ସୁରସିଂହ ପଟ୍ଟନାୟକ
ଜାତୀୟଗୌରବ ମଧୁସୂଦନ ଦାସ ଭାରତୀୟମାନଙ୍କୁ ଅର୍ଥନୈତିକ ଓ ରାଜନୈତିକ ଶୋଷଣରୁ ଉଦ୍ଧାର କରିବା ପାଇଁ, ଶ୍ୱେତାଙ୍ଗ ବ୍ରିଟିଶ ପ୍ରଶାସନର ଶ୍ୱେତ ସାମ୍ରାଜ୍ୟବାଦ ବିପକ୍ଷରେ ଯେପରି ସଂଗ୍ରାମ ସଞ୍ଚାଳିତ କରିଥିଲେ, ସେହିପରି ପଡ଼ୋଶୀ ପ୍ରଦେଶର ମାଟିଆରଙ୍ଗର ଭାରତୀୟ ନେତୃବର୍ଗଙ୍କର ଓଡ଼ିଆଭାଷୀ ଅଞ୍ଚଳକୁ ବିଚ୍ଛିନ୍ନ ଓ ବିଖଣ୍ଡିତ କରି ରଖିବା ପାଇଁ ମାଟିଆ ସାମ୍ରାଜ୍ୟବାଦର ଚକ୍ରାନ୍ତ ବିରୁଦ୍ଧରେ ଜୀବନର ଶେଷମୁହୂର୍ତ୍ତ ପର୍ଯ୍ୟନ୍ତ ସଂଘର୍ଷ ଜାରି ରଖିଥିଲେ।
ନବ ଓଡ଼ିଶା ପ୍ରଦେଶ ଗଠନର ଇତିହାସ ଏପର୍ଯ୍ୟନ୍ତ ଯେପରି ଅସଙ୍କଳିତ, ଆଉ ସେହିପରି ରହିଯାଇଛି ସଂଶୟ ବିଜଡ଼ିତ, ଆଉ ରହସ୍ୟାବୃତ୍ତ। ସ୍ୱତନ୍ତ୍ର ଓଡ଼ିଶାର ସ୍ଥାପନା କ୍ଷେତ୍ରରେ ଓଡ଼ିଆମାନଙ୍କୁ ବ୍ରିଟିଶ ପ୍ରଶାସନର ନିର୍ଯାତନା ଆଉ ଶୋଷଣ ବିରୁଦ୍ଧରେ ଯେଉଁପରି ସଂଗ୍ରାମ ସଞ୍ଚାଳିତ କରିବାକୁ ପଡ଼ୁଥିଲା, ତାହାଠାରୁ ଅଧିକ ପରିମାଣରେ ସଂଘର୍ଷ ସଂଯୋଜିତ କରିବାକୁ ପଡ଼ୁଥିଲା, ପଡ଼ୋଶୀ ପ୍ରଦେଶର ନେତୃବର୍ଗ ବିପକ୍ଷରେ ଯେଉଁମାନେ ତାହାଙ୍କର ଅଧିନରେ ଥିବା ବିଭାଜିତ ଓଡ଼ିଆଭାଷୀ ବିଚ୍ଛିନ୍ନ ଅଞ୍ଚଳକୁ ସେମାନଙ୍କର ବଶମ୍ବଦ ଆଉ ଆଜ୍ଞାବହ ଉପନିବେଶରେ ପରିଣତ କରି ଦାସତ୍ୱର ବନ୍ଧନରେ ନିବଦ୍ଧ କରିଥିଲା।
ନବଓଡ଼ିଶାର ଅନ୍ୟତମ ବିନ୍ଧାଣୀ ଭୁବନାନନ୍ଦ ଦାସ ଏମ୍.ପି.ଙ୍କର ଅନୁଶୀଳନର ଆଧାରରେ ଜାତୀୟଗୌରବ ମଧୁସୂଦନ ଦାସ, ଭାରତୀୟମାନଙ୍କୁ ଅର୍ଥନୈତିକ ଓ ରାଜନୈତିକ ଶୋଷଣରୁ ଉଦ୍ଧାର କରିବା ପାଇଁ, ଶ୍ୱେତାଙ୍ଗ ବ୍ରିଟିଶ ପ୍ରଶାସନର ଶ୍ୱେତ ସାମ୍ରାଜ୍ୟବାଦ ବିପକ୍ଷରେ ଯେପରି ସଂଗ୍ରାମ ସଞ୍ଚାଳିତ କରିଥିଲେ, ସେହିପରି ପଡ଼ୋଶୀ ପ୍ରଦେଶର ମାଟିଆରଙ୍ଗର ଭାରତୀୟ ନେତୃବର୍ଗଙ୍କର ଓଡ଼ିଆଭାଷୀ ଅଞ୍ଚଳକୁ ବିଚ୍ଛିନ୍ନ ଓ ବିଖଣ୍ଡିତ କରି ରଖିବା ପାଇଁ ମାଟିଆ ସାମ୍ରାଜ୍ୟବାଦର ଚକ୍ରାନ୍ତ ବିରୁଦ୍ଧରେ ଜୀବନର ଶେଷମୁହୂର୍ତ୍ତ ପର୍ଯ୍ୟନ୍ତ ସଂଘର୍ଷ ଜାରି ରଖିଥିଲେ।
