକୁ ତାହାଙ୍କର ଅସ୍ତାବଳରେ କିଛି ଘୋଡ଼ା ପ୍ରତିପାଳିତ ହେଉଥିଲେ ମଧ୍ୟ ଅଶ୍ୱର ପୃଷ୍ଠରେ ନୁହେଁ, ତାହାଙ୍କର ପଦ ପ୍ରୋଥିତ ହୋଇ ଯାଇଥିଲା ଗ୍ରାମ ଗହଳର ଉତ୍ପାଦନ ସର୍ବସ୍ୱ ମାଟିରେ। ସେହିମାଟି ସମଗ୍ର ଭାରତରେ ଗ୍ରାମଗହଳକୁ ହିଁ ସୂଚିତ କରୁଥିଲା। ଆବାଲ୍ୟରୁ ସହରରେ ପ୍ରତିପାଳିତ ମହାତ୍ମାଗାନ୍ଧୀ ଅଥବା ପଣ୍ଡିତ ନେହେରୁଙ୍କ ପରି ଜନନାୟକଗଣ ପରିଦର୍ଶକ ଅଥବା ପରିବ୍ରାଜକ ପରି ଗ୍ରାମଗହଳକୁ ଅଧ୍ୟୟନର କ୍ଷେତ୍ର ରୂପେ ବାଛି ନେଲା ପରି ନୁହେଁ, ମଧୁସୂଦନ ଦାସ ଆବାଲ୍ୟରୁ ସିଧାସଳଖ ମୁହାଁମୁହିଁ ଭାବେ ଗ୍ରାମଗହଳର ସ୍ଥିତି ସମ୍ପର୍କରେ କେବଳ ପରିଚିତ ନଥିଲେ, ସେ ଏହା ସହିତ ଅଙ୍ଗାଙ୍ଗୀଭାବେ ଜଡ଼ିତ ହୋଇ ରହିଥିଲେ।

ଅର୍ଥନୈତିକ ଦୃଷ୍ଟିରୁ ଅନ୍ତଃସାରଶୂନ୍ୟ, ଦୁର୍ଭିକ୍ଷର କରାଳ ଗ୍ରାସରେ କଙ୍କାଳସାର ଓଡ଼ିଶାର ଜନଗୋଷ୍ଠୀ ମଧ୍ୟକୁ ୧୮୮୧ରେ ମଧୁସୂଦନ ଫେରିଲା ପରେ, ଏ ରାଜ୍ୟର ଦାରୁଣ ଦୁର୍ଗତି ତଥା ମର୍ମନ୍ତୁଦ ଅବସ୍ଥା ତାହାଙ୍କୁ ଆକ୍ରାନ୍ତ ଆଉ ଆଛନ୍ନ କରି ରଖିଥିଲା। ୧୧.୨. ୧୮୮୮ରେ ଲବଣକର ବୃଦ୍ଧି ବିରୋଧରେ କଟକର ବିରାଟ ଜନସଭାରେ ତାହାଙ୍କର ଜ୍ୱାଳାମୟୀ ଭାଷଣ, ବ୍ରିଟିଶ ଉପନିବେଶବାଦର ତୀବ୍ର ନିଷ୍ପେଷଣକୁ ସୂଚିତ କରୁଥିଲା, ଯାହାର ପ୍ରଚଣ୍ଡ ଆଘାତରେ ସମସ୍ତ ଗ୍ରାମ୍ୟ ଶିଳ୍ପ ବିଧ୍ୱସ୍ତ ହୋଇଯାଇଥିଲା।

