ଓଡ଼ିଶାଲାଇଭ୍ ବ୍ୟୁରୋ

ଅତି ଜରୁରୀ କାର୍ଯ୍ୟ ନଥିଲେ ସରକାରୀ କାର୍ଯ୍ୟାଳୟକୁ ଯିବାକୁ ବାରଣ କରାଯାଇଛି। ଯଦି ସରକାରୀ କାର୍ଯ୍ୟାଳୟକୁ ଯାଉଛନ୍ତି, ତେବେ ସରକାରଙ୍କ କୋଭିଡ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ। ଏଥିସହ ଆବଶ୍ୟକ ସ୍ଥଳେ ସରକାରୀ କାର୍ଯ୍ୟ ପାଇଁ ୦୯୪୩୭୫୬୩୮୦୦ ନମ୍ବରରେ କଲ୍ କରିବାକୁ କୁହାଯାଇଛି।

ଗଞ୍ଜାମ ଜିଲ୍ଲାର ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ଯେପରି କରୋନା ସଂକ୍ରମଣ ନ ବ୍ୟାପେ, ସେଥିପାଇଁ ଜିଲ୍ଲା ପ୍ରଶାସନ ଆଗୁଆ ସତର୍କତା ପଦକ୍ଷେପ ନେଇଛନ୍ତି। ଅନ୍ୟପଟେ କରୋନାର ଦ୍ୱିତୀୟ ଲହର ରାଜ୍ୟବାସୀଙ୍କୁ ଡରେଇବାରେ ଲାଗିଲାଣି। ରାଜ୍ୟରେ ଦୈନିକ ଶହ ଶହ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି।

ବର୍ତ୍ତମାନ ପରିସ୍ଥିତିରେ ଗଞ୍ଜାମ ଜିଲ୍ଲାରେ କରୋନା ନିୟନ୍ତ୍ରଣରେ ରହିଛି। ପୂର୍ବବର୍ଷ ଭଳି ଜିଲ୍ଲାରେ କରୋନାର ସ୍ଥିତି ଯେପରି ଅଣାୟତ୍ତ ନହୁଏ, ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି କରାଯାଉଛି। ନିକଟରେ ପର୍ଯ୍ୟଟନ କ୍ଷେତ୍ର ଗୋପାଳପୁର ଓ ସୁନାପୁର ବେଳାଭୂମିକୁ ସପ୍ତାହରେ ଦୁଇ ଦିନ ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ସେହିପରି ସୋମବାର ଦିନ ରାମଲିଙ୍ଗେଶ୍ୱର ପାର୍କ ଓ ତାମ୍ପରା ହ୍ରଦକୁ ମଧ୍ୟ ବନ୍ଦ ରଖିବାକୁ କୁହାଯାଇଛି। ଗଞ୍ଜାମର ପ୍ରସିଦ୍ଧ ମା’ ତାରାତାରିଣୀ ପୀଠକୁ ପ୍ରତି ବୁଧବାର ବନ୍ଦ ରଖିବାକୁ ମଧ୍ୟ ପ୍ରଶାସନ ପକ୍ଷରୁ କୁହାଯାଇଛି।

ଆଜି ରାଜ୍ୟରୁ ୧୭୪୧ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ, ସେମାନଙ୍କ ମଧ୍ୟରେ ଗଞ୍ଜାମର ୯ଜଣ ଥିବା ସୂଚନା ରହିଛି। ଆଜି ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାରୁ ୨୨ହଜାର ୧୭୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ, ୨୪୯ଜଣଙ୍କର ମୃତ୍ୟୁ ହୋଇଛି। ୨୧ହଜାର ୭୮୧ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଯାବତ୍ ଜିଲ୍ଲାରେ ୧୩୩ଟି ସକ୍ରିୟ କେସ୍ ରହିଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

Comment