ମଧୁସୂଦନ ଦାସ ୧୮୯୮ ସାଲରେ ବ୍ରିଟିଶ ପ୍ରଶାସନର ଶ୍ୱେତ ସାମ୍ରାଜ୍ୟବାଦର ନିଷ୍ପେଷଣର ବିରୁଦ୍ଧରେ ବଙ୍ଗୀୟ ଯୁବକମାନଙ୍କୁ ସରଳା ଦେବୀ ଚୌଧୁରାଣୀ, ବିଭୁତିଭୂଷଣ ଦତ୍ତରାୟ ଆଦିଙ୍କର ମାଧ୍ୟମରେ ଉଗ୍ରବାଦୀ ଭୂମିକାରେ ଅବତୀର୍ଣ୍ଣ କରାଇଥିଲେ, ଯେଉଁମାନଙ୍କ ସହିତ ଋଷି ଶ୍ରୀ ଅରବିନ୍ଦ ପରବର୍ତ୍ତୀ କାଳରେ ବୈପ୍ଳବିକ ଭୂମିକାରେ ସଂଯୋଜିତ ହୋଇଥିଲେ।
ସେହିପରି ମଧୁସୂଦନ, ସମଗ୍ର ଭାରତରେ ସର୍ବପ୍ରଥମେ ୧୯୦୦ସାଲଠାରୁ ବିଦେଶୀ ବର୍ଜନ ଓ ସ୍ୱଦେଶୀ ନିୟୋଜନ କ୍ଷେତ୍ରରେ ଅବତୀର୍ଣ୍ଣ ହୋଇ ପଣ୍ଡିତ ନୀଳକଣ୍ଠ ଦାସଙ୍କର ବକ୍ତବ୍ୟ ଅନୁସାରେ ଉଦଗ୍ର ଶପଥ ପାଠ ମାଧ୍ୟମରେ ଦେଶକୁ ଅଭିମନ୍ତ୍ରିତ କରିଥିଲେ। ଏତଦ୍ ବ୍ୟତୀତ ୧୯୧୩ରୁ ୧୯୧୬ ସାଲ ମଧ୍ୟରେ ମଧୁସୂଦନ, କେନ୍ଦ୍ର ଇମ୍ପିରିୟାଲ କାଉନସିଲର ସଦସ୍ୟ ରୂପେ ବ୍ରିଟିଶ ତଥା ୟୁରୋପୀୟ ଶିଳ୍ପୀକରଣ କାର୍ଯ୍ୟକ୍ରମକୁ ଭାରତର ରକ୍ତ ଶୋଷଣ ପ୍ରକ୍ରିୟା ବୋଲି ବଜ୍ର ନିର୍ଘୋଷ କଣ୍ଠରେ ଆଖ୍ୟାୟିତ କରି, ବହୁ ହଜାର ମାଇଲ ଦୂରରେ କାର୍ଯ୍ୟରତ ୟୁରୋପୀୟ ଶିଳ୍ପ, ଭାରତକୁ ନିଃଶେଷିତ କରୁଥିଲା ବୋଲି ଉଗ୍ର କଟୁକ୍ତି ମାଧ୍ୟମରେ ତିରସ୍କାର କରୁଥିଲେ।
ଆଜି ଏକବିଂଶ ଶତାବ୍ଦୀରେ ଅନ୍ୟ ପ୍ରକ୍ରିୟା ମାଧ୍ୟମରେ ବୋଧହୁଏ ଏହାର ପୁନରାବୃତ୍ତି ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ୧୮୬୬ ସାଲର ନଅଙ୍କ ଦୁର୍ଭିକ୍ଷର କରାଳଗ୍ରାସ ପରେ ଇଂଲଣ୍ଡରେ ଭାରତ ସଚିବ ସାର ଷ୍ଟାଫୋଡର଼୍ ନର୍ଥକୋଟ ୨.୮.୧୮୬୬ରେ ବିଖଣ୍ଡିତ ଓଡ଼ିଆ ଭାଷା ଅଞ୍ଚଳର ମିଶ୍ରଣରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ସ୍ଥାପନା ପାଇଁ ସ୍ୱୀକୃତି ପ୍ରଦାନ କରିଥିଲେ। ମାତ୍ର ପରବର୍ତ୍ତୀ ପର୍ଯ୍ୟାୟରେ ୧୮୭୪ ସାଲରେ ଆସାମ ଓ ପରେ ଉତ୍ତର ପଶ୍ଚିମ ସୀମାନ୍ତ ପ୍ରଦେଶ ନିରାପତ୍ତାର