କିଛିବର୍ଷ କାଳ ଗଭୀର ଅନ୍ତର୍ଦାହର ତୀବ୍ର ଜ୍ୱାଳାରେ ଜର୍ଜରିତ ହୋଇ ୧୮୯୨ ରେ ମଧୁସ୍ମୃତିକୁ ଆସିଲା ପରେ ତାହାଙ୍କର ସମ୍ମୁଖରେ ସମାଧାନର ସୀମାହୀନ ଦିଗନ୍ତ ଉନ୍ମୋଚିତ ହୋଇ ଯାଇଥିଲା। ହଁ ସେହି ସମାଧାନର ଚକ୍ରବାଳରେ ଉଦିତ ହୋଇଥିଲେ ସ୍ୱଦେଶୀ ଶିଳ୍ପାୟନରୂପୀ ମୁକ୍ତିର ସୂର୍ଯ୍ୟ। ସ୍ୱଦେଶୀ ଶିଳ୍ପାୟନ ଓ ସ୍ୱାବଲମ୍ବନ ଗୋଟିଏ ମୁଦ୍ରାର ଦୁଇଟିପାଖ ଥିଲେ। ସମସ୍ତ ସମାଜକୁ ଏହି ମୁକ୍ତି ମନ୍ତ୍ରରେ ଦୀକ୍ଷିତ କରିବା ପୂର୍ବରୁ ଏହାର ପରୀକ୍ଷା ଓ ନିରୀକ୍ଷା ନିଜଠାରୁ ହିଁ ଆରମ୍ଭ କରିଥିଲେ। ତାହାଙ୍କର ସମସ୍ତ ବସ୍ତୁ ସ୍ୱଦେଶୀ ହେବାପଛରେ, ପ୍ରଥମେ ପାଦରେ ପିନ୍ଧୁଥିବା ଜୋତାକୁ ହିଁ ଚିହ୍ନିତ କରିଥିଲେ। ଏହାର ସର୍ବୋତ୍ତମ ଉତ୍ପାଦନର ସୂତ୍ରର ଅନ୍ୱେଷଣରେ ସେ ପରିବ୍ରାଜକ ରୂପେ ଘୁରି ବୁଲିଥିଲେ ଚର୍ମକାର ଅଧ୍ୟୁଷିତ ବସ୍ତି ସବୁ।

ଆଉ ଚାରୋଟି ଚର୍ମକାରଙ୍କୁ ନିଜର ପରିବାର ଅଙ୍ଗୀଭୂତ କରି, ମଧୁସ୍ମୃତିରେ ବସତି ପ୍ରଦାନ କରିଥିଲେ। ୧୮୯୨ରୁ ଆରମ୍ଭ ହୋଇଥିବା ଅବାରିତ ଯାତ୍ରା ଲମ୍ବି ଯାଇଥିଲା ୧୯୦୨ସାଲ ଯାଏଁ ଯେଉଁ ବର୍ଷ ତାହାଙ୍କର ବ୍ୟବହୃତ ସମସ୍ତବସ୍ତୁ ସ୍ୱଦେଶୀରେ ପରିଣତ ହୋଇଥିଲା। କ୍ରାନ୍ତିକାରୀ ଏହି ଯାତ୍ରା ପଥରେ ୧୯୦୦ ସାଲରେ ଉନ୍ନତ ଚରଖାର ଉଦ୍ଭାବନ ଆଉ ୧୯୦୧ ସାଲରେ ଫ୍ଲାଇ ସଟଲ ତନ୍ତ ସାହାଯ୍ୟରେ ତ୍ୱରିତ ବୟନ ପ୍ରଣାଳୀର ଉପସ୍ଥାପନ ମାଧ୍ୟମରେ ନିଜର ଅଭିଳାଷକୁ ପୂର୍ଣ୍ଣ କରିପାରିଥିଲେ।

ବ୍ୟବହାର ପାଇଁ ଗ୍ରାମୀଣ କାରିଗରଙ୍କର ମାଧ୍ୟମରେ ସମସ୍ତ ସ୍ୱଦେଶୀ ବସ୍ତୁ ଉପଲବ୍ଧ କରିସାରିଲା ପରେ ବିଦେଶୀ ବର୍ଜନ ଆଉ ସ୍ୱଦେଶୀ ଉତ୍ପାଦନ ଓ ବ୍ୟବହାରର ସଙ୍କଳ୍ପବଦ୍ଧ ଶପଥ ଗ୍ରହଣ ପାଇଁ ସେ ଗ୍ରାମ ଆଉ ଜନପଦରେ ଘୁରି ବୁଲିଥିଲେ। ଏ ସମସ୍ତ ଥିଲା ବ୍ରିଟିଶ ଉପନିବେଶବାଦର ନିଷ୍ପେଷଣ ବିରୋଧରେ ଏକ ଅଘୋଷିତ ମୁକ୍ତି ସଂଗ୍ରାମ। ସ୍ୱାବଲମ୍ବନ ଥିଲା ଏହାର ମୂଳ ଭିତ୍ତିଭୂମି। ମଧୁସୂଦନଙ୍କର ଭାଷାରେ ‘ଯେଉଁ ହାତରେ ଜଣେ ରୁଟି ଖାଏ, ସେହି ହାତରେ ହିଁ ତାହାକୁ ରୁଟିର ଉପାର୍ଜନ କରିବାକୁ ପଡ଼ିବ।’ (୧୯୨୪ରେ ପାଟନାଠାରେ ପ୍ରଦତ୍ତ ଭାଷଣ)

