ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟ ୫-ଟି ସଚିବ ଭି କେ ପାଣ୍ଡିଆନଙ୍କ ଗସ୍ତକୁ ନେଇ ଏବେ ଗଞ୍ଜାମ ଜିଲ୍ଲାରେ ରାଜନୈତିକ ହଲଚଲ ସୃଷ୍ଟି ହୋଇଛି। ଶୁକ୍ରବାର ଗଞ୍ଜାମର ବେଗୁନିଆପଡ଼ା ସ୍ଥିତ ବାଲାଜୀ ବିଦ୍ୟାପୀଠରେ ଏକ କାର୍ଯ୍ୟକ୍ରମରେ ୫-ଟି ସଚିବ ଯୋଗ ଦେବେ। ତେବେ ଏହି ଗସ୍ତକୁ ଚ୍ୟାଲେଞ୍ଜ କରିଛନ୍ତି ଗୋପାଳପୁର ବିଧାୟକ ତଥା ପୂର୍ବତନ ବିଜେଡି ନେତା ପ୍ରଦୀପ ପାଣିଗ୍ରାହୀ। ସେ ୫-ଟି ସଚିବଙ୍କ କାର୍ଯ୍ୟକ୍ରମରେ ଯୋଗ ଦେବ ଏବଂ ଏଥିରୁ ତାଙ୍କୁ କେହି ଅଟକାଇ ପାରିବେନି ବୋଲି ସେ କହିଛନ୍ତି।

“୫-ଟି ସଚିବଙ୍କ ଗଞ୍ଜାମରେ ହେବାକୁ ଥିବା କାର୍ଯ୍ୟକ୍ରମରୁ ମତେ ଦୂରେଇ ରଖିବା ପାଇଁ ବିଜେଡି ଷଡଯନ୍ତ୍ର କରିଛି। ଏହି କାର୍ଯ୍ୟକ୍ରମ ବାବଦରେ ମୁଁ ମୁଖ୍ୟମନ୍ତ୍ରୀ, ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ଗଞ୍ଜାମ ଜିଲ୍ଲାପାଳଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ଚିଠି ଲେଖିଥିଲି। ହେଲେ ମତେ ଏହାର କିଛି ଉତ୍ତର ମିଳିଲାନାହିଁ। ମୋ ନିର୍ବାଚନ ମଣ୍ଡଳୀରେ କାର୍ଯ୍ୟକ୍ରମ ହେଉଛି ମାନେ, ମୁଁ ନିଶ୍ଚିତ ସେଠାକୁ ଯିବି। କେହି ମତେ ଅଟକାଇ ପାରିବେ ନାହିଁ”, କହିଛନ୍ତି ପ୍ରଦୀପ ପାଣିଗ୍ରାହୀ।

ସେ ଆହୁରି ମଧ୍ୟ କହିଛନ୍ତି, “ଗଞ୍ଜାମ ଜିଲ୍ଲାର ବାଲାଜୀ ବିଦ୍ୟାପୀଠରେ ହେବାକୁ ଥିବା କାର୍ଯ୍ୟକ୍ରମରେ ବିଧାୟକ ଭାବେ ମୁଁ ଯୋଗ ଦେବାକୁ ଯିବି। ସେଠାରେ କିଛି ବିଜେଡି କର୍ମୀ ମୋତେ ଅଟକାଇବେ କିମ୍ବା ଆକ୍ରମଣ କରିବେ ବୋଲି ଯୋଜନା କରିଥିବା ଖବର ମୁଁ ପାଇଛି। ତେଣୁ କାର୍ଯ୍ୟକ୍ରମରେ ମୋ ସୁରକ୍ଷା ପାଇଁ ଅର୍ଡର ଅଫ୍ ପ୍ରିସିଡେନ୍ସ ଅନୁସାରେ ରାଜ୍ୟ ବ୍ୟବସ୍ଥା କରିବା ଦରକାର। ଯଦି ସେଠାରେ ମୋର କିଛି ଅସୁବିଧା ହୁଏ, ତେବେ ମୁଖ୍ୟମନ୍ତ୍ରୀ ଦାୟୀ ରହିବେ।”

ପ୍ରଦୀପ ପାଣିଗ୍ରାହୀ ଆହୁରି କହିଛନ୍ତି, “ଓଡ଼ିଶାରେ ଏବେ ରାଜନେତାମାନେ ଜଣେ ଅଧିକାରୀଙ୍କ ପାଖରେ ନିଜକୁ ସମର୍ପଣ କରିଦେଇଛନ୍ତି। ନିର୍ବାଚିତ ପ୍ରତିନିଧି ଥାଉ ଥାଉ ଜଣେ ଅଧିକାରୀ ଆସି ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ କରୁଛନ୍ତି। ଏହା କ’ଣ ଠିକ୍ ବ୍ୟବସ୍ଥା? ବି‌ଜେଡି ମତେ ଦଳରୁ ବାହାର କଲେ ମଧ୍ୟ ମୁଁ ଏବେବି ବିଧାୟକ ଅଛି। ମୋ ନିର୍ବାଚନ ମଣ୍ଡଳୀର ଲୋକଙ୍କ ସୁବିଧା ଅସୁବିଧା ବୁଝିବାର କର୍ତ୍ତବ୍ୟ ମୁଁ ଜାରି ରଖିବି।”

ଅନ୍ୟପଟେ ୫-ଟି ସଚିବଙ୍କ ଗସ୍ତ ପୂର୍ବରୁ ବିରୋଧ ପ୍ରଦର୍ଶନକୁ ଆଶଙ୍କା କରି ଗଞ୍ଜାମ ଜିଲ୍ଲାର ବିଜେପି ଯୁବ ମୋର୍ଚ୍ଚା ସମ୍ପାଦକ ଆଲୋକ ଶତପଥୀଙ୍କୁ ପୋଲିସ ଅଟକ ରଖିଛି। ତାଙ୍କ ସହ ଦଳର ଅନ୍ୟ କିଛି ବିଜେପି କର୍ମୀଙ୍କୁ ମଧ୍ୟ ପୋଲିସ ପକ୍ଷରୁ ଅଟକ ରଖାଯାଇଥିବା ସୂଚନା ମିଳିଛି।

୫-ଟି ସଚିବଙ୍କ ଶୁକ୍ରବାରଠାରୁ ୩ ଦିନିଆ ଗଞ୍ଜାମ ଗସ୍ତ ଆରମ୍ଭ ହେବ। ସେ ଜିଲ୍ଳାର ବିଭିନ୍ନ ସ୍ଥାନରେ ପ୍ରାୟ ୨୦ଟି କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହି ତିନି ଦିନିଆ ଗସ୍ତରେ ଗଞ୍ଜାମରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବେ ୫-ଟି ସଚିବ।

Tags: #PradeepPanigrahi #5tSecretaryProgram #GanjamDistrict #Politics #Odisha

Comment