ସୁରକ୍ଷା ଦୃଷ୍ଟିରୁ ଗଠିତ ହୋଇଥିଲେ ମଧ୍ୟ ପଡ଼ୋଶୀ ପ୍ରଦେଶମାନଙ୍କର ନେତୃବର୍ଗଙ୍କର ତୀବ୍ର ମାଟିଆ ସାମ୍ରାଜ୍ୟବାଦର ବିରୋଧ ଯୋଗୁଁ ଓଡ଼ିଶା ପ୍ରଦେଶର ସ୍ଥାପନା ଆକାଶ କୁସୁମରେ ପରିଣତ ହୋଇଥିଲା। ଏଥିଲାଗି ମଧୁସୂଦନ ୧୮୯୭ସାଲରେ ଲଣ୍ଡନରେ ଭାରତର ସଚିବ ଜର୍ଜ ହାମିଲଟନଙ୍କ ସହିତ ସାକ୍ଷାତ କରିଥିଲେ।
ପରେ ୧୯୦୦ ସାଲ ଅକ୍ଟୋବର ତୃତୀୟ ସପ୍ତାହରେ ଭାରତର ବଡ଼ଲାଟ୍ ଲଡର଼୍ କର୍ଜନଙ୍କର ସିମଲାଠାରେ ଓ ୧୬.୧୨.୧୯୦୦ରେ ପୁରୀ ଓ ଭୁବନେଶ୍ୱର ମନ୍ଦିର ମାଳିନୀ ନଗରୀରେ ମଧୁସୂଦନଙ୍କର ସହିତ ସାକ୍ଷାତକର ଓ ପରେ ବହୁବାର ଦାବୀ ଉପସ୍ଥାପନା ଫଳରେ ଭାରତୀୟ ପ୍ରଦେଶର ପୁନର୍ଗଠନ ଓ ଓଡ଼ିଆଭାଷୀ ଅଞ୍ଚଳର ମିଶ୍ରଣ ଲାଗି ବଡ଼ଲାଟ ଲଡର଼୍ କର୍ଜନ ୩.୧୨.୧୯୦୩ରେ ରିସଲେ ଘୋଷଣାନାମା ନାମକ ଏକ ସର୍କୁଲାର ପ୍ରଚାରିତ କରିଥିଲେ। ଧରଣୀଧର ମିଶ୍ର ଓ ସ୍ୱଭାବକବି ଗଙ୍ଗାଧର ମେହେରଙ୍କର ନେତୃତ୍ୱରେ ଓଡ଼ିଶାର ପଶ୍ଚିମାଞ୍ଚଳ ଭାଷା ସଂଗ୍ରାମର ଭୂମିକା ଏଥିଲାଗି ଅନସ୍ୱୀକାର୍ଯ୍ୟ।
ଏହି ସମସ୍ତ ଫଳରେ ୧୬.୧୦.୧୯୦୫ରେ ସମ୍ବଲପୁର ଜିଲ୍ଲା ଓ ପାଞ୍ଚଗୋଟି ଗଡ଼ଜାତ ମଧ୍ୟପ୍ରଦେଶରୁ, ଆଉ ଅନ୍ୟପକ୍ଷରେ ବିହାର ଛୋଟନାଗପୁର ଡିଭିଜନରୁ ଗାଙ୍ଗପୁର ଓ ବଣେଇ ଗଡ଼ଜାତମାନ ଓଡ଼ିଶା ଡିଭିଜନରେ ମିଶିଥିଲା। ମାତ୍ର ମାଡ୍ରାସ ପ୍ରଦେଶର ଭାରତୀୟ ନେତୃବର୍ଗଙ୍କର ତୀବ୍ର ମାଟିଆ ସାମ୍ରାଜ୍ୟବାଦର ପ୍ରୟୋଗ ଓ ସେହିପରି ମାଡ଼୍ରାସ ପ୍ରେସିଡେ଼ନସିର ବ୍ରିଟିଶ ପ୍ରଶାସନର ଶ୍ୱେତ ସାମ୍ରାଜ୍ୟବାଦର ପ୍ରବର୍ତ୍ତନା ଫଳରେ ନାଗାବଳୀ ନଦୀ ପର୍ଯ୍ୟନ୍ତ ପରିବ୍ୟାପ୍ତ ବୃହତ ଗଞ୍ଜାମ ଜିଲ୍ଲା ଓ ଜୟପୁର ଜମିଦାରୀର ମିଶ୍ରଣ, ଓଡ଼ିଶା ଡିଭିଜନ ସହିତ ସମ୍ଭବପର ହୋଇନଥିଲା।
