ଓଡ଼ିଶାଲାଇଭ୍ ବ୍ୟୁରୋ

- ୫ ଦିନିଆ ରିମାଣ୍ଡରେ ପୁଞ୍ଜିଲାଲ
- ପୁଞ୍ଜିଲାଲର ହେଲା ସ୍ୱାସ୍ଥ୍ୟ ପରୀକ୍ଷା
- ବାଣରୁ ବାରୁଦ କାଢ଼ି ବୋମା ତିଆରି କରିଥିଲା ପୁଞ୍ଜିଲାଲ
- ପାଟଣାଗଡ଼ରେ ବାଣ ବ୍ୟବସାୟୀଙ୍କୁ ପଚରା ଉଚରା
- ପାର୍ସଲ ବୋମାର ଡେମୋ ତିଆରି କରିବ ପୁଞ୍ଜିଲାଲ
ପୁଞ୍ଜିଲାଲ ମେହେରଙ୍କ ଅପରାଧର ପାଞ୍ଜି ଧିରେଧିରେ ଖୋଲୁଛି କ୍ରାଇମବ୍ରାଞ୍ଚ। ପାର୍ସଲ ବୋମା କେମିତି ତିଆରି ହୋଇଥିଲା ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ବେଳେ ତାର ଡେମୋ ଦେଖାଇବ ପୁଞ୍ଜିଲାଲ। ବାଣ କେଉଁଠୁ ଆଣିଥିଲା ଏବଂ କେତେ ପରିମାଣର ବାଣ କିଣିଥିଲା ତାର ହିସାବ ପାଇ ସାରିଛି କ୍ରାଇମବ୍ରାଞ୍ଚ। ଏବେ ତଦନ୍ତକୁ ଆଗକୁ ବଢ଼ାଇବେ କ୍ରାଇମବ୍ରାଞ୍ଚ ଅଧିକାରୀ।
ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରକୁ ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡରେ ଆଣିଛି କ୍ରାଇମବ୍ରାଞ୍ଚ। ପାଟଣାଗଡ଼ ଏସ୍ଡିଜେଏମ୍ କୋର୍ଟରୁ ଅନୁମତି ପାଇବା ପରେ ଗୁରୁବାର ପୁଞ୍ଜିଲାଲର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଏହାସହ ପୋଲିସ ସହାୟତାରେ କ୍ରାଇମବ୍ରାଞ୍ଚ ଅଧିକାରୀ ପାଟଣାଗଡ଼ ଏବଂ ଆଖପାଖର କିଛି ବାଣ ବ୍ୟବସାୟୀଙ୍କୁ ପଚରା ଉଚରା କରିଛି।
ପୁଞ୍ଜିଲାଲ କେଉଁ ବାଣ କିଣିଥିଲା? କେବେ କିଣିଥିଲା? ବାଣ ପାଇଁ କେତେ ଟଙ୍କା ଦେଇଥିଲା? କେବେଠାରୁ ବାଣ କିଣିଥିଲା ପୁଞ୍ଜିଲାଲ? ଏସବୁ ପ୍ରଶ୍ନ ବାଣ ବ୍ୟବସାୟୀଙ୍କୁ ପଚାରିଛନ୍ତି କ୍ରାଇମବ୍ରାଞ୍ଚ ଅଧିକାରୀ।
ପାର୍ସଲ ବୋମା ତିଆରିର କୌଶଳ ସମ୍ପର୍କରେ ପୁଞ୍ଜିଲାଲ ପୂର୍ବରୁ କ୍ରାଇମବ୍ରାଞ୍ଚ ଅଧିକାରୀଙ୍କୁ କହି ସାରିଥିଲା। ଦୀପାବଳି ଦିନରୁ ପୁଞ୍ଜିଲାଲ ବାଣ କିଣି ଘରେ ରଖିଥିଲା। ରାତିରେ ଘରେ ସମସ୍ତେ ଶୋଇ ଯାଇଥିବା ବେଳେ ପୁଞ୍ଜିଲାଲ ଇଣ୍ଟରନେଟରୁ ବୋମା ତିଆରିର କୌଶଳ ଶିଖୁଥିଲା।
