ଓଡ଼ିଶାଲାଇଭ୍ ବ୍ୟୁରୋ

ଗଞ୍ଜାମର ତିନୋଟି ପାରମ୍ପରିକ ଯାତ୍ରା ଦଣ୍ଡ ନାଟ, ଠାକୁରାଣୀ ଯାତ୍ରା ଓ ତାରାତାରିଣୀ ଉତ୍ସବକୁ ନେଇ ଜିଲ୍ଲା ପ୍ରଶାସନର ଚିନ୍ତା ବଢ଼ିଛି। ଆସନ୍ତା ଦୁଇ ମାସ ଭିତରେ ଏହି ତିନୋଟି ଯାତ୍ରା ଅନୁଷ୍ଠିତ ହେବ। ପ୍ରଶାସନ ପକ୍ଷରୁ ଜିଲ୍ଲାରେ ଏହି ସବୁ ଯାତ୍ରା କରିବା ପାଇଁ ଅନୁମତି ମିଳିଥିଲେ ହେଁ ଜନ ସମାଗମରେ ନିୟମ ଅନୁଯାୟୀ ସବୁ କିଛି ହେବା ଅସମ୍ଭବ ବୋଲି ଚର୍ଚ୍ଚା ହେଉଛି।

ପ୍ରଶାସନର ଅନୁମତି ଅନୁସାରେ ଆସନ୍ତା ସପ୍ତାହରେ ଦଣ୍ଡ ନାଟ ଓ ମାର୍ଚ୍ଚ ୩୦ରେ ତାରାତାରିଣୀ ଯାତ୍ରା ଅନୁଷ୍ଠିତ ହେବ। ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରି କରୋନା ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ଆୟୋଜକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଏହି ଯାତ୍ରା ପାଇଁ ଅନ୍ୟ ରାଜ୍ୟରେ କାର୍ଯ୍ୟରତ ଗଞ୍ଜାମବାସିନ୍ଦା ନିଜ ଅଞ୍ଚଳକୁ ଫେରିପାରନ୍ତି। ତେଣୁ ସେମାନଙ୍କୁ କିଭଳି ନିୟନ୍ତ୍ରଣ କରାଯିବ, ସେନେଇ ଚିନ୍ତାରେ ଜିଲ୍ଲା ପ୍ରଶାସନ।

ଏଥିସହ ବ୍ରହ୍ମପୁର ଠାକୁରାଣୀ ଯାତ୍ରା ଶୁଭଖୁଣ୍ଟି ପକାଇବା ପାଇଁ ଦିନ ଘୋଷଣା କରାଯାଇଛି।

ରାଜ୍ୟର ଗଞ୍ଜାମ ଜିଲ୍ଲା କରୋନାରେ ଅଧିକ ପ୍ରଭାବିତ ହୋଇଥିଲା। ପ୍ରଶାସନର ଅନେକ ପ୍ରୟାସପରେ ଜିଲ୍ଲାରେ କରୋନା ଗ୍ରାଫ ନିୟନ୍ତ୍ରଣରେ ରହିଛି। ତେବେ ଆଗକୁ ହେବାକୁ ଥିବା ଯାତ୍ରା ସମୟରେ ଯେଉଁ ଭିଡ଼ ପରିଲକ୍ଷିତ ହେବ ଏହାକୁ ପରିଚାଳନା କରିବା ପ୍ରଶାସନ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇଛି।

Comment