ପରବର୍ତ୍ତୀ ପର୍ଯ୍ୟାୟରେ ମଧୁସୂଦନଙ୍କର ଅଧିନାୟକତ୍ୱରେ ଓଡ଼ିଶାର ଗଡ଼ଜାତ ରାଜ ପ୍ରତିନିଧିଙ୍କର ୧୫.୦୪.୧୯୨୮ ରେ ବଟଲାର କମିଟି ସମ୍ମୁଖରେ ବମ୍ବେଠାରେ, ଛୋଟନାଗପୁର ଓଡ଼ିଆ ଗଡ଼ଜାତ ଦ୍ୱୟ ଷଢେ଼ଇକଳା ଓ ଖରସୁଆଁର ଓଡ଼ିଶା ସହିତ ମିଶ୍ରଣର ଦାବୀ ଉପସ୍ଥାପନ ପରେ ୧୯୩୩-୩୪ସାଲରେ ଏହାର ଓଡ଼ିଶା ସହିତ ମିଶ୍ରଣ ହୋଇଥିଲା। ଏହାଛଡ଼ା ମଧୁସୂଦନଙ୍କର ପ୍ରବର୍ତ୍ତନାରେ ବ୍ରଜସୁନ୍ଦର ଦାସ କନିକାର ରାଜା ଓ ଲକ୍ଷ୍ମୀଧର ମହାନ୍ତିଙ୍କ ନେତୃତ୍ୱରେ ଓଡ଼ିଆ ପ୍ରତିନିଧି ଦଳଙ୍କର ସାଇମନ୍ କମିଶନଙ୍କ ସହିତ ୧୨.୧୨.୧୯୨୮ ପାଟନା ରେଳଷ୍ଟେସନଠାରେ ଦାବୀ ଉପସ୍ଥାପନା ଓ ପାରଳାଖେମୁଣ୍ଡି ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କର ୧୬.୧.୧୯୩୧ରେ ଲଣ୍ଡନଠାରେ ପ୍ରଥମ ଗୋଲଟେବୁଲ ବୈଠକରେ ସାକ୍ଷ୍ୟ ପ୍ରଦାନ ପରେ ୧୮.୯.୧୯୩୧ରେ ସାମୁଏଲ ଓଡେନାଲଙ୍କ ନେତୃତ୍ୱରେ ଓଡ଼ିଶା ପ୍ରଦେଶ ସୀମା ନିର୍ଦ୍ଧାରଣ କମିଟି ଗଠିତ ହେଲା।
ଏହି କମିଟିରେ ଓଡେନାଲଙ୍କ ଛଡ଼ା ଏଚ୍.ଏମ୍. ମେହେଟା, ଟି.ଆର୍.ଫୁକନ୍ ସଦସ୍ୟ, ଆଉ ବିହାର ପକ୍ଷରୁ ସଚ୍ଚିଦାନନ୍ଦ ସିହ୍ନା, ମାଡ଼୍ରାସପକ୍ଷରୁ ସି.ଭି.ଏସ୍. ନାରାୟଣ ରାଜୁ, ଓଡ଼ିଶା ପକ୍ଷରୁ ପାରଳା ମହାରାଜା ପ୍ରତିନିଧିତ୍ୱ କରିଥିଲେ। ଏହି କମିଟି ୭.୧୧.୧୯୩୧ରେ ପାଟନାଠାରେ କାର୍ଯ୍ୟ ଆରମ୍ଭ କରି କ୍ରମାନ୍ୱୟରେ ଜାମ୍ସେଦପୁର, ଚାଇଁବସା, ସମ୍ବଲପୁର, ରାୟପୁର, ମେଦିନୀପୁର, ଗୋପାଳପୁର, ୱାଲଟିଆର, କାକିନାଡ଼ା ଓ ଶେଷରେ କଟକ ପରିଦର୍ଶନ କରି ୪୧୦ବ୍ୟକ୍ତିଙ୍କ ଠାରୁ ଗ୍ରହଣକରି ତାହାଙ୍କର ଅନୁସନ୍ଧାନ ୧୮.୧.୧୯୩୨ରେ ସମାପ୍ତ କରିଥିଲେ।
ଏହି ଅନୁସନ୍ଧାନରେ ଭାଗ ନେଇଥିବା ଭୁବନାନନ୍ଦ ଦାସ ପାର୍ଲାମେଣ୍ଟ ସଦସ୍ୟ ୩୦.୧୨.୧୯୩୧ରେ ନବୀନ ପତ୍ରିକାରେ ପ୍ରକାଶିତ ସ୍ୱତନ୍ତ୍ର ନିବନ୍ଧରେ ଦର୍ଶାଇଛନ୍ତି ଯେ, ‘ସୀମା କମିଶନର ଅନୁସନ୍ଧାନ ବେଳେ ଓଡ଼ିଆଙ୍କର ବିପକ୍ଷରେ ପଡ଼ୋଶୀ ପ୍ରଦେଶର ନେତୃବର୍ଗ ଉଗ୍ର ମାଟିଆ ସାମ୍ରାଜ୍ୟବାଦ ପ୍ରଦର୍ଶନ କରିଥିଲେ। ଏପରିକି ବିହାର କଂଗ୍ରେସର ନିଷେଧାତ୍ମକ ଆଦେଶପରେ ପଣ୍ଡିତ ନୀଳକଣ୍ଠ ଦାସ ୧୦.୧. ୧୯୩୨ରେ ରାଞ୍ଚିଠାରେ ଓଡେ଼ନାଲ କମିଟି ସମ୍ମୁଖରେ ତାହାଙ୍କର ସାକ୍ଷ୍ୟ ପ୍ରଦାନ କରିପାରି ନଥିଲେ। ’
