ଓଡ଼ିଶାଲାଇଭ୍ ବ୍ୟୁରୋ

ଜାତୀୟ ପଞ୍ଚାୟତ ପୁରସ୍କାର-୨୦୨୩ରେ ଓଡ଼ିଶାର ଗଞ୍ଜାମ ଜିଲ୍ଲା ଅର୍ଜନ କରିଛି ଅଦ୍ଭୁତପୂର୍ବ ସଫଳତା। ଗଞ୍ଜାମ ଜିଲ୍ଲାକୁ ‌ଦେଶର ଶ୍ରେଷ୍ଠ ଜିଲ୍ଲା ପରିଷଦ ଭାବେ ‘ନ୍ୟାସନାଲ୍ ପଞ୍ଚାୟତ ଆୱାର୍ଡ଼-୨୦୨୩’ ମିଳିଛି।  ସେହିପରି ଜିଲ୍ଲାର ହିଞ୍ଜିଳିକାଟୁକୁ ଦେଶର ଶ୍ରେଷ୍ଠ ବ୍ଲକ୍ ପଞ୍ଚାୟତ ପୁରସ୍କାର ପ୍ରଦାନ କରାଯାଇଛି। ସୋମବାର ଦିନ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ପୁରସ୍କାର ପ୍ରଦାନ କରିଥିଲେ। ଭାରତ ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରାଳୟ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା

ଏହି କାର୍ଯ୍ୟକ୍ରମରେ ଦେଶର ଦ୍ଵିତୀୟ ଶ୍ରେଷ୍ଠ ସୁସ୍ଥ ପଞ୍ଚାୟତ ଭାବେ ହିଞ୍ଜିଳିକାଟୁ ବ୍ଲକ୍‌ର ‘କଞ୍ଚୁରୁ’ ପଞ୍ଚାୟତକୁ ପୁରସ୍କୃତ କରାଯାଇଛି। ଏହାଛଡ଼ା ବ୍ଲକର ‘ଆମ୍ବଗାଁ’ ପଞ୍ଚାୟତକୁ ଭାରତର ଦ୍ଵିତୀୟ ଶ୍ରେଷ୍ଠ ସବୁଜ ଓ ସ୍ଵଚ୍ଛ ପଞ୍ଚାୟତ ଭାବେ ପୁରସ୍କାର ମିଳିଛି। ସେହିପରି ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଲକ୍ ଅନ୍ତର୍ଗତ ‘ଆଙ୍କୁଲି’ ପଞ୍ଚାୟତକୁ ଶକ୍ତି ସରଂକ୍ଷଣ ପାଇଁ ପୁରସ୍କୃତ କରାଯାଇଛି।

ଗଞ୍ଜାମ ଜିଲ୍ଲାକୁ ଶ୍ରେଷ୍ଠ ଜିଲ୍ଲା ପରିଷଦ ପୁରସ୍କାର ରୂପେ ୫ କୋଟି ଟଙ୍କା ଓ ମାନପତ୍ର ପ୍ରଦାନ କରାଯାଇଛି। ସେହିପରି ଶ୍ରେଷ୍ଠ ବ୍ଲକ୍ ଭାବେ ହିଞ୍ଜିଳିକାଟୁକୁ ୨ କୋଟି ଟଙ୍କା ପୁରସ୍କାର ରାଶି ଦିଆଯାଇଛି। ଗଞ୍ଜାମ ଜିଲ୍ଲା ପରିଷଦ ସଭାପତି ଅଞ୍ଜଳି ସ୍ଵାଇଁ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଭି.କୀର୍ତ୍ତିଭାସନ୍‌ ପ୍ରମୁଖ ରାଷ୍ଟ୍ରପତିଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଥିଲେ।

ଅନ୍ୟପଟେ ଓଡ଼ିଶାର ଗଜପତି ଜିଲ୍ଲାର ଭଞ୍ଜନଗର ବ୍ଲକ ଅନ୍ତର୍ଗତ ‘କୁଲାଡ଼’ ପଞ୍ଚାୟତକୁ ସାମାଜିକ ସୁରକ୍ଷା କ୍ଷେତ୍ରରେ ଭଲ ପ୍ରଦର୍ଶନ ପାଇଁ ପୁରସ୍କାର ମିଳିଛି। ଏଥିପାଇଁ ପଞ୍ଚାୟତକୁ ୭୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଦିଆଯାଇଥିଲା।

ସେହିପରି ସୁନ୍ଦରଗଡ଼ ଜିଲ୍ଲାର ବଣାଇଗଡ଼ ବ୍ଲକ୍‌ର ବଣାଇଗଡ଼ ପଞ୍ଚାୟତକୁ ‘କାର୍ବନ ନ୍ୟୁଟ୍ରାଲ୍’ ଓ ‘ଶକ୍ତି ସ୍ଵରାଜ’ ବିଶେଷ ପଞ୍ଚାୟତ ଭାବେ ରାଷ୍ଟ୍ରପତି ସମ୍ମାନିତ କରିଥିଲେ। ଏଥିପାଇଁ ପଞ୍ଚାୟତକୁ ୫୦ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଥିଲା।

ଏହି ଜାତୀୟ ପଞ୍ଚାୟତ ପୁରସ୍କାର କାର୍ଯ୍ୟକ୍ରମରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂହ, କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ରାଷ୍ଟ୍ର ମନ୍ତ୍ରୀ ଫଗ୍ଗନ ସିଂହ କୁଳସ୍ତ୍ୟ, କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରାଳୟର ସଚିବ ସୁନିଲ କୁମାର, କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟର ସଚିବ ଶୈଳେଶ କୁମାର ସିଂହ ଓ ଅନ୍ୟାନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ। ଏହାଛଡ଼ା ଭାରତର ବିଭିନ୍ନ ଅଞ୍ଚଳରୁ ଆସିଥିବା ଜିଲ୍ଲା ପରିଷଦ ସଭ୍ୟ, ଜିଲ୍ଲାସ୍ତରୀୟ ଅଧିକାରୀ ଓ ଅନ୍ୟାନ୍ୟ ଲୋକମାନେ ଏଠାରେ ଉପସ୍ଥିତ ଥିଲେ।

Tags: #NationalPanchayatAwards2023 #GanjamDistrict #ZillaParishad #BlockPanchayat

Comment