ମଧୁସୂଦନ ଦାସ ୧୮୯୭ ସାଲରେ ସୁଦୀର୍ଘ ନଅ ମାସ ଧରି ଇଂଲଣ୍ଡ ସମେତ ୟୁରୋପର ପ୍ରମୁଖ ଦେଶଗୁଡ଼ିକ ଜଣେ ଅନୁସନ୍ଧିତ୍ସୁର ଜିଜ୍ଞାସା ନେଇ ପରିଭ୍ରମଣ କରିଥିଲେ। ସେହି ଦେଶସମୂହର ସମ୍ବିଧାନ, ଲୋକତନ୍ତ୍ର,ପ୍ରଶାସନ,କ୍ରାନ୍ତିକାରୀ ଉଦ୍ୟୋଗର ସ୍ୱୟଂଶାସିତ ସଂସ୍ଥା ଆଉ ପ୍ରଗତିଶୀଳ ଜନଜାଗରଣର ବିଭିନ୍ନ ପର୍ଯ୍ୟାୟ (ବୋଧହୁଏ ସମାଜବାଦ ମଧ୍ୟ) ଅଧ୍ୟୟନ କରିଥିଲେ, ଯାହା ତାଙ୍କର ଚେତନାର ଦିଗନ୍ତକୁ ପଦକ୍ଷେପ ରୂପେ ଚିହ୍ନିତ ଓୟେନଙ୍କର ସମବାୟ ଜନ ସମ୍ପ୍ରଦାୟର ଆଧାରରେ, ୧୮୯୮ସାଲରେ କଟକ କୋ-ଅପରେଟିଭ୍ ଭଣ୍ଡାର (ଯାହା ସମଗ୍ର ଭାରତରେ ପ୍ରଥମ ସମବାୟଭିତ୍ତିକ ଉଦ୍ୟୋଗ) ସ୍ଥାପନ କରି କ୍ଷୁଦ୍ର କୃଷିଜୀବୀଙ୍କୁ ଋଣଦାନ ମାଧ୍ୟମରେ, ଯୁକ୍ତିଯୁକ୍ତ ମୂଲ୍ୟରେ ସେମାନଙ୍କଠାରୁ ପଣ୍ୟ ସଂଗ୍ରହ ତଥା କଟକର ନିମ୍ନବର୍ଗ ବ୍ୟକ୍ତିଙ୍କ ମଧ୍ୟରେ ସୁଲଭ ମୂଲ୍ୟରେ ବିକ୍ରୟର ବ୍ୟବସ୍ଥା କରିଥିଲେ।

ଆଲୋଚନାକୁ ଏହିଠାରେ ଅସମାପ୍ତ ରଖି, ଚାଲନ୍ତୁ ଯିବା ୧୯୩୪ସାଲର ଭାରତର ଦୃଶ୍ୟପଟକୁ। ସେହିବର୍ଷ ନାସିକ ଜେଲରେ ଆବଦ୍ଧ ତରୁଣ ଦେଶବତ୍ସଳ ଯୁବ ନେତୃବୃନ୍ଦ, ଯେପରିକି ଜୟପ୍ରକାଶ ନାରାୟଣ, ଅଶୋକ ମେହେଟ୍ଟା, ଅଚୁ୍ୟତ ପଟ୍ଟବର୍ଦ୍ଧନ ଆଦି, ବନାରସର ଆଚାର୍ଯ୍ୟ ନରେନ୍ଦ୍ର ଦେବ ପ୍ରମୁଖଙ୍କ ସହ ସମ୍ମିଳିତ ହୋଇ ମଇମାସରେ ପାଟନାଠାରେ କଂଗ୍ରେସ ସମାଜବାଦୀ ଦଳ ଗଠନ କରିଥିଲେ।