ଏପରିକି ମହାତ୍ମାଗାନ୍ଧୀଙ୍କର ଅକୁଣ୍ଠ ସମର୍ଥନ ସତ୍ତ୍ୱେ ୧୯୨୮ଡିସେମ୍ବରରେ ଅନୁଷ୍ଠିତ କଲିକତା କଂଗ୍ରେସରେ ସିନ୍ଧ ଓ କର୍ଣ୍ଣାଟକ ପ୍ରଦେଶ ଗଠନକୁ ସମର୍ଥନ ଦିଆଯାଇଥିଲେ ମଧ୍ୟ ଓଡ଼ିଶା ପ୍ରଦେଶ ଗଠନ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା। ଏଣୁ ସମଗ୍ର ଭାରତୀୟ ନେତୃବର୍ଗଙ୍କର ତୀବ୍ର ବିରୋଧ ଯୋଗୁଁ, ଓଡ଼ିଆମାନଙ୍କୁ ଓଡ଼ିଶା ପ୍ରଦେଶ ଗଠନ ଲାଗି ନିଜର ଶିଙ୍ଗରେ ନିଜେ ମାଟି ଖୋଳିବାକୁ ପଡ଼ିଥିଲା।
ଭୁବନାନନ୍ଦ ଦାସ ତାହାଙ୍କର ନିବନ୍ଧରେ ଉଲ୍ଲେଖ କରିଛନ୍ତି ଯେ ମାଡ଼୍ରାସ ପ୍ରଦେଶର ନେତୃବର୍ଗ ଏହି ପରିଦର୍ଶନ ବେଳେ ଦାବୀ କରିଥିଲେ ଯେ, ‘ଆମେ ଓଡ଼ିଶା ପ୍ରଦେଶ ଗଠନକୁ ବିରୋଧ କରୁ, ଏହାକୁ ପ୍ରତ୍ୟାଖ୍ୟାନ କରାଯାଉ।’ ପୁଣି ସେମାନେ ସୂଚାଇଥିଲେ ଯେ, ‘ଗଞ୍ଜାମ ଜିଲ୍ଲା ଓ ଜୟପୁର ଜମିଦାରୀ ନିଅଣ୍ଟିଆ ଅଞ୍ଚଳ ଥିବାରୁ ତାହାକୁ ପ୍ରସ୍ତାବିତ ଓଡ଼ିଶା ପ୍ରଦେଶ ସହିତ ସଂଯୁକ୍ତ କରାନଯାଉ।’
ଉପସଂହାରରେ ଭୁବନାନନ୍ଦ ଦାସ ଲେଖିଥିଲେ ‘ମେଦିନପୁରର ବିରେନ ସାସମଲ ମାନେ, ମାଡ୍ରାସ ପ୍ରଦେଶର ନରସିଂହ ରାଜୁମାନେ ଓ ବିହାର ପ୍ରଦେଶର ପ୍ରସାଦମାନେ ଏକ ପକ୍ଷରେ ବ୍ରିଟିଶ ପ୍ରଶାସନର ଶ୍ୱେତ ସାମ୍ରାଜ୍ୟବାଦ ବିରୁଦ୍ଧରେ ଉଗ୍ର ସଂଗ୍ରାମ ସଞ୍ଚାଳିତ କରୁଥିବା ବେଳେ, ସେମାନେ ବିଚ୍ଛିନ୍ନ ଓଡ଼ିଆଭାଷୀ ଅଞ୍ଚଳ ପ୍ରତି ମାଟିଆ ସାମ୍ରାଜ୍ୟବାଦର ଉଗ୍ର ଶୋଷଣ ପ୍ରକ୍ରିୟାକୁ ଜାରି ରଖି ଦାସତ୍ୱ ବନ୍ଧନରେ ଆବଦ୍ଧ କରିଛନ୍ତି।’
ସୀମା ନିର୍ଦ୍ଧାରଣ କମିଟି, ତାଙ୍କର ପରିଦର୍ଶନରେ ଶେଷ ପର୍ଯ୍ୟାୟରେ ୧୯୩୨ସାଲର ପ୍ରଥମ ସପ୍ତାହରେ କଟକରେ ଅବସ୍ଥାନ କରି, ମଧୁସୂଦନ ଦାସ ପ୍ରମୁଖ ଓଡ଼ିଆ ଜାତୀୟବାଦୀ ନେତୃବର୍ଗଙ୍କଠାରୁ ସାକ୍ଷ୍ୟ ଗ୍ରହଣ କରିଥିଲେ ଏବଂ ବିଦାୟର ଶେଷ ବେଳରେ ମଧୁସୂଦନ ଦାସ ଓଡେନାଲ କମିଟିକୁ ନିଜର ବାସଭବନରେ ଏକ ଭବ୍ୟ ଉଦ୍ୟାନ ମିଳନୀରେ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜଣାଇଥିଲେ।
