ଡକ୍ଟର ମହେଶ୍ୱର ମହାନ୍ତି

ଗୋପାଳଚନ୍ଦ୍ର ପ୍ରହରାଜଙ୍କ ସ୍ମୃତିରେ ଉତ୍କଳଗୌରବ ମଧୁସୂଦନ ଦାସ। ମଧୁବାବୁଙ୍କ ଜୀବନର କିଛି ଅଜଣା ଅଧ୍ୟାୟ…

ଗୋପାଳଚନ୍ଦ୍ର ପ୍ରହରାଜ ଏବଂ ମିଷ୍ଟର ମଧୁସୂଦନ ଦାସ, ଉଭୟେ ହେଉଛନ୍ତି ଓଡ଼ିଶାର ଦୁଇଟି ତୁଙ୍ଗ ବ୍ୟକ୍ତିତ୍ୱ। ପ୍ରାଥମିକ ଅବସ୍ଥାରେ ଉଭୟଙ୍କର ବୃତ୍ତି ଓକିଲାତି ଥିଲେ ମଧ୍ୟ ପରବର୍ତ୍ତୀ କାଳରେ ଦୁହେଁ ଭିନ୍ନ ଭିନ୍ନ ଦିଗରେ ନିଜର କର୍ମ ଜୀବନକୁ ପ୍ରସାରିତ କରିଥିଲେ ଏବଂ ସେଥିରେ କେବଳ ପ୍ରତିଷ୍ଠା ଅର୍ଜନ କରି ନଥିଲେ, ଓଡ଼ିଶାର ଦୁଇଜଣ ବରପୁତ୍ର ପାଲଟି ଯାଇଥିଲେ। ମିଷ୍ଟର ଦାସ ପ୍ରହରାଜଙ୍କଠାରୁ ବୟସ ୨୪ ବର୍ଷ ବଡ଼ ଥିଲେ। ମିଷ୍ଟର ଦାସଙ୍କ ଜନ୍ମ ୧୮୪୮ ମସିହାରେ ହୋଇଥିବା ସ୍ଥଳେ ପ୍ରହରାଜଙ୍କର ଜନ୍ମ ହୋଇଥିଲା ୧୮୭୨ରେ। ସେଇଭଳି ମିଷ୍ଟର ଦାସଙ୍କର ପରଲୋକର ୧୧ ବର୍ଷ ପରେ ୧୯୪୫ ମସିହାରେ ପ୍ରହରାଜଙ୍କ ପରଲୋକ ହୋଇଥିଲା।

ବୟସର ଢେର ବ୍ୟବଧାନ ସତ୍ତ୍ୱେ ଉଭୟଙ୍କ ମଧ୍ୟରେ ବେଶ ଘନିଷ୍ଠତା ଥିଲା। ମଧୁସୂଦନଙ୍କ ମୃତ୍ୟୁ ପରେ ଓଡ଼ିଶା ଓ ଓଡ଼ିଶା ବାହାରର ବହୁ ବିଶିଷ୍ଟ ଲୋକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଗୋପାଳଚନ୍ଦ୍ର ପ୍ରହରାଜ ଥିଲେ ସେମାନଙ୍କ ମଧ୍ୟରେ ଅନ୍ୟତମ। ସେ ତାଙ୍କ ସ୍ମୃତିରୁ ଅନେକ କଥା କହିଥିଲେ। ପ୍ରହରାଜ ଅନେକ ସମୟରେ ମିଷ୍ଟର ଦାସଙ୍କଠାରୁ ପରାମର୍ଶ ନେଉଥିଲେ। ୧୯୧୨ ମସିହାରେ ପ୍ରହରାଜ ଯେତେବେଳେ ପୁରୀରେ ସରକାରୀ ଓକିଲ ଭାବରେ ନିଯୁକ୍ତି ପାଇଲେ ଏ ଖବର ଯାଇ ମିଷ୍ଟର ଦାସଙ୍କ ନିକଟରେ ପହଞ୍ଚିଲା। ସେ ପ୍ରହରାଜଙ୍କୁ ଡାକି କହିଲେ, “ଗୋପାଳ, ତୁମର ଏବେ ଓଡ଼ିଶାରେ ମୃତ୍ୟୁ ହୋଇଗଲା। ତୁମର ଏଣିକି ଧନ ବଢ଼ିପାରେ, ଖାତିର ବଢ଼ିପାରେ; ମାତ୍ର ଜାତି ପାଇଁ ଏବଂ ଉତ୍କଳ ଜନନୀ ପାଇଁ ତୁମେ କୌଣସି କାମରେ ଆସିବ ନାହିଁ”।

