ଓଡ଼ିଶାଲାଇଭ୍ ବ୍ୟୁରୋ

“ଦିନେ ପରାଧୀନ ଭାରତରେ ଅଖଣ୍ଡ ଉତ୍କଳ ପ୍ରଦେଶ ଗଠନର ସ୍ଵପ୍ନ ଦେଖିଥିଲେ ଉତ୍କଳଗୌରବ ମଧୁସୂଦନ ଦାସ। ତାଙ୍କର ୮୬ ବର୍ଷର ଦୀର୍ଘ କର୍ମମୟ ଜୀବନକାଳ ଥିଲା ଓଡ଼ିଶାର ନବଜନ୍ମର ମାପକାଠି। ସେ ସ୍ଵଭାବ କବି ନୁହନ୍ତି, କିନ୍ତୁ ତାଙ୍କ ରଚିତ ସ୍ଵଳ୍ପ ପଦ୍ୟାବଳୀରେ ରହିଛି ଏକ ସୁପ୍ତ ଜାତିକୁ ଜାଗ୍ରତ କରିବାର ଛାଟ”, ମଧୁବାବୁଙ୍କ ଜୟନ୍ତୀ ଅବସରରେ ‘ସମ୍ବାଦ’ ଓ ‘ଆମ ଓଡ଼ିଶା’ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ସ୍ୱାଭିମାନ ଦିବସ ଓ ଆମ ଓଡ଼ିଶା ବତ୍କୃତାମାଳାରେ ଏଭଳି କହିଛନ୍ତି ବିଶିଷ୍ଟ ଗୀତିକାର ଦେବଦାସ ଛୋଟରାୟ।

ଭୁବନେଶ୍ଵରର ୟୁନିଟ୍ ୩ ସ୍ଥିତ ‘ଆମ ଓଡ଼ିଶା’ କାର୍ଯ୍ୟାଳୟ ପରିସରରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୫ତମ ଜୟନ୍ତୀ ଅବସରରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ପୂର୍ବତନ ପ୍ରଶାସନିକ ଅଧିକାରୀ ତଥା ବିଶିଷ୍ଟ ଗୀତିକାର ଦେବଦାସ ଛୋଟରାୟ ‘ମଧୁବାବୁ ଓ ସମୟର ପ୍ରବାହ’ ଶୀର୍ଷକ ଉପରେ ବିସ୍ତୃତ ଭାବେ କହିଥିଲେ।

ସେ ତାଙ୍କ ଅଭିଭାଷଣରେ କହିଥିଲେ, “ବର୍ତ୍ତମାନ ମଧୁବାବୁ ବଞ୍ଚିଥିଲେ, ଇତିହାସର ସମକାଳୀନ ପ୍ରବାହକୁ କିଭଳି ଗ୍ରହଣ କରିଥାନ୍ତେ, ତା’ ଅବଶ୍ୟ ଏକ କୌତୂହଳ। ଶହେ ପଚାଷ ବର୍ଷ ତଳର ମଧୁବାବୁ ଯୋଗଜନ୍ମା ଥିଲେ, ନିର୍ଭୀକ ଥିଲେ, ଶିଳ୍ପ, ସ୍ଵକୀୟ ଉଦ୍ୟମ, ବିଜ୍ଞାନ ତଥା ପ୍ରଯୁକ୍ତିବିଦ୍ୟାରେ ବିଶ୍ୱାସୀ ଥିଲେ। ତାଙ୍କ ପ୍ରତି ଓଡ଼ିଆଙ୍କର ଦୃଢ଼ ବିଶ୍ୱାସ ଥିଲା। ବ୍ରିଟେନର ତତ୍କାଳୀନ ନ୍ୟାସନାଲ ଗଭର୍ଣ୍ଣମେଣ୍ଟର ପ୍ରଧାନମନ୍ତ୍ରୀ ସାର୍ ରାମସେ ମ୍ୟାକଡୋନାଲ୍ଡ ‘ମଧୁବାବୁଙ୍କୁ ସାଧାରଣ ଓଡ଼ିଆଙ୍କ ମୁକୁଟୁବିହୀନ ସମ୍ରାଟ’ର ଆଖ୍ୟା ଦେଇଥିଲେ।”

ଏହି କାର୍ଯ୍ୟକ୍ରମରେ ‘ସମ୍ବାଦ’ର ସମ୍ପାଦକ ତଥା ‘ଆମ ଓଡ଼ିଶା’ ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ଅଧ୍ୟକ୍ଷତା କରି କହିଥିଲେ, “ଭାଷା ଓ ଭୂଗୋଳକୁ ନେଇ ଓଡ଼ିଶା ଗଠନ ହୋଇଥିଲା। ଏବେ ଏହି ଓଡ଼ିଶାର ଭାବକୁ ନେଇ ବିସ୍ତାରିତ କରିବାକୁ ପଡ଼ିବ। ଭାବକୁ ନେଇ ଏକ ବୃହତ୍ ଓଡ଼ିଶା ଗଠନ କରିବାକୁ ହେବ। ଓଡ଼ିଶା ଯେତେ ଗରିବ ହେଲେ ବି ଆମ ଏଠି ବଡ଼ ଠାକୁର ମହାପ୍ରଭୁ ଶ୍ରୀଜଗନ୍ନାଥ ଥିବାରୁ ଆମେ ଧନୀ। ଏଭଳି ଏକ ରାଜ୍ୟର ମୁଖିଆ ଥିଲେ ମଧୁବାବୁ। ତେଣୁ ତାଙ୍କ ଜନ୍ମଦିନରେ ଆମକୁ ସଂକଳ୍ପ ନେବାକୁ ପଡ଼ିବ ଯେ ଆମେ ଓଡ଼ିଶାକୁ ଆଗକୁ ନେବା।“

‘ଆମ ଓଡ଼ିଶା’ ସମ୍ପାଦକ ସ୍ୱରାଜ ମିଶ୍ର ଅତିଥି ପରିଚୟ ଦେବା ସହ ସ୍ଵଗତ ଭାଷଣ ଦେଇଥିଲେ। ମାସିକ ପତ୍ରିକା ‘ପୌରୁଷ’ର ସମ୍ପାଦକ ଅସିତ ମହାନ୍ତି ଧନ୍ୟବାଦ ଦେଇଥିଲେ। ଏହି ଉତ୍ସବରେ ଆମ ଓଡ଼ିଶା ତରଫରୁ ସୁରେନ୍ଦ୍ର ରଚନା ସମଗ୍ର ପ୍ରକାଶନକ୍ରମେ ମଧୁବାବୁଙ୍କୁ ନେଇ ସୁରେନ୍ଦ୍ର ମହାନ୍ତି ଲେଖିଥିବା ଦୁଇ ଉପନ୍ୟାସ ‘ଶତାବ୍ଦୀର ସୂର୍ଯ୍ୟ’ ଓ ‘କୁଳବୃଦ୍ଧ’ର ଏକତ୍ର  ସଂକଳନ ଉନ୍ମୋଚିତ ହୋଇଥିଲା। ଏହି ଅବସରରେ ସୁରେନ୍ଦ୍ର ମହାନ୍ତିଙ୍କ ଝିଅ ଲୋପାମୁଦ୍ରା ମହାନ୍ତି ଉପସ୍ଥିତ ଥିଲେ। ଏହି ଅବସରରେ ରାଜ୍ୟର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ।

Comment