ଓଡେନାଲ କମିଟି ରିପୋର୍ଟ ୧୯୩୨ସାଲର ଜୁନ୍ ପ୍ରଥମ ସପ୍ତାହରେ ପ୍ରକାଶ ପାଇଲା, ଯହିଁରେ ଖଡ଼ିଆଳ ଜମିଦାରୀ, ଗଞ୍ଜାମର ପାରଳାଖେମୁଣ୍ଡି ସମେତ ବହୁ ଅଞ୍ଚଳ ବାଦଦେଇ ଜୟପୁର ଜମିଦାରୀ ସଂଯୁକ୍ତ ରହିଥିଲା। ପରିଣାମରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶର ଆୟତନ ୩୩,୦୦୦ ବର୍ଗ ମାଇଲ ଆଉ ଜନସଂଖ୍ୟା ୮୨,୦୦,୦୦୦ରେ ସ୍ଥିରୀକୃତ ହୋଇଥିଲା। ଏଥିରେ ସିଂହଭୂମି, ମଞ୍ଜୁଷା, ଟିକାଲୀ ଆଦି ବହୁ ଅଞ୍ଚଳ ବାଦ ପଡ଼ିଥିଲା। ଭୁବନାନନ୍ଦ ଦାସ ଇଂଲଣ୍ଡର ଗ୍ଲାସଗୋଠାରେ ଇଞ୍ଜିନିୟରିଂ ଅଧ୍ୟୟନ କରିବା ସହିତ ଇଂଲଣ୍ଡର ବିଭିନ୍ନ ଅଞ୍ଚଳ ସହିତ ପରିଚିତ ଥିଲେ।
ତୃତୀୟ ଗୋଲଟେବୁଲ ବୈଠକରେ ଖଲିକୋଟ ରାଜା ରାମଚନ୍ଦ୍ର ମର୍ଦ୍ଧରାଜଙ୍କର ସହ ଭୁବବାନନ୍ଦ ଦାସ ୭.୧୨.୧୯୩୨ରେ ସାକ୍ଷ୍ୟ ପ୍ରଦାନ କରିଥିଲେ। ପରିଣାମରେ ୨୪.୧୨.୧୯୩୨ରେ ଗୋଲଟେବୁଲ ବୈଠକର ଶେଷଦିବସରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଉଦ୍ଘୋଷିତ ହୋଇଥିଲା। ମାତ୍ର ଓଡ଼ିଶା ପ୍ରଦେଶର ଗଠନର ଶେଷପର୍ଯ୍ୟାୟଟି ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ଓ ଦୁଃଖଦ ଥିଲା। ଓଡ଼ିଆ ନେତୃବର୍ଗଙ୍କ ସହିତ ଆନ୍ଧ୍ର ନେତୃବର୍ଗ ତିନିଗୋଟି ଗୋଲଟେବୁଲ ବୈଠକରେ ଯୋଗଦାନ କରି ସ୍ୱତନ୍ତ୍ର ଆନ୍ଧ୍ରପ୍ରଦେଶ ଗଠନର ଦାବୀ ଉଠାଇଥିଲେ। ଏହାର ପରେ ୧୮.୩.୩୩ରେ ବ୍ରିଟିଶ ସରକାରଙ୍କ ପକ୍ଷରୁ ଯେଉଁ ଶ୍ୱେତପତ୍ର ପ୍ରକାଶ ପାଇଲା, ସେଥିରେ ସମ୍ଭାବ୍ୟ ଓଡ଼ିଶା ପ୍ରଦେଶରୁ ଜୟପୁର ଜମିଦାରୀ ଓ ପାରଳାଖେମୁଣ୍ଡି ଜମିଦାରୀ ବାଦ ଦିଆଯାଇଥିଲା ଏବଂ ଓଡ଼ିଶା ପ୍ରଦେଶର ଆୟତନ ୩୩,୦୦୦ବର୍ଗମାଇଲରୁ ହ୍ରାସ ପାଇ ମାତ୍ର ୨୧,୫୪୫ବର୍ଗ ମାଇଲରେ ସୀମିତ ରହିଲା।