ପୁଞ୍ଜିଲାଲ ପ୍ରଥମେ ବାଣରୁ ବାରୁଦ କାଢ଼ୁଥିଲା। ବାରୁଦକୁ ଏକାଠି କରି ବାକ୍ସ ଭିତରେ ରଖୁଥିଲା। ସେଥିରେ ଲିଚୁ ଲାଇଟ୍ ଫିଲାମେଣ୍ଟ ପକାଇ ବୋମା ଉପରେ ଗବେଷଣା କରୁଥିଲା। ରାତି ଅନିଦ୍ରା ହୋଇ ପୁଞ୍ଜିଲାଲ ପ୍ରଥମେ ଛୋଟ ଛୋଟ ବୋମା ତିଆରି କରିଥିଲା। ବାରମ୍ବାର ବିଫଳ ହେବା ପରେ ଶେଷରେ ସଫଳ ହୋଇଥିଲା। ପ୍ରାୟ ୧୦୦ ପାଖାପାଖି ଛୋଟ ବୋମା ତିଆରି କରିବା ପରେ ପୁଞ୍ଜିଲାଲ ତା ମିଶନରେ ସଫଳ ହୋଇଥିଲା।
ଏହି ବୋମା ତିଆରି କରିବା ପାଇଁ ପୁଞ୍ଜିଲାଲ ପ୍ରଚୁର ବାଣ କିଣିଥିଲା। ଏତେ ସଂଖ୍ୟାରେ ବାଣ ସେ କେଉଁଠୁ ପାଇଲା ତାକୁ ନେଇ ଏବେ କ୍ରାଇମବ୍ରାଞ୍ଚ ଖୋଳତାଡ଼ କରୁଛି। ଏଥିପାଇଁ ପାଟଣାଗଡ଼ ଏବଂ ବଲାଙ୍ଗିର ଜିଲ୍ଲାର ପ୍ରମୁଖ ବାଣ ବ୍ୟବସାୟୀଙ୍କୁ ପଚରା ଉଚରା କରିଛନ୍ତି କ୍ରାଇମବ୍ରାଞ୍ଚ ଅଧିକାରୀ।
ପ୍ରଥମ ପର୍ଯ୍ୟାୟ ରିମାଣ୍ଡ ବେଳେ ପୁଞ୍ଜିଲାଲ୍ ଚତୁରତାର ସହ ଉତ୍ତର ଦେଇଥିଲା। ବହୁ ପ୍ରଶ୍ନର ଚାଲାକି ଉତ୍ତର ଦେଇ ଖସି ଯାଇଥିଲା। ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ବେଳେ ସବୁ ପ୍ରଶ୍ନର ଉତ୍ତର ଖୋଜିବ କ୍ରାଇମବ୍ରାଞ୍ଚ। ଏହାସହ ରାୟପୁରରେ ପୁଞ୍ଜିଲାଲ କେମିତି ବୋମା ପାର୍ସଲ କରିଥିଲା ଏବଂ କେଉଁଆଡ଼େ ଯାଇଥିଲା ତାର ଯାଞ୍ଚ କରିବ। ଏଥିପାଇଁ ପୁଞ୍ଜିଲାଲକୁ ନେଇ କ୍ରାଇମବ୍ରାଞ୍ଚର ଏକ ଟିମ୍ ରାୟପୁର ଯିବ।
କ୍ରାଇମବ୍ରାଞ୍ଚର ତିନି ଜଣିଆ ଟିମ୍ ଗତ ୪ ଦିନ ହେଲା ରାୟପୁର ଯାଇଛନ୍ତି। ପୁଞ୍ଜିଲାଲ ଯେଉଁ ଅଟୋରେ ଯାଇଥିଲା ସେହି ଅଟୋ ଚାଳକକୁ ଖୋଜୁଛି କ୍ରାଇମବ୍ରାଞ୍ଚ। ପୁଞ୍ଜିଲାଲକୁ ଗିରଫ କରିବା ପୂର୍ବରୁ କ୍ରାଇମବ୍ରାଞ୍ଚ ମଧ୍ୟ ରାୟପୁର ଯାଇଥିଲା। ଅଟୋ ଚାଳକକୁ ଖୋଜିଥିଲା। ହେଲେ ସଂପୃକ୍ତ ଅଟୋ ଚାଳକକୁ ପାଇ ନଥିଲା କ୍ରାଇମବ୍ରାଞ୍ଚ। ଅଟୋ ଚାଳକକୁ ଖୋଜିବା ପାଇଁ କ୍ରାଇମବ୍ରାଞ୍ଚ ରାୟପୁର ପୋଲିସର ସହାୟତା ନେଇଥିଲା। ଏହାସହ ରାୟପୁର ଅଟୋ ସଂଘର ମଧ୍ୟ ସହାୟତା ଲୋଡ଼ିଥିଲା। ହେଲେ ଏବେ ଯାଏଁ ଅଟୋ ଚାଳକର ପତ୍ତା ପାଉନି କ୍ରାଇମବ୍ରାଞ୍ଚ। ଏଣୁ ଅଟୋ ଚାଳକକୁ ଖୋଜିବା ପାଇଁ ପୁଞ୍ଜିଲାଲକୁ ନେଇ କ୍ରାଇମବ୍ରାଞ୍ଚ ଟିମ୍ ରାୟପୁର ଯିବେ ବୋଲି ସୂଚନା ମିଳିଛି।















