ନୀଳାମ୍ବର ରଥ

“କାଳିଆ ଘୋଡ଼ାରେ ଚଢ଼ିବି, ମଧୁ ବାବୁ ସାଙ୍ଗେ ଲଢ଼ିବି” – ଏହି ବାକ୍ୟଟି କାନରେ ପଡ଼ିବା ମାତ୍ରେ ପ୍ରତିଟି ଓଡ଼ିଆଙ୍କ ପ୍ରାଣରେ ଭରିଯାଏ ଉତ୍ସାହ। ମନରେ ଖେଳିଯାଏ ନୂଆ ଉନ୍ମାଦନା। ଆଗକୁ ଯିବା ପାଇଁ ପ୍ରତ୍ୟେକ ଓଡ଼ିଆ ନିଅନ୍ତି ସଂକଳ୍ପ। ମଧୁବାବୁ ଆଜି ନାହାନ୍ତି ସତ, ହେଲେ ତାଙ୍କ ଜୀବନ କଥା ଆଜି ବି ଆମ ସାମାଜିକ ଜୀବନ, ବ୍ୟକ୍ତି ଜୀବନ ଏପରିକି ରାଜନୀତି ଓ ପ୍ରଶାସନ ପାଇଁ ବେଶ୍‍ ପ୍ରାସଙ୍ଗିକତା ମନେକରୁଛି।

ଉତ୍କଳ ଗୌରବ ମଧୁସୂଦନ ଦାସ ଥିଲେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ପ୍ରମୁଖ ବିନ୍ଧାଣୀ। ତାଙ୍କ ନେତୃତ୍ୱରେ ଏବଂ ଅନେକ ଓଡ଼ିଆ ବରପୁତ୍ରଙ୍କ ବଳିଦାନରେ ୧୯୩୬ ମସିହାରେ ଭାରତର ପ୍ରଥମ ଭାଷାଭିତ୍ତିକ ପ୍ରଦେଶ ଭାବେ ସ୍ୱୀକୃତ ପାଇଥିଲା ଓଡ଼ିଶା।

ସେହିପରି ଓଡ଼ିଆ ଭାଷା ଆନ୍ଦୋଳନ କ୍ଷେତ୍ରରେ ମଧ୍ୟ ମଧୁବାବୁଙ୍କ ନାଁ ସ୍ମରଣୀୟ ହୋଇ ରହିଛି। ୮୩ ବର୍ଷ ତଳେ ମଧୁବାବୁ ଓଡ଼ିଶାର ବିକାଶ ପାଇଁ ଯାହା ଚିନ୍ତା କରୁଥିଲେ ତାହାକୁ ଆମେ ଆଜି ନୂଆ ରୂପ ଦେବାରେ ସମର୍ଥ ହୋଇଛେ।

ସାରା ଦେଶରେ ଆଜି ସ୍କିଲ୍‍ ଡେଭେଲୋପ୍‍‌ମେଣ୍ଟ ବା ଦକ୍ଷତା ବିକାଶ ପ୍ରଶାସନର ଏକ ବଡ଼ ନାରା ହୋ‍ଇଛି। ଓଡ଼ିଶା ସରକାର ଆଉ ପାଦେ ଆଗକୁ ଯାଇ ରାଜ୍ୟରେ ଯୁବପିଢି ମଧ୍ୟରେ ଦକ୍ଷତା ବିକାଶ ଓ ନିଯୁକ୍ତି ସମ୍ଭାବନାକୁ ଅଧିକ ସକ୍ରିୟ କରିବା ପାଇଁ ଗଠନ କରିଛନ୍ତି ’ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ’। ଯଦି ଆମେ ଗୋଟିଏ ଶତାବ୍ଦୀ ଫେରିଯିବା ତାହାଲେ ଇତିହାସରେ ଆମେ ଦେଖିପାରିବା ଯେ ତତ୍କାଳୀନ ଓଡ଼ିଶାର ହସ୍ତଶିଳ୍ପୀମାନଙ୍କୁ ସଂଗଠିତ କରି ତାଲିମ୍‍ ଦେଇ ସେମାନଙ୍କ ଦକ୍ଷତାର ବିକାଶ କରିବାକୁ ଉଦ୍ୟମ କରିଥିଲେ ମଧୁବାବୁ।

ସେମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀର ବଜାର ସୃଷ୍ଟି କରି କିଭଳି ସେମାନଙ୍କ ଆର୍ଥିକ ବିକାଶ କରାଯାଇପାରିବ, ସେ ବାବଦରେ ମଧୁବାବୁ ଚିନ୍ତା କରୁଥିଲେ। ମଧୁବାବୁଙ୍କ ଦ୍ୱାରା ପ୍ରତିଷ୍ଠିତ ଉତ୍କଳ ଟ୍ୟାନେରି ପରିସରରେ ଏକ ଦକ୍ଷତା ବିକାଶ କେନ୍ଦ୍ର ସ୍ଥାପନ କରିଥିଲେ।

