ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନାର ଦ୍ୱିତୀୟ ପର୍ଯ୍ୟାୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦିନକୁ ଦିନ ଭୟଙ୍କର ପରିସ୍ଥିତି ସୃଷ୍ଟି କରୁଛି କରୋନା ମହାମାରୀ। ଏହାରି ମଧ୍ୟରେ ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନୂଆ ଗାଇଡଲାଇନ୍ ଜାରି କରିଛି ଜିଲ୍ଲା ପ୍ରଶାସନ। ଜିଲ୍ଲାର ସମସ୍ତ ଧାର୍ମିକ ଅନୁଷ୍ଠାନକୁ ଏପ୍ରିଲ ୧୪ରୁ ୨୧ତାରିଖ ପର୍ଯ୍ୟନ୍ତ ବନ୍ଦ ଘୋଷଣା କରାଯାଇଛି।

ବନ୍ଦ ସମୟରେ ଧାର୍ମିକ ଅନୁଷ୍ଠାନଗୁଡ଼ିକ ସାନିଟାଇଜ କରାଯିବ। ଏହି ସମୟରେ ମନ୍ଦିରରେ କେବଳ ପୂଜକମାନେ ଉପସ୍ଥିତ ରହି ରୀତିନୀତି ଅନୁସାରେ ପୂଜା କାର୍ଯ୍ୟ କରିବେ। ଏଥିସହ ସର୍ବସାଧାରଣରେ ମେରୁ ଯାତ୍ରା ଓ ପଣା ସଂକ୍ରାନ୍ତି ନକରିବାକୁ ଘୋଷଣା କରାଯାଇଛି। ଜିଲ୍ଲାର ସମସ୍ତ ପାର୍କ, ସମୁଦ୍ର ବେଳାଭୂମି, ହ୍ରଦ ଆଦି ପର୍ଯ୍ୟଟନ ସ୍ଥାନକୁ ଏପ୍ରିଲ ୨୧ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି।

କରୋନାର ଦ୍ୱିତୀୟ ପର୍ଯ୍ୟାୟରେ ଗଞ୍ଜାମର ସ୍ଥିତି ନିୟନ୍ତ୍ରଣରେ ରହିଥିଲା। ହଠାତ୍ ଜିଲ୍ଲାରୁ ୮୦ଜଣ ପଜିଟିଭ୍ ଚିହ୍ନଟ ହେବାପରେ, ପ୍ରଶାସନ ତତ୍ପର ହୋଇଉଠିଛି। ତେଣୁ କରୋନା ଚେନ୍‌କୁ ଭାଙ୍ଗିବା ପାଇଁ ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି। ଯେଉଁମାନେ ଏହି ନିୟମକୁ ଅବମାନନା କରିବେ, ସେମାନଙ୍କ ବିପକ୍ଷରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଜିଲ୍ଲା ଜରୁରୀ କାଳୀନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Comment