ଆଉ ଅକ୍ଟୋବର ମାସରେ ବମ୍ବେଠାରେ ସ୍ୱରାଜ ପ୍ରାପ୍ତି ଲାଗି ଯେଉଁ ସମାଜବାଦୀ କାର୍ଯ୍ୟକ୍ରମର ଚିଠା ପ୍ରସ୍ତୁତ କରିଥିଲେ, ତାହା ମଧ୍ୟରେ ସରକାରଙ୍କ ନିଜସ୍ୱ ଆଧାରିତ କାର୍ଯ୍ୟକୁ ବାଦଦେଇ, ଯେଉଁ କାର୍ଯ୍ୟକ୍ରମ ଦେଶବାସୀଙ୍କ ପାଇଁ ଉଦ୍ଧିଷ୍ଟ ଥିଲା, ସେ ସମସ୍ତ ହେଲା ଜମିଦାରୀ ଓ ଗଡ଼ଜାତ ପ୍ରଥାର ଉଚ୍ଛେଦ, କୃଷକକୁ ଭୂମି ଉପରେ ଅଧିକାର ପ୍ରଦାନ, ସମବାୟ ମାଧ୍ୟମରେ କୃଷି, ଉତ୍ପାଦନ ଓ ବଣ୍ଟନ, ପ୍ରତ୍ୟେକ ବ୍ୟକ୍ତିଙ୍କୁ କର୍ମସଂସ୍ଥାନ ଏବଂ ନାରୀ ଜାତିକୁ ଅଧିକାର ପ୍ରଦାନ।

ସମାଜବାଦୀ ଯୁବ ନେତୃବୃନ୍ଦ ଏ ସମସ୍ତକୁ ଜନଜାଗରଣ ଓ ଗଣ ଆନ୍ଦୋଳନ ମଧ୍ୟରେ ହାସଲ କରିବାକୁ ସେମାନଙ୍କର ଲକ୍ଷ୍ୟ ରଖିଥିଲେ। ମାତ୍ର ଆଶ୍ଚର୍ଯ୍ୟ ଲାଗେ ମଧୁସୂଦନ ଦାସ ପ୍ରାୟ ୧୯୧୫ ସାଲ ବେଳକୁ ଏହି ସମସ୍ତ କାର୍ଯ୍ୟକ୍ରମରେ କେବଳ ସକ୍ରିୟ ଅଂଶଗ୍ରହଣ କରି ନଥିଲେ, ଏହି କାର୍ଯ୍ୟକ୍ରମ ସମସ୍ତରେ ସନ୍ନିବେଶିତ ମୁଖ୍ୟ ଉତ୍ପାଦନ ଜଡ଼ିତ ପ୍ରକ୍ରିୟାରେ ଆକଣ୍ଠ ନିମଜ୍ଜିତ ରହୁଥିଲେ। ଯେପରି ଜଣେ ନର୍ତ୍ତକ ବା ନୃତ୍ୟାଙ୍ଗନା, ନୃତ୍ୟର ଆଙ୍ଗିକ ରୂପ, ବିଭିନ୍ନ ମୁଦ୍ରା, ତାଳ, ପଦବିନ୍ୟାସର ସମସ୍ତ କୌଶଳ ଆଭରଣ କରି ସାରିଲା ପରେ, ଅଚିରେ ନୃତ୍ୟର ଅଙ୍ଗନକୁ ଓହ୍ଲାଇ ପଡେ଼ ବିସ୍ତାରିତ ନୃତ୍ୟ ପ୍ରଦର୍ଶନ ପାଇଁ, ସେହିପରି ମଧୁସୂଦନ ଦାସଙ୍କର ନିଜସ୍ୱ ତୀକ୍ଷ୍ଣ ନିରୀକ୍ଷଣ ଆଉ ଆତ୍ମ ଉପଲବ୍ଧô ଏତେ ପ୍ରଖର ଆଉ ତୀବ୍ର ଯେ, ସେ ବିନା କାଳାତିପାତରେ ତତ୍‌‍କ୍ଷଣାତ ଓହ୍ଲାଇ ପଡ଼ିଥିଲେ ପ୍ରକଳ୍ପ ସବୁର ଆଶୁ ଆଉ ସଫଳ ରୂପାୟନ ପାଇଁ।