ଅନ୍ୟଅର୍ଥରେ ଏକ ତୃତୀୟାଂଶ ସମୃଦ୍ଧ ଅଂଶବାଦ ପଡ଼ିଗଲା, ଯାହା ଅତ୍ୟନ୍ତ ନୈରାଶ୍ୟପୂର୍ଣ୍ଣ ଓ ମର୍ମନ୍ତୁଦ ଥିଲା। ଏହି ବିଷାଦାଛନ୍ନ ଓ ଶୋକଗ୍ରସ୍ତ ମୁହୂର୍ତ୍ତରେ ଜାତିର ଅନନ୍ୟ ସାରଥି ମଧୁସୂଦନ, ପାରଳା ମହାରାଜାଙ୍କୁ ଆହ୍ୱାନ କରି ତାହାଙ୍କ ଅଧିନାୟକତ୍ୱରେ ଏକ ଓଡ଼ିଆ ପ୍ରତିନିଧିତ୍ୱ ଦଳ ଯାଇ ଜଏଣ୍ଟ ପାର୍ଲାମେଣ୍ଟ କମିଟି ସପକ୍ଷରେ ସାକ୍ଷ୍ୟ ପ୍ରଦାନ ପାଇଁ ଅନୁରୋଧ କରିଥିଲେ। ଏହାର ପରିମାଣରେ ୭.୪.୧୯୩୩ରେ ପାରଳା ମହାରାଜାଙ୍କ ନେତୃତ୍ୱରେ ଖଲ୍ଲିକୋଟ ରାଜା, ଭୁବନାନନ୍ଦ ଦାସ, ଲିଙ୍ଗରାଜ ପାଣିଗ୍ରାହୀ ପ୍ରମୁଖ ଲଣ୍ଡନ ଯାତ୍ରା କରି ୩.୭.୧୯୩୩ରେ ଜଏଣ୍ଟ ପାର୍ଲାମେଣ୍ଟାରୀ କମିଟି ଆଗରେ ସାକ୍ଷ୍ୟ ପ୍ରଦାନ କରିଥିଲେ।
ଏହାପରେ ୧୦.୭.୩୩ରେ ଆନ୍ଧ୍ର ପ୍ରତିନିଧି ଦଳ ମଧ୍ୟ ସାକ୍ଷ୍ୟ ପ୍ରଦାନ କରିଥିଲେ। ଏହି ପର୍ଯ୍ୟାୟ ପରେ ଏହି କମିଟି, ଓଡେନାଲଙ୍କଠାରୁ ୭.୧୧.୧୯୩୩ରେ ତାହାଙ୍କର ତାତ୍ପର୍ଯ୍ୟପୂର୍ଣ୍ଣ ବକ୍ତବ୍ୟକୁ ଅନୁଶୀଳନ କରିଥିଲେ। ପାରଳା ମହାରାଜା ୧୨.୦୮.୩୩ରେ ଓଡ଼ିଶା ଫେରିଥିଲେ ମଧ୍ୟ ତାହାଙ୍କର ଦାବୀ ଉପସ୍ଥାପନା ପାଇଁ ପୁନରାୟ ୨୨.୫.୧୯୩୪ରେ ଲଣ୍ଡନ ଯାଇ ଦୀର୍ଘ ଛଅ ମାସ ଅବସ୍ଥାନ କରି ୮.୧୧.୧୯୩୪ରେ ଓଡ଼ିଶା ଫେରିଥିଲେ।
ସେହି ଗୁରୁତ୍ୱପୂର୍ଣ୍ଣ ବେଳାରେ ମାଡ୍ରାସ ସରକାର ତଥା ଭାରତର ବଡ଼ଲାଟଙ୍କର ପ୍ରବଳ ପ୍ରତିରୋଧ ସତ୍ତ୍ୱେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ତାତ୍ପର୍ଯ୍ୟପୂର୍ଣ୍ଣ ଅନ୍ତିମ ପର୍ଯ୍ୟାୟରେ ଇଂଲଣ୍ଡରେ ମଧୁସୂଦନଙ୍କର ଇଂରେଜି ସୁହୃଦ ବର୍ଗ, ତଥା ବିହାର ବିଧାନସଭାରେ ମଧୁସୂଦନଙ୍କର ଅନ୍ତରଙ୍ଗ ବନ୍ଧୁ ସଚ୍ଚିଦାନନ୍ଦ ସିହ୍ନା ପ୍ରମୁଖ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ସ୍ଥାପନା ଲାଗି ଅନୁକୂଳ ପ୍ରସ୍ତାବ ଗ୍ରହଣ କରି ଶ୍ୱେତ ଓ ମାଟିଆ ସାମ୍ରାଜ୍ୟବାଦର ବିଭେଦ ଭୁଲି ଅଯାଚିତ ସାହାଯ୍ୟ ପ୍ରଦାନ କରିଥିଲେ।
