ଓଡ଼ିଶାଲାଇଭ୍ ବ୍ୟୁରୋ

ପାଠ ପଢ଼ିବା ପାଇଁ କୌଣସି ବୟସ କିମ୍ବା ପଦବୀର ଆବଶ୍ୟକତା ନଥାଏ। ମନରେ ଉଚ୍ଚଶିକ୍ଷା ପ୍ରତି ଆଗ୍ରହ ଥିବାରୁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଉଛନ୍ତି ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ।

ସୋରଡ଼ା ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ସେ ପରୀକ୍ଷା ଦେଉଛନ୍ତି। ଏଥିପାଇଁ ସକାଳ ୯.୪୫ମିନିଟ ସମୟରେ ହାତରେ ଆଡମିଟ୍ କାର୍ଡ ଧରି ପରୀକ୍ଷା କେନ୍ଦ୍ରରେ ପହଞ୍ଚିଥିଲେ। ତାଙ୍କର ସ୍ଵାସ୍ଥ୍ୟଗତ ସମସ୍ୟା କାରଣରୁ ସେ ଏକ ସ୍ଵତନ୍ତ୍ର ଶ୍ରେଣୀଗୃହରେ ପରୀକ୍ଷା ଦେଇଛନ୍ତି। ଅନ୍ୟ ଶ୍ରେଣୀଗୃହ ଭଳି ଉକ୍ତ ଶ୍ରେଣୀଗୃହରେ ମଧ୍ୟ ସ୍କୁଲ କର୍ତ୍ତୃପକ୍ଷଙ୍କ ତରଫରୁ ସିସିଟିଭି ଲଗାଯାଇଥିଲା। ପରୀକ୍ଷା ଦେବା ସମୟରେ ତାଙ୍କ ପାଖରେ ଜଣେ ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।ସେ ୩ଥର ବିଧାୟକ ହୋଇଛନ୍ତି। କିନ୍ତୁ ତାଙ୍କ ମନରେ ଉଚ୍ଚଶିକ୍ଷା ପ୍ରତି ଥିବା ଆଗ୍ରହ କେବେ କମିନାହିଁ। ସେଥିପାଇଁ ଆଜି ସେ ମାଟ୍ରିକ ପରୀକ୍ଷା ଦେଉଥିବା କହିଛନ୍ତି। ପୂର୍ବରୁ ବହୁବାର ପରୀକ୍ଷା ଦେବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ପାରିବାରିକ, ରାଜନୈତିକ ସମସ୍ୟା ଯୋଗୁଁ ସୁଯୋଗ ପାଉନଥିଲେ। ଚଳିତ ବର୍ଷ ତାଙ୍କର ଇଚ୍ଛା ପୂରା ହୋଇଥିବା କହିଛନ୍ତି ବିଧାୟକ।

ଅନ୍ୟପଟେ ଆଜିଠୁ ସମ୍ପୂର୍ଣ୍ଣ କୋଭିଡ କଟକଣା ଭିତରେ ଆରମ୍ଭ ହୋଇଛି ମାଟ୍ରିକ ଅଫଲାଇନ ପରୀକ୍ଷା। ପ୍ରାୟ ୧୫ହଜାରରୁ ଅଧିକ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ୫୦୪ଟି କେନ୍ଦ୍ରରେ ପରୀକ୍ଷା ଦେଇଛନ୍ତି। ପରୀକ୍ଷା ଦେବା ପୂର୍ବରୁ ଛାତ୍ରଛାତ୍ରୀମାନଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇଥିଲା।

Comment