ସେତେବେଳେ ଇଂରେଜ ଅଫିସରମାନଙ୍କର ଓଡ଼ିଶା ସମ୍ପର୍କରେ ଖୁବ୍ ଗୋଟିଏ ନ୍ୟୁନ ଧାରଣା ଥିଲା। ସେମାନେ ଭାବୁଥିଲେ ଓଡ଼ିଆମାନେ କୌଣସି ସରକାରୀ ପଦପଦବୀ ବା ଉଚ୍ଚ ଚାକିରି ପାଇଁ ଯୋଗ୍ୟ ନୁହନ୍ତି। ମିଷ୍ଟର ଦାସ କିନ୍ତୁ ଏଥିପାଇଁ ଖୁବ୍ ଲଢ଼ିଥିଲେ। ତାଙ୍କରି ଯୋଗୁଁ ଓଡ଼ିଶାରୁ ଯେଉଁ ପ୍ରଥମ ବ୍ୟାଚ୍‌ର ଗ୍ରାଜୁଏଟ୍‌ମାନେ ବାହାରିଥିଲେ ସେମାନେ ସମସ୍ତେ ସରକାରୀ ଚାକିରିରେ ମୁକରିର ହୋଇଥିଲେ। ସେ କିନ୍ତୁ ଇଂରେଜମାନଙ୍କ ଅଧୀନରେ ସରକାରୀ ଚାକିରିରୁ ପସନ୍ଦ କରୁନଥିଲେ; ବରଂ ସ୍ୱାଧୀନ ଭାବରେ କିଛି କରି ଦେଶ ସେବାରେ ଆତ୍ମନିଯୋଗ କରିବାକୁ ପସନ୍ଦ କରୁଥିଲେ। ସେଇ କାରଣରୁ ଗୋପାଳଚନ୍ଦ୍ର ପ୍ରହରାଜ ଯେତେବେଳେ ସ୍ୱାଧୀନ ଓକିଲାତି ବୃତ୍ତି ଛାଡ଼ି ପୁରୀରେ ସରକାରୀ ଓକିଲ ଭାବରେ ନିଯୁକ୍ତ ହେଲେ ତାକୁ ସେ ପସନ୍ଦ କରି ନଥିଲେ।

ପ୍ରହରାଜ ସ୍କୁଲ ଓ କଲେଜର ଛାତ୍ର ଥିବାବେଳେ ମଧୁସୂଦନ ଦାସଙ୍କ ନାଆଁ ଶୁଣିଥିଲେ। କାରଣ ମଧୁବାବୁ ଗୋପାଳଚନ୍ଦ୍ର ପ୍ରହରାଜଙ୍କ ପିତା ନରସିଂହ ପ୍ରହରାଜଙ୍କ ଓକିଲ ଥିଲେ। ପ୍ରହରାଜ ପରିବାର ଥିଲା ଗୋଟିଏ ଜମିଦାର ପରିବାର। ଗୋପାଳଚନ୍ଦ୍ର ଯେତେବେଳେ ୧୯୦୩ ମସିହାରେ ଆଇନ ଡିଗ୍ରୀ ପାଇ କଟକ ବାର୍‌ରେ ଯୋଗ ଦେଲେ ସେତେବେଳେ ମିଷ୍ଟର ଦାସଙ୍କ ସହିତ ତାଙ୍କର ପରିଚୟ ହେଲା। ସେତେବେଳେ କଟକ ବାରରେ ସବୁ ଓକିଲ ପ୍ରାୟ ଥିଲେ ବଙ୍ଗାଳୀ। ମିଷ୍ଟର ଦାସ ଏବଂ ପ୍ରହରାଜ ଦୁଇ ଜଣ ଓଡ଼ିଆ ଓକିଲ ହୋଇଥିବାରୁ ପରସ୍ପର ଖୁବ୍ ନିକଟବର୍ତ୍ତୀ ହୋଇଥିଲେ। ମିଷ୍ଟର ଦାସଙ୍କର ପ୍ରହରାଜଙ୍କ ପ୍ରତି ଅତ୍ୟଧିକ ଶ୍ରଦ୍ଧା ଥିଲା।