ମଧୁସୂଦନଙ୍କର ସମାଜବାଦୀ କାର୍ଯ୍ୟକ୍ରମ ମଧ୍ୟରେ ଅତ୍ୟନ୍ତ ଉଲ୍ଲେଖନୀୟ ଥିଲା, ପ୍ରଜା ପରିଷଦ (୧୯୦୯)ର ଗଠନ, ଯାହାର ଛତ୍ରଛାୟା ତଳେ ହଜାର ହଜାର କୃଷିଜୀବୀ ସମ୍ମିଳିତ ହୋଇ ସେମାନଙ୍କର ଭୂମି ଉପରେ ସ୍ୱତ୍ତ୍ୱ ଲାଭ କରିବା ପାଇଁ ସଂଗ୍ରାମ କରିଥିଲେ। ୧୯୧୨ସାଲରେ ସେ ଯେଉଁ (ସ୍ମାରକ) ମେମୋରାଣ୍ଡମ୍ ପ୍ରଜାମାନଙ୍କ ପକ୍ଷରୁ ଦାଖଲ କରିଥିଲେ, ତାହା ପ୍ରଜାଙ୍କର ଅଧିକାର ପ୍ରଦାନ କ୍ଷେତ୍ରରେ ସର୍ବୋତ୍ତମ ଦଲିଲ ଥିଲା, ଯାହା ବିନା କ୍ଷତିପୂରଣରେ ଜମିଦାର ପ୍ରଥା ଉଚ୍ଛେଦ ଲାଗି ଅଭିପ୍ରେତ ଥିଲା।

ମଧୁସୂଦନଙ୍କର ସମସ୍ତ ପ୍ରତିବାଦ ସତ୍ତ୍ୱେ ବଙ୍ଗ କାଉନସିଲରେ ପ୍ରଜାମାନଙ୍କର ଶୋଷଣ ଲାଗି ଉଦ୍ଦିଷ୍ଟ ଓଡ଼ିଶା ପ୍ରଜାସତ୍ତ୍ୱ ବିଲ୍ ପ୍ରଣୀତ ହେବା ପରେ ମଧୁସୂଦନଙ୍କର ଚେତାବନୀ ପ୍ରଦାନ ଯୋଗୁଁ ବଡ଼ଲାଟ ଲଡର଼୍ ହାର୍ଡିଞ୍ଜ୍, ଏହି ବିଲ୍କୁ ମଞ୍ଜୁରୀ ପ୍ରଦାନ କରିନଥିଲେ। ଏହା ଥିଲା ପାର୍ଲାମେଣ୍ଟାରୀ ଇତିହାସରେ ଏକ ବିରଳ ବ୍ୟତିକ୍ରମ। ୧୯୧୫ରେ ମଧୁସୂଦନ ଗଡ଼ଜାତ ଉଚ୍ଛେଦ କରିବା ଲାଗି ତାହାଙ୍କର ଦୃଢ଼ଦାବୀ ଉପସ୍ଥାପନ କରିଥିଲେ।