ଅବଶେଷରେ ୨୨.୧୧. ୧୯୩୪ରେ ପ୍ରକାଶିତ ଜଏଣ୍ଟ ପାର୍ଲାମେଣ୍ଟାରୀ କମିଟିର ସବିଶେଷ ସିଦ୍ଧାନ୍ତ ଅନୁସାରେ ଜୟପୁର ଜମିଦାରୀ ଓ ପାରଳା ଜମିଦାରୀ ଏକ ତୃତୀୟାଂଶ ଓଡ଼ିଶା ପ୍ରଦେଶ ସହିତ ସଂଯୁକ୍ତ ହେବାପରେ, ଶ୍ୱେତ ପତ୍ରରେ ଉଲ୍ଲିଖିତ ଆୟତନ ତୁଳନାରେ ପ୍ରସ୍ତାବିତ ଓଡ଼ିଶା ପ୍ରଦେଶର ଆୟତନ ଅର୍ଦ୍ଧାଧିକ ବୃଦ୍ଧି ପାଇଥିଲା। ଅବଶେଷରେ ଓଡ଼ିଶା ପ୍ରଦେଶ ଆୟତନ ୩୨,୬୯୫ ବର୍ଗମାଇଲକୁ ବୃଦ୍ଧି ପାଇଥିଲା ଆଉ ଓଡ଼ିଶାର ଜନସଂଖ୍ୟା ପ୍ରାୟ ୮୦ଲକ୍ଷ୍ୟ ଥିଲା। ଏହା ଥିଲା ସମଗ୍ର ଓଡ଼ିଶା ଇତିହାସର ସବୁଠାରୁ ଗୌରବୋଜ୍ଜ୍ୱଳ ଅଧ୍ୟାୟ। ପାରଳା ମହାରାଜ ୧୨.୦୮.୧୯୩୩ରେ ଇଂଲଣ୍ଡରୁ ଫେରି ସିଂହଭୂମିର ନେତୃପୁରୁଷ କୃଷ୍ଣଚନ୍ଦ୍ର ଆଚାର୍ଯ୍ୟଙ୍କୁ ଲେଖିଥିଲେ ‘ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଶ୍ରେୟ, ରିସଲେ ସାକୁଲାର, ଯାହା ମଧୁସୂଦନଙ୍କର ପ୍ରଚେଷ୍ଟାରେ କର୍ଜନଙ୍କର ଦ୍ୱାରା ପ୍ରଚାରିତ ହୋଇଥିଲା ତାହାକୁ ପ୍ରାପ୍ୟ। ଏହାହିଁ ଅବଶେଷରେ ନିର୍ଣ୍ଣାୟକ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲା।’
ପ୍ରକୃତରେ ୧୯୦୦ସାଲର ଶୀର୍ଣ୍ଣ ଓଡ଼ିଶା ଡିଭିଜନ ତୁଳନାରେ ୧୬.୧୦.୧୯୦୫ରେ ଆଉ ୧.୪. ୧୯୩୬ରେ ଯେଉଁ ସବୁ ଅଞ୍ଚଳ ଓଡ଼ିଶା ସହିତ ସଂଯୁକ୍ତ ହୋଇଥିଲା, ତାହା ଏହି ପ୍ରଦେଶକୁ ଆକଳନ ପ୍ରାକୃତିକ ବିଭବ ଆଉ ଅମାପ, ଜଳ, ଅରଣ୍ୟ ଆଉ ଖଣିଜ ସମ୍ପଦରେ ଭରିଦେଇ ଓଡ଼ିଶାକୁ ସମୃଦ୍ଧିଶାଳୀ ଆଉ ପ୍ରଥମ ଭାଷାଭିତ୍ତିକ ପ୍ରଦେଶରେ ପରିଣତ କରିଛି। ମାତ୍ର ଓଡ଼ିଆ ଜାତିର ଏହି ସ୍ୱର୍ଣ୍ଣିମ ଅଧ୍ୟାୟ ଆଜି ରହିଯାଇଛି, ବିସ୍ମୃତ ଆଉ ଏହାର ଅକୁତୋଭୟ ସଂଗ୍ରାମୀ ନେତୃବର୍ଗ ରହିଯାଇଛନ୍ତି ଅଜ୍ଞାତ ଆଉ ଅପାଂକ୍ତେୟ। ଏହାହିଁ ଏହି ଜାତିର ଚରମ ଦୁର୍ଦ୍ଦଶା ଓ ଅଭିସଂପାତ।