ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଧୁନିକ ଓଡ଼ିଶାର ପ୍ରାଣ ପ୍ରତିଷ୍ଠାତା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ଆଜି ହେଉଛି ଜନ୍ମ ବାର୍ଷିକୀ। ଏହି ଅବସରରେ ଉତ୍କଳଗୌରବକୁ ମନେପକାଇଛନ୍ତି ଓଡ଼ିଶାବାସୀ। ସମାଜର ବିଭିନ୍ନ ପ୍ରତିଷ୍ଠିତ ବ୍ୟକ୍ତି, ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଧୁବାବୁଙ୍କୁ ଦିଆଯାଇଛି ଶ୍ରଦ୍ଧାଞ୍ଜଳି।

କଟକ, ଭୁବନେଶ୍ୱର ସମେତ ଜନ୍ମସ୍ଥାନ ସତ୍ୟଭାମାପୁରରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମଧୁବାବୁଙ୍କ ସ୍ମୃତିକୁ ମନେପକାଇଛନ୍ତି।

ମଧୁବାବୁଙ୍କ ସମାଧିସ୍ଥଳ ଗୋରାକବରଠାରେ ଉତ୍କଳ ସମ୍ମିଳନୀ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଉତ୍କଳ ସମ୍ମିଳନୀର ସଦସ୍ୟମାନେ ସମାଧିସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ କରି ଓଡ଼ିଶା ଏବଂ ଓଡ଼ିଆ ଜାତିର ଟେକ ପାଇଁ କରିଥିବା କାର୍ଯ୍ୟକୁ ପ୍ରଶଂସା କରିଛନ୍ତି।

ରାଜ୍ୟ ସଚିବାଳୟ ପରିସରରେ ଥିବା ମଧୁବାବୁ ପ୍ରତିମୂର୍ତ୍ତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବାଚସ୍ପତି ପ୍ରଦୀପ କୁମାର ଅମାତ ଏବଂ ବହୁ ମନ୍ତ୍ରୀ ବିଧାୟକମାନେ ପୁଷ୍ପମାଲ୍ୟ ଅର୍ପଣ କରି ମଧୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

ସେହିପରି ଓଡ଼ିଶାର ପ୍ରଥମ ବାରିଷ୍ଟର ମଧୁସୂଦନ ଦାସଙ୍କୁ ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନ୍ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଆଜିର ଦିନକୁ ହାଇକୋର୍ଟ ବାର୍‌ ପକ୍ଷରୁ ଆଇନଜୀବୀ ଦିବସ ଭାବେ ପାଳନ କରାଯାଇଛି। ଏହି ଉପଲକ୍ଷେ ଆୟୋଜିତ ସଭାରେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଭିନିତ ସରନ୍ ଏବଂ ଅନ୍ୟ ଅତିଥିମାନେ ଉପସ୍ଥିତ ଥିଲେ।

ସେହିପରି ପୁରୀ ବେଳାଭୂମିରେ ସୁଦର୍ଶନ ଦାସ ବାଲୁକା କଳା ତାଲିମ୍ ପ୍ରତିଷ୍ଠାନ ପକ୍ଷରୁ ମଧୁବାବୁଙ୍କୁ ବାଲୁକା କଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି।

Comment