କଲିକତାରେ ପ୍ରଥମ ଶ୍ରମିକ ୟୁନିଅନ ୧୮୭୦ରେ ପ୍ରତିଷ୍ଠିତ ହୋଇଥିଲା। ଏହାର ମାତ୍ର ପାଞ୍ଚ ବର୍ଷ ପରେ ମଧୁସୂଦନ ମାଟିଆ ବରୁଜୁରେ ଶ୍ରମିକଙ୍କ ଲାଗି ଏକ ନୈଶ୍ୟ ବିଦ୍ୟାଳୟ ଓ ୟୁନିୟନର ସ୍ଥାପନା କରିଥିଲେ। କଲିକତାରେ ପରବର୍ତ୍ତୀ କାଳରେ ବୃହତ ଶ୍ରମିକ ୟୁନିଅନର ସ୍ଥାପନା ସହିତ ୧୯୨୯ରୁ ୧୯୩୧ମଧ୍ୟରେ ମଧୁସୂଦନ ନେତାଜୀ ସୁବାଷ ବୋଷଙ୍କର ସାହଚର୍ଯ୍ୟରେ ଜାମସେଦପୁରଠାରେ ଶ୍ରମିକମାନଙ୍କୁ ୟୁନିୟନ ଗଠନ ମାଧ୍ୟମରେ ସମ୍ମିଜିତ କରିଥିଲେ। ମଧୁସୂଦନ ସମସ୍ତ କ୍ଷେତ୍ରରେ ନାରୀକୁ ଅଧିକାର ପ୍ରଦାନ କ୍ଷେତ୍ରରେ ପ୍ରତିଶ୍ରୁତିବଦ୍ଧ ଥିଲେ। କଟକରେ ପ୍ରଥମ ମହିଳା ମହାବିଦ୍ୟାଳୟର ପ୍ରତିଷ୍ଠା ପରେ, ମଧୁସୂଦନଙ୍କର ଅବିରାମ ଉଦ୍ୟମ ଫଳରେ ଭାରତୀୟ ନାରୀ ପାଇଥିଲା ଆଇନଜୀବୀ ବୃତ୍ତି ଗହଣର ଯୁଗାନ୍ତକାରୀ ଅଧିକାର, ଦଳିତମାନଙ୍କୁ ଅର୍ଥନୈତିକ ଅଧିକାର।

ଦଳିତମାନଙ୍କୁ ଅର୍ଥନୈତିକ କ୍ଷେତ୍ରରେ ଥଇଥାନ କରିବା ପାଇଁ ଏ କ୍ଷେତ୍ରରେ ଦେଶର ସର୍ବବୃହତ ଅନୁଷ୍ଠାନ ‘ଉତ୍କଳ ଟେନେରୀ’ର ସ୍ଥାପନା କରିଥିଲେ, ଯାହାର ମାନବୀୟ ମୂଲ୍ୟବୋଧ ମହାତ୍ମାଗାନ୍ଧୀଙ୍କୁ ହତଚକିତ କରିଥିଲା। ମହାତ୍ମାଗାନ୍ଧୀଙ୍କର ଭାଷାରେ ‘ସମାଜର ଗୋଟିଏ ଅଂଶ ଉପରେ ଆମେ ଯେଉଁ ଅପରାଧ କରି ଚାଲିଛେ ମଧୁସୂଦନ ଦାସ ସେ ସମ୍ପର୍କରେ ମୋର ଆଖି ଖୋଲି ଦେଇଥିଲେ।’ ମଧୁସୂଦନଙ୍କ ପ୍ରଣୀତ ଆଇନ (୧୯୨୩)ସାଲରେ ସ୍ୱାୟତ୍ତ ଶାସନର ସଂସ୍ଥାମାନଙ୍କରେ ଦଳିତମାନଙ୍କ ପାଇଁ ସ୍ଥାନ ସଂରକ୍ଷିତ ରହିଥିଲା।

ଏ ସମସ୍ତ ଉପଲବ୍ଧ ସମାଜବାଦୀ କାର୍ଯ୍ୟକ୍ରମର ଉଜ୍ଜଳ କୀର୍ତ୍ତିସ୍ତମ୍ଭ ରୂପେ ବିବେଚିତ ଯାହା ନିଷ୍ପେଷିତଙ୍କୁ ପ୍ରଦାନ କରିଥିଲା, ସ୍ୱାଭିମାନ ସହକାରେ ବଞ୍ଚି ରହିବା ପାଇଁ ସର୍ବନିମ୍ନ ପ୍ରତିଶ୍ରୁତି।