୧୮୯୭ ମସିହାରେ ଓଡ଼ିଶାର ହସ୍ତଶିଳ୍ପ କାରିଗରୀକୁ ପ୍ରୋତ୍ସାହନ ଦେବାକୁ ଯାଇ ସେ ପ୍ରତିଷ୍ଠା କରିଥିଲେ ’ଓଡ଼ିଶା ଆର୍ଟଓୟାର୍ସ’। ଏହି ଶିଳ୍ପ ମାଧ୍ୟମରେ ଓଡ଼ିଶାର ସୂକ୍ଷ୍ମ ସୁନା ଓ ରୂପାର ତାରକସି ଗଢିଉଠିଥିଲା। ସେହିପରି ୧୯୦୫ ମସିହାରେ ମଧୁବାବୁ ପ୍ରତିଷ୍ଠା କରିଥିଲେ ’ଉତ୍କଳ ଟ୍ୟାନେରି’। ସ୍ୱଦେଶୀ ଜ୍ଞାନକୌଶଳର ପ୍ରୟୋଗ କରି ଆଧୁନିକ ଜୋତା ତିଆରି କିଭଳି କରାଯାଇପାରେ ତାହା ସେ ପ୍ରମାଣ କରି ଦେଖାଇପାରିଥିଲେ।

ଓଡ଼ିଶାର ହସ୍ତକଳା ସାମଗ୍ରୀକୁ କାଠ ବାକ୍ସରେ ଧରି ସୁଦୂର ଇଂଲଣ୍ଡ ଯାଇ ସେଠାରେ ପ୍ରଦର୍ଶନୀର ଆୟୋଜନ କରିଥିଲେ ମଧୁବାବୁ। ସେହିପରି ଚମଡ଼ା ଶିଳ୍ପର ବିକାଶ ଲାଗି ସୁଦୂର ଜର୍ମାନୀରୁ ଇଞ୍ଜିନିୟର ଡକାଇ ମଧୁବାବୁ ଯେଭଳି ଭାବରେ ଚମଡ଼ା ଶିଳ୍ପର ନୂଆ ସମ୍ଭାବନା ସୃଷ୍ଟି କରିଥିଲେ । ସେତେବେଳେ କଟକରେ ତିଆରି ଜୋତା ସୁଦୂର ୟୁରୋପ ଓ ଜାପାନ୍‌ରେ ପ୍ରସିଦ୍ଧି ଲାଭ କରିଥିଲା। ସେହିପରି ଉତ୍କଳ ଟ୍ୟାନେରିର ଜୋତା ପିନ୍ଧି ବ୍ରିଟିଶ୍‍ ଫୌଜ ପ୍ରଥମ ବିଶ୍ୱଯୁଦ୍ଧରେ ଓହ୍ଲାଇଥିଲେ। ଦିନ ଥିଲା ଓଡ଼ିଶାରେ ତିଆରି ଜିନିଷ ବିଶ୍ୱ ବଜାରରେ ନାଁ କରିଥିଲା।

ଜାତିର ପିତା ମହାତ୍ମାଗାନ୍ଧି ୧୯୨୫ ମସିହାରେ କଟକ ଆସି ଉତ୍କଳ ଟ୍ୟାନେରି ବୁଲି ଦେଖିଥିଲେ। ମଧୁବାବୁଙ୍କ କାମ ତାଙ୍କୁ ଏତେ ପ୍ରଭାବିତ କରିଥିଲା ଯେ ସାବରମତି ଆଶ୍ରମରେ ଗାନ୍ଧି ପ୍ରତିଷ୍ଠା କରିବାକୁ ଚାହୁଁଥିବା ଟ୍ୟାନେରି ପାଇଁ ଦିଗ୍‌ଦର୍ଶନ ଦେବାକୁ ମଧୁବାବୁଙ୍କୁ ଅନୁରୋଧ କରିଥିଲେ।

ସେତେବେଳେ ସମାଜରେ ଉଚ୍ଚନିଚ୍ଚ ବା ଜାତିଭେଦ ଉତ୍କଟ ରୂପ ଧାରଣ କରିଥିଲା। ଉତ୍କଳ ଟ୍ୟାନେରି ମାଧ୍ୟମରେ ଏକ ବଡ଼ ସାମାଜିକ ସଂସ୍କାର କାର୍ଯ୍ୟ କରିପାରିଥିଲେ ମଧୁବାବୁ। ଦୁଇ ଶହରୁ ଅଧିକ ମେହେନ୍ତର ଓ ଶହେରୁ ଅଧିକ ମୋଚିଙ୍କୁ ନିଯୁକ୍ତ ଦେଇ ଉତ୍କଳ ଟ୍ୟାନେରି ଭାରତରେ ଦଳିତ ଜାତିର ସମ୍ମାନ ଓ ଆର୍ଥିକ ବିକାଶ କ୍ଷେତ୍ରରେ ଏକ ବଡ଼ ଉଦାହରଣ ପାଲଟିଥିଲା।