ପ୍ରହରାଜଙ୍କ ଉଲ୍ଲେଖ ଅନୁଯାୟୀ ମିଷ୍ଟର ଦାସଙ୍କର ସ୍ମରଣଶକ୍ତି ଅତ୍ୟନ୍ତ ତୀକ୍ଷ୍ଣ ଥିଲା। କୋଉ ଆଇନର କୋଉ ଦଫା, କୋଉ ବହିର କେତେ ପୃଷ୍ଠାରେ ଅଛି ତାହା ସେ ତତକ୍ଷଣାତ୍ କହି ଦେଉଥିଲେ। କଚେରୀରେ କୌଣସି ପୁରୁଣା କେସ୍‌ର ନଜିର ମଧ୍ୟ ଦେବାକୁ ସେ ତୁଣ୍ଡେ ତୁଣ୍ଡେ ବହିର ପୃଷ୍ଠା ସୂଚାଇ ଦେଉଥିଲେ। ନିଜ ଘରେ ଥିବା ଆଇନ୍ ବହିଗୁଡ଼ିକ କେଉଁ କ୍ରମରେ କେଉଁ ଆଲମାରିରେ ଅଛି ତାହା ଯେପରି ତାଙ୍କ ଆଙ୍ଗୁଠି ଅଗରେ ଥିଲା। ଧଡ଼ଧାଡ଼ ଉଠି ଦରକାରୀ ବହିଟିକୁ ଥାକରୁ ଟାଣି ଆଣି ସେଇ ପୃଷ୍ଠାଟିକୁ ଖୋଲି ଦେଉଥିଲେ ବା ଖୋଲିବା ପାଇଁ ଜୁନିଅରଙ୍କୁ ନିର୍ଦ୍ଦେଶ ଦେଉଥିଲେ। ଥରେ ପ୍ରହରାଜ ମିଷ୍ଟର ଦାସଙ୍କ ଘରେ ବସିଥିବା ବେଳେ ଦେଖିଲେ ଆକାଶରେ ମେଘ ଉଠାଇଛି। ସେଇ ମେଘ ଭିତରେ ଦଳେ ବଗ ଧାଡ଼ି ବାନ୍ଧି ଉଡି ଯାଉଛନ୍ତି।  ଦୃଶ୍ୟଟି ଥିଲା ବେଶ୍ ମନୋମୁଗ୍ଧକର। ପ୍ରହରାଜ ସେଇ ଦୃଶ୍ୟଟି ପ୍ରତି ମଧୁସୂଦନଙ୍କ ଦୃଷ୍ଟି ଆକର୍ଷଣ କରନ୍ତେ ସେ ଖୁବ୍ ଉଲ୍ଲସିତ ହୋଇଉଠିଲେ ଏବଂ ଉପେନ୍ଦ୍ର ଭଞ୍ଜଙ୍କର ବର୍ଷା ବର୍ଣ୍ଣନା ଥିବା ଗୋଟିଏ ପୂରା ଛାନ୍ଦଟିକୁ ଗାଇବାକୁ ଲାଗିଲେ। ସେ କହିଲେ ଏଇ ଛାନ୍ଦଟିକୁ ସେ ଗ୍ରାମ ଚାଟଶାଳୀରେ ଛୋଟ ପିଲା ଥିବାବେଳେ ପଢ଼ିଥିଲେ। ପିଲାଦିନେ ପଢ଼ିଥିବା ଗୋଟିଏ ଛାନ୍ଦ ସେ ଆଜି ପର୍ଯ୍ୟନ୍ତ କିପରି ନିଖୁଣ ଭାବେ ମନେ ରଖିଛନ୍ତି ଏକଥା ଦେଖି ପ୍ରହରାଜ ଖୁବ୍ ଆଶ୍ଚର୍ଯ୍ୟ ହୋଇଗଲେ।

ମିଷ୍ଟର ଦାସ ଯେମିତି ଦୟାଳୁ ଓ ହୃଦୟବାନ୍ ଥିଲେ ଅପରର ଦୁଃଖ ଓ ଅଭାବରେ ତାକୁ ସାହାଯ୍ୟ କରିବାରେ ଥିଲେ ସେତିକି ଉଦାର। ପ୍ରହରାଜ ଲେଖିଛନ୍ତି, “ସେ ଯେତେବେଳେ ବିମର୍ଷ ଥିବାର ଦେଖନ୍ତି, ମିଷ୍ଟର ଦାସ ଅନୁମାନ କରିନିଅନ୍ତି ଯେ ସେ କୌଣସି ଅସୁବିଧାରେ ପଡ଼ିଛନ୍ତି ବା ଅଭାବରେ ଅଛନ୍ତି। ସେ ତତ୍‌କ୍ଷଣାତ୍‌ ତାଙ୍କ ଲୁହା ସିନ୍ଦୁକ ଖୋଲି କିଛି ନୋଟ୍ ବାହାର କରି ଧରାଇ ଦିଅନ୍ତି। ମନା କରିବା ପାଇଁ ସେ ମୋତେ ସୁଯୋଗ ଦିଅନ୍ତି ନାହିଁ”।