ପ୍ରାୟ ଏକଶହ ବର୍ଷ ପୂର୍ବେ ଓଡ଼ିଶାର ପ୍ରଥମ ସାଂସଦ (୧୯୧୩-୧୯୧୭) ରୂପେ ଭାରତୀୟ ଇମ୍ପେରିୟାଲ କାଉନସିଲ୍ରେ ବ୍ରିଟିଶ ଉପନିବେଶବାଦ ତଥା ୟୁରୋପୀୟ କ୍ରମପ୍ରସାରିତ ଶୋଷଣଭିତ୍ତିକ ଶିଳ୍ପ ସାମ୍ରାଜ୍ୟବାଦ ବିରୋଧରେ ମଧୁସୂଦନ ଦାସ ସେମାନଙ୍କୁ ‘ରକ୍ତ ଶୋଷକ  ଦଳ’ ବୋଲି ଆଖ୍ୟାୟିତ କରି ଯେଉଁ ସାଲିସ ବିହୀନ ସଂଗ୍ରାମର ଡାକରା ଦେଇଥିଲେ, ତାହା ଆଜିର ଜଗତୀକରଣ ତଥା ବିଶ୍ୱ ଅର୍ଥାୟନ ଯୁଗରେ, କାଳର କଷଟିରେ ପରୀକ୍ଷିତ ହୋଇ ନିଜସ୍ୱ ଦୀପ୍ତରେ ଜାଜ୍ୱଲ୍ୟମାନ।

ଘାତ, ପ୍ରତିଘାତ ଆଉ ସମନ୍ୱୟର କ୍ରମବିକାଶ ଧାରାରେ, ମଣିଷ ସହିତ ପ୍ରକୃତିର ଯେଉଁ ସଂଘାତ ସୃଷ୍ଟି ହୁଏ, ସେ କ୍ଷେତ୍ରରେ ମଧୁସୂଦନଙ୍କର ଶାଣିତ ବକ୍ତବ୍ୟ ଥିଲା – ପ୍ରାଚ୍ୟର କଲ୍ୟାଣମୟୀ ପ୍ରକୃତିକୁ ନିଷ୍ପେଷଣ ମଧ୍ୟରେ ନୁହେଁ, ତାହା ସହିତ ସୌହାର୍ଦ୍ଦ୍ୟପୂର୍ଣ୍ଣ ସହାବସ୍ଥାନ ମଧ୍ୟରେ ଭାରସାମ୍ୟ ରକ୍ଷାକରିବା ବା‚ନୀୟ। ଯାହା ଆଜିର ପରିବେଶବିତ୍ମାନଙ୍କର ମୂଳ ଆଧାର ରୂପେ ଗୃହୀତ ହୋଇସାରିଛି। ତେଣୁ ଆଜି ବିସ୍ମୟାଭୂତ ହୋଇ ଚାହିଁ ରହିବାକୁ ହୁଏ ଯେ, ସେଇ ଊନବିଂଶ ଶତାବ୍ଦୀର ମଧୁସୂଦନ ଦାସ ଆଜି ଏକବିଂଶ ଶତାବ୍ଦୀର ବିଶ୍ୱ ପ୍ରେକ୍ଷାପଟ୍ଟରେ କିଭଳି ତାତ୍ପର୍ଯ୍ୟପୂର୍ଣ୍ଣ ଆଉ ପ୍ରାସଙ୍ଗିକ ବୋଧ ହେଉଛନ୍ତି।

ଆଉ ଓଡ଼ିଆମାନଙ୍କ ପାଇଁ ଏହା ଏକାନ୍ତ ଗୌରବର ବିଷୟ ଯେ, ମଧୁସୂଦନ ଦାସ ତାଙ୍କର ପରିବ୍ୟାପ୍ତ ସମାଜବାଦ କାର୍ଯ୍ୟକ୍ରମକୁ ଓଡ଼ିଆ ଭାଷାସଂସ୍କୃତି ମୁକ୍ତି ସଂଗ୍ରାମର ଏକ ଅବିଚ୍ଛେଦ୍ୟ ଅଙ୍ଗ ରୂପେ ଗଢ଼ି ତୋଳିଥିଲେ।

ହଁ ସେ ଥିଲେ ଅଗ୍ରନାୟକ। ଅଥଚ ଆମେ ସତେ ରହିଯାଇଛୁ କେଡେ଼ ନିର୍ବେଦ!

Comment