ଆଜି ଆମ ଦେଶରେ ଶିଳ୍ପ ବିକାଶ, ଦକ୍ଷତା ବିକାଶ, ହସ୍ତକଳାର ପ୍ରସାର ଆଦି ବିଷୟରେ ଯେଉଁସବୁ କଥା ଆମେ ଆଲୋଚନା କରୁଛୁ, ଆଜିଠୁ ଶହେ ବର୍ଷ ତଳେ ମଧୁବାବୁ ତାକୁ କାମରେ କରି ଦେଖାଇଥିଲେ।

୧୬ ମାର୍ଚ୍ଚ ୧୯୨୮ର ଘଟଣା। ସାବରମତୀ ଆଶ୍ରମରୁ ମହାତ୍ମାଗାନ୍ଧି ମଧୁବାବୁଙ୍କୁ ଏକ ପତ୍ର ଲେଖିଥିଲେ। ସେଥିରେ ସେ ଉଲ୍ଲେଖ କରିଥିଲେ ଯେ ଆଶ୍ରମରେ ସେ ଯେଉଁ ଟ୍ୟାନେରି ପ୍ରତିଷ୍ଠା କରିବାକୁ ଯାଉଛନ୍ତି, ତାହା ପଛର ପ୍ରେରଣା ନିଜେ ମଧୁବାବୁ। ତେଣୁ କିଭଳି ଭାବରେ ଟ୍ୟାନେରିର ପରିଚାଳନା କରାଯିବ ଓ ଉନ୍ନତ ମାନର ଚମଡା ବାହାରିପାରିବ ଏ ବାବଦରେ ତାଙ୍କୁ ଅଧିକ ପରାମର୍ଶ ଦେବାକୁ ଗାନ୍ଧି ଏହି ଚିଠିରେ ମଧୁବାବୁଙ୍କୁ ଅନୁରୋଧ କରିଥିଲେ।

୩ ଜୁଲାଇ ୧୯୨୭ରେ ବେଙ୍ଗଳୁରୁଠାରେ ଖଦି ପ୍ରଦର୍ଶନରେ ଭାଷଣ ଦେବା ଅବସରରେ ମଧୁବାବୁଙ୍କୁ ସ୍ମରଣ କରିଥିଲେ ମହାତ୍ମାଗାନ୍ଧି। ଏହି ସଭାରେ ସେ ମଧୁବାବୁଙ୍କ ଶିଳ୍ପଦ୍ୟୋଗୀ ମନୋଭାବ ଏବଂ କାର୍ଯ୍ୟ କରିବାର ତରିକାକୁ ପ୍ରଶଂସା କରିଥିଲେ ଗାନ୍ଧିଜୀ।

ଓଡ଼ିଶା କାହିଁକି ଭାରତୀୟ ସମାଜ ପାଇଁ ମଧୁବାବୁଙ୍କ ଆଉ ଏକ ବଡ଼ ଅବଦାନ ହେଉଛି ’ସମବାୟ ଚିନ୍ତାଧାରା’ । ଏହି ପରିକଳ୍ପନା ପରବର୍ତ୍ତି ସମୟରେ ମହାତ୍ମାଗାନ୍ଧିଙ୍କୁ ପ୍ରଭାବିତ କରିଥିଲା। ଏହା ଏପରି ଏକ ଚିନ୍ତାଧାରା ଯାହାକି ଆଜି ବି ଆମ ଦେଶରେ ବିଭିନ୍ନ କ୍ଷେତ୍ରରେ ବହୁଳ ଭାବରେ ପ୍ରୟୋଗ ହେଉଛି।

ମଧୁବାବୁ କେବଳ ଜଣେ ଭାଷାପ୍ରାଣ ନଥିଲେ କି ଜଣେ ବିଚକ୍ଷଣ ବାରିଷ୍ଟର ନଥିଲେ। ସେ ଥିଲେ ଓଡ଼ିଆ ଜାତିପ୍ରାଣର ସ୍ପନ୍ଦନ ଓ ଭାରତୀୟ ଜାତୀୟ ଜୀବନର ଅନ୍ୟତମ ମାର୍ଗଦର୍ଶକ। ତାଙ୍କ ଜୀବନ, କର୍ମ ଓ ଆଦର୍ଶ ଆଜି ବି ବେଶ୍‌ ପ୍ରାସଙ୍ଗିକ ଓ ଆମର ପରବର୍ତ୍ତି ପିଢି ପାଇଁ ଏକ ବଡ଼ ପ୍ରେରଣା।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଓ ଓଡ଼ିଶାଲାଇଭ୍‌ର ମୁଖ୍ୟ ସମ୍ପାଦକ)

Comment