ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗଞ୍ଜାମ ଜିଲ୍ଲାରେ ଚିନ୍ତା ବଢ଼ାଇଲେ ପ୍ରବାସୀ।

ଓଡ଼ିଶାର ଗଞ୍ଜାମ ଜିଲ୍ଳା ହେଉଛି କରୋନା ହଟସ୍ପଟ। ଏହି ଜିଲ୍ଲା ସରକାରଙ୍କ ଚିନ୍ତା ବଢାଇଦେଇଛି। ଉଭୟ ନୂଆ ମାମଲା ଓ ମୃତ୍ୟୁ ସଂଖ୍ୟା କ୍ଷେତ୍ରରେ ଏହି ଜିଲ୍ଲା ସବୁ ଜିଲ୍ଲାକୁ ପଛରେ ପକାଇ ଦେଇଛି। କାହିଁକି ଏଭଳି ହେଲା ଓ ଏହାର ମୂଳ କାରଣ କ’ଣ ଆସନ୍ତୁ ନଜର ପକାଇବା।

ପ୍ରବାସୀ ଶ୍ରମିକ

ଗଞ୍ଜାମ ସର୍ବାଧିକ ଆକ୍ରାନ୍ତ ଜିଲ୍ଲା ହେବା ପଛରେ ମୁଖ୍ୟ କାରଣ ହେଉଛି ପ୍ରବାସୀ ଶ୍ରମିକଙ୍କ ଆଗମନ। ତାଲା ବନ୍ଦ ପରେ ଓଡ଼ିଶାକୁ ଯେଉଁ ୫ ଲକ୍ଷ ୫୦ ହଜାର ପ୍ରବାସୀ ଓଡ଼ିଆ ଫେରିଛନ୍ତି ସେଥିରୁ କେବଳ ଗଞ୍ଜାମର ଭାଗ ହେଉଛି ୪ ଲକ୍ଷ। ଜିଲ୍ଲାପାଳ ବିଜୟ ଅମୃତ କାଳୁଙ୍ଗେଙ୍କ କହିବା ଅନୁଯାୟୀ ଲକଡାଉନ ପରେ ପ୍ରାୟ ୧ ହଜାର ବସ ଓ ୨୦୦ ସ୍ୱତନ୍ତ୍ର ଟ୍ରେନରେ ଏହି ଶ୍ରମିକମାନେ ଆସିଥିଲେ। ତା’ଛଡ଼ା କାର, ମୋଟର ସାଇକେଲ, ଡଙ୍ଗା ଓ ଏପରିକି ପାଦରେ ଚାଲି ଚାଲି ଶ୍ରମିକମାନେ ଗଞ୍ଜାମ ଫେରିଥିଲେ।

ଖାଲି ସେତିକି ନୁହେଁ, ଲକଡାଉନ କଟକଣା ଉଠିବା ପରେ ମଧ୍ୟ ପ୍ରାୟ ୨୫୦ ଟ୍ରେନରେ ଶ୍ରମିକମାନେ ଫେରିଥିଲେ। ଏଣୁ ଦେଖିବାକୁ ଗଲେ ବାହାର ରାଜ୍ୟରୁ ଯେତେ ଶ୍ରମିକ ଫେରିଛନ୍ତି ତା’ ଭିତରୁ ପ୍ରାୟ ୮୦ ପ୍ରତିଶତ ଶ୍ରମିକ କେବଳ ଗଞ୍ଜାମକୁ ଆସିଛନ୍ତି।

କେବଳ ଅନ୍ୟ ରାଜ୍ୟରୁ ଫେରିଥିବା ଶ୍ରମିକ ନୁହନ୍ତି, ଅନ୍ୟ ଜିଲ୍ଲାରୁ ଯେଉଁ ଶ୍ରମିକମାନେ ଗଞ୍ଜାମକୁ ଫେରିଥିଲେ ସେମାନଙ୍କୁ ମଧ୍ୟ କ୍ୱାରାନଟାଇନ ସେଣ୍ଟରରେ ରଖାଯାଇଥିଲା। ଏଣୁ ଗଞ୍ଜାମ ହିଁ କହିବାକୁ ଗଲେ ସବୁଠାରୁ ବଡ଼ ବୋଝ ମୁଣ୍ଡାଇ ଆସିଛି। ଓଡ଼ିଶା ସରକାରଙ୍କ କୋଭିଡ ପରାମର୍ଶଦାତା ପ୍ରଫେସର ଜୟନ୍ତ ପଣ୍ଡାଙ୍କ ମତରେ ଗଂଜାମ ଜିଲ୍ଲା ଚାରିଆଡ଼େ ମୁକୁଳା ପଡ଼ିଥିବାରୁ ବହୁ ଲୋକ ଏଠାକୁ  ଆସିଛନ୍ତି ଯାହାର ହିସାବ ରଖା ଯାଇପାରିନାହିଁ।

ଗଞ୍ଜାମରେ ଶ୍ରମିକ ଅଧିକ

ଗଞ୍ଜାମ ଜିଲ୍ଲାରେ ଯଦି ପ୍ରତିଦିନ ଶହ ଶହ ଆକ୍ରାନ୍ତ ବାହାରିଛନ୍ତି ତାର ଅସଲ କାରଣ ଏହି  ପ୍ରବାସୀଙ୍କ ସଂଖ୍ୟା। ଗଞ୍ଜାମ ଜିଲ୍ଲାପାଳଙ୍କ ମତରେ ଗଞ୍ଜାମ ଯେମିତି ଚାପ ଅନୁଭବ କରିଛି ଅନ୍ୟ କୌଣସି ଜିଲ୍ଲା ତାହା ଅନୁଭବ କରିନାହାନ୍ତି।

ଯଦି ପଡ଼ୋଶୀ ଝାଡଖଣ୍ଡ, ବିହାର ଓ ଛତିଶଗଡ଼ ସହିତ ଓଡ଼ିଶାକୁ ତୁଳନା କରାଯାଏ ଗୋଟିଏ କଥା ଆଖିରେ ପଡ଼ିବ ଯେ, ଏହି ସବୁ ରାଜ୍ୟକୁ ଯେଉଁ ପ୍ରବାସୀ ଶ୍ରମିକ ଫେରିଛନ୍ତି ସେମାନେ ମୁଖ୍ୟତଃ ରାଜ୍ୟ ରାଜଧାନୀକୁ ହିଁ ଆସିଛନ୍ତି। ଓଡ଼ିଶା ଏକମାତ୍ର ରାଜ୍ୟ ଯେଉଁଠି ପ୍ରବାସୀ ଓଡ