ମଧୁବାବୁ କୌଣସି ମଫସଲ କୋର୍ଟକୁ ମକଦ୍ଦମା ଲଢ଼ିବାକୁ ଗଲାବେଳେ ପ୍ରହରାଜଙ୍କୁ ନିଜର ଜୁନିଅର ଭାବରେ ସାଙ୍ଗରେ ନିଅନ୍ତି। ଗୋଟିଏ ବଙ୍ଗଳାରେ ଦୁହେଁ ଏକାଠି ରହନ୍ତି। ପ୍ରହରାଜଙ୍କର ଖିଆପିଆ ଇତ୍ୟାଦିରେ ଯେପରି ଟିକିଏ ଦେଲେ ଅସୁବିଧା ନ ରହେ ସେଥିପ୍ରତି ସେ ସତର୍କ ଥାଆନ୍ତି। ଅଥଚ ସେ ନିଜେ ଖାଆନ୍ତି କଅଣ? ଜୀବନ ସାରା ସେ ଅଲ୍‌ସର୍‌ ରୋଗରେ ପୀଡ଼ିତ ଥିଲେ। ସେଥିପାଇଁ ସେ ଗୋଟିଏ ବୋତଲରେ ଗରମ ପାଣି ପୂରାଇ ସାଙ୍ଗରେ ନେଉଥିଲେ। ପେଟରେ କଷ୍ଟ ହେଲେ ସେଇ ପାଣି ବୋତଲକୁ ପେଟରେ ଚାପି ଦେଉଥିଲେ। ଖାଉଥିଲେ ମାତ୍ର କେଇ ଚାମଚ ଭାତ, ତା’ ସହିତ ଗୋଟିଏ ସିଝା ବାଇଗଣ ଓ କପେ ପାଣି ମିଶା କ୍ଷୀର। ସାରାଦିନ ଏତିକି ମାତ୍ର ଖାଇ ରହି ଯାଉଥିଲେ। ତଥାପି ସେ ହାଡୁଆ ଦେହରେ ଏତେ ଶକ୍ତି କେଉଁଠୁ ଆସୁଥିଲା?

ପ୍ରହରାଜଙ୍କ ବାପା ଥରେ ମିଷ୍ଟର ଦାସଙ୍କଠାରୁ କିଛି ଟଙ୍କା ଧାର ନେଇଥିଲେ। ପ୍ରହରାଜ ତାଙ୍କର ଜୁନିଅର ଭାବରେ ଯୋଗ ଦେବା ପରେ ବାପା ସୁଧ ସହ ସେଇ ଟଙ୍କା ତାଙ୍କ ହାତରେ ଫେରାଇ ଦେଲେ। ମିଷ୍ଟର ଦାସ ଟଙ୍କାତକ ନେଇ ପ୍ରାପ୍ତି ସ୍ୱୀକାର ସୂଚକ ରସିଦଟିଏ ଲେଖିଦେଲେ। ତା’ ପରେ ସେହି ରସିଦ ସହିତ ସୁଧମୂଳ ସମସ୍ତ ଟଙ୍କା ପ୍ରହରାଜଙ୍କ ହାତରେ ଧରାଇଦେଇ କହିଲେ, “ନିଅ, ଏ ଟଙ୍କା ନିଜେ ରଖ। ତୁମେ ଏବେ ଓକିଲାତି ଆରମ୍ଭ କରୁଛ। ତୁମର ଆୟ ବହୁତ କମ୍। ଏ ଟଙ୍କା ତୁମର ଦରକାରରେ ଆସିବ”।

ମିଷ୍ଟର ଦାସଙ୍କର ଉଦାରତାର ଏଇଭଳି ବହୁ ଉଦାହରଣ ଅଛି। ଅର୍ଥ ଉପାର୍ଜନ କରିବାରେ ତାଙ୍କର ଯେପରି ସୀମା ନଥିଲା, ମୁକ୍ତ ହସ୍ତରେ କାହାକୁ ସାହାଯ୍ୟ କରିବାରେ ମଧ୍ୟ ସେଇଭଳି କୌଣସି ସୀମା ନଥିଲା। ଶେଷରେ ଜୀବନରେ ଦେବାଳିଆ ହୋଇଯିବା ପରେ ତାଙ୍କ ମନରେ କୌଣସି ଗ୍ଲାନି ନଥିଲା କିମ୍ବା ଅନୁତାପ ନ ଥିଲା। ପ୍ରଚଣ୍ଡ ସ୍ୱାଭିମାନ ସହିତ ତାଙ୍କର ପ୍ରଚଣ୍ଡ ଈଶ୍ୱର ବିଶ୍ୱାସ ଥିଲା। ତେଣୁ ସବୁ ସେଇ ଈଶ୍ୱରଙ୍କ ଇଛା ଉପରେ ହିଁ ଛାଡ଼ି ଦେଇଥିଲେ।

(ସୌଜନ୍ୟ – ଉତ୍କଳ ଗୌରବ- ୨୦୧୭)

Comment