ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ କରୋନା ଲେଉଟାଣିକୁ ନେଇ ଆଗୁଆ ସତର୍କ ହୋଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ। କରୋନାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା ନିର୍ଦ୍ଦେଶାନାମା ଜାରି କରାଯାଇଛି। ରାଜ୍ୟ ବାହାରୁ ଆସୁଥିବା ଲୋକମାନଙ୍କ ପାଇଁ ୭ ଦିନ ହୋମ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ କରାଯାଇଛି। ଏଥିସହ ସେମାନେ ସାଙ୍ଗରେ ଆରଟିପିସିଆର ଟେଷ୍ଟ ରେିପୋର୍ଟ ମଧ୍ୟ ଆଣିବାକୁ କୁହାଯାଇଛି।

ଜିଲ୍ଲାରେ ମାସ୍କ ପରିଧାନକୁ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି। କିଛି ମାସ ହେବ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଶୂନ୍ୟ ଥିବାରୁ, ଲୋକମାନେ ମାସ୍କ ବ୍ୟବହାରକୁ ଏତେଟା ଗୁରୁତ୍ୱ ଦେଉନଥିବାବେଳେ, ଆଜି ପ୍ରଶାସନ ତରଫରୁ ଏହାର ବ୍ୟବହାରକୁ ନେଇ କଡ଼ା ନିର୍ଦ୍ଦେଶ ଦିଆଯାଇଛି।

ଆସନ୍ତା ଦୁଇମାସ ଭିତରେ ଜିଲ୍ଲାରେ ତିନୋଟି ପାରମ୍ପରିକ ପର୍ବ ଅନୁଷ୍ଠିତ ହେବାକୁ ଥିବାରୁ, ଏବେଠାରୁ ସତର୍କ ହୋଇଛି ଜିଲ୍ଲା ପ୍ରଶାସନ। ରାଜ୍ୟ ବାହାରୁ ଯାତ୍ରା ପାଇଁ କୌଣସି ଲୋକ ଆସିପାରିବେ ନାହିଁ। କେବଳ ସ୍ୱାସ୍ଥ୍ୟଜନିତ ସମସ୍ୟା ଥିଲେ, ଆରଟିପିସିଆର ଟେଷ୍ଟ ରିପୋର୍ଟ ନେଇ ଆସିବାକୁ କହିଛନ୍ତି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ। ଏହି ବ୍ୟକ୍ତିମାନେ ୭ ଦିନ ହୋମ କ୍ୱାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ କରାଯାଇଛି। ସହର ଓ ଗାଁମାନଙ୍କରେ ଠିକ୍ ଭାବରେ କରୋନା ନିୟମ ପାଳନ ହେଉଛି କି ନାହିଁ, ତା’ର ସ୍ଥିତି ଅନୁଧ୍ୟାନ କରିବା ପାଇଁ ବିଡିଓ, ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଅନ୍ୟପକ୍ଷରେ ଜିଲ୍ଲାରେ ହୋଲି, ଦୋଳପର୍ବ ଓ ବୁଢ଼ୀ ଠାକୁରାଣୀ ଯାତ୍ରାକୁ ନେଇ କଟକଣା ଲାଗିଛି। ସମସ୍ତେ ଘରେ ରହି ହୋଲି ଖେଳିବେ। ରୀତିନୀତି ଅନୁସାରେ କରୋନା ନିୟମ ମାନି ମନ୍ଦିରରେ ପୂଜା କରାଯିବ। କିନ୍ତୁ ସେଠାରେ କୌଣସି ଶ୍ରଦ୍ଧାଳୁ ଉପସ୍ଥିତ ରହିବେ ନାହିଁ।

କରୋନାର ହବ୍ ପାଲଟିଥିବା ଗଞ୍ଜାମ ଜିଲ୍ଲାରେ ଏବେ କରୋନା ସ୍ଥିତି ନିୟନ୍ତ୍ରଣରେ ରହିଛି। ଆଜି ରାଜ୍ୟରେ ସମୁଦାୟ ୧୪୬ଜଣ କରୋନା ଆକ୍ରାନ୍ତ ଚିହ୍ନ ହୋଇଥିବାବେଳେ, ଗଞ୍ଜାମ ଜିଲ୍ଲାରୁ ୫ଜଣ ଚିହ୍ନଟ ହୋଇଛନ୍ତି। ଯଦି ଏବେଠାରୁ ସତର୍କ ଓ ସଚେତନ ନରହିବେ, ତେବେ ଆଗାମୀ ଦିନରେ ସ୍ଥିତି ପୁଣିଥରେ ଅଣାୟତ୍ତ ହୋଇପାରେ ବୋଲି ଅନୁମାନ କରାଯାଉଛି।

Comment