ଓଡ଼ିଶାଲାଇଭ୍‌ ବ୍ୟୁରୋ

କାଳବୈଶାଖୀର ତାଣ୍ଡବରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ୩ ଜଣ ପ୍ରାଣ ହରାଇଛନ୍ତି। ବୁଧବାର ଛଅଟି ଜିଲ୍ଲାରେ କଳବୈଶାଖୀର ଭୀଷଣ ପ୍ରଭାବ ଦେଖିବାକୁ ମିଳିଥିଲା। ବାଲେଶ୍ୱର ଓ ବରଗଡ଼ ଜିଲ୍ଲାରେ ଗଛ ପଡ଼ି ଜଣେ ଲେଖାଏଁ ପ୍ରାଣ ହରାଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲାରେ ମାଟି ଘର ଭୁଶୁଡ଼ି ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି।

ବୁଧବାର ରାତିରେ ଏହି ତାଣ୍ଡବ ଯୋଗୁଁ ବହୁ କ୍ଷୟକ୍ଷତି ହୋଇଛି। ଡେପୁଟି ଏସଆରସି ପ୍ରଭାତ ରଞ୍ଜନ ମହାପାତ୍ରଙ୍କଠାରୁ ଏହି ସୂଚନା ମିଳିଛି। ମାଲକାନଗିରି ଜିଲ୍ଲାରୁ ମିଳିଥିବା ଏକ ରିପୋର୍ଟ ଅନୁସାରେ କଳବୈଶାଖୀ ଓ ପ୍ରବଳ ବର୍ଷା ଯୋଗୁଁ ୩ ଜଣ ଗୁରୁତର ଆହତ ହୋଇଛନ୍ତି।

ଖଇରିପୁଟ ବ୍ଲକର ବିଭିନ୍ନ ଗାଁରେ ବଡ଼ ବଡ଼ ଗଛ ଉପୁଡ଼ିଯିବା କାରଣରୁ ଏମାନେ ଗଛ ତଳେ ଚାପି ହୋଇ ଯାଇଥିଲେ। ସେମାନଙ୍କୁ ମୃତ୍ୟୁମୁଖରୁ ଉଦ୍ଧାର କରାଯାଇଥିଲା। କଳବୈଶାଖୀ ଯୋଗୁଁ ବିରାଟକାୟ ଗଛ ଓଲଟି ପଡ଼ିବା ହେତୁ ଜୟପୁର ଓ ମାଲକାନଗିରିକୁ ସଂଯୋଗ କରୁଥିବା ଗୋବିନ୍ଦପଲ୍ଲୀ ଛକଠାରେ ଅନେକ ସମୟ ଧରି ଗାଡ଼ି ମୋଟର ଅଟକି ରହିଥିଲା।

କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଅଧିକାଂଶ ସ୍ଥାନରେ ବିଦ୍ୟୁତ ତାର ଓ ଟେଲିଫୋନ ଲାଇନ ଛିଣ୍ଡି ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି। ବୁଧବାର ଦିନର କଳବୈଶାଖୀରେ ବାଲେଶ୍ୱର, ବରଗଡ଼, ଯାଜପୁର, ଢେଙ୍କାନାଳ ସୋନପୁର ଓ ମୟୂରଭଞ୍ଜ ଜିଲ୍ଲା ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏଥି ମଧ୍ୟରୁ ବରଗଡ଼ ଜିଲ୍ଲାରେ ସବୁଠାରୁ ବେଶୀ କ୍ଷତି ହୋଇଛି।

ଘର ନଷ୍ଟ ହେବା ସହ ଫସଲର ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଛି। ଭଟଲି, ଅତାବିରା, ଭେଡେନ, ବରପାଲି ଓ ବିଜେପୁର ବ୍ଲକରେ ନାହିଁ ନଥିବା କ୍ଷତି ଘଟିଛି। ଡେପୁଟି ଏସଆରସି କହିଛନ୍ତି ଯେ ଯେଉଁମାନେ କାଳବୈଶାଖୀରେ ପ୍ରାଣ ହରାଇଛନ୍ତି ସେମାନଙ୍କ ପରିବାରବର୍ଗଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ କରାଯିବ। ସେହିଭଳି ମୟୂରଭଞ୍ଜ ଜିଲ୍ଲାର ଘର ଭାଙ୍ଗି ଥିବା ପରିବାରଙ୍କୁ ୫.୩୧ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବ। ତାଛଡା କ୍ଷତିଗ୍ରସ୍ତ ୬ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ କ୍ଷୟକ୍ଷତିର ପୂର୍ଣ୍ଣ ବିବରଣୀ ଯଥାଶୀଘ୍ର ପଠାଇବା ପାଇଁ କୁହାଯାଇଛି। ଇତି ମଧ୍ୟରେ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ୫ ତାରିଖ ପର୍ଯ୍ୟନ୍ତ ଅଧିକାଂଶ ଜିଲ୍ଲାରେ କାଳବୈଶାଖୀ, ଘଡ଼ଘଡ଼ି ବର୍ଷା ଓ କୁଅପଥର ମାଡ଼ ଜାରି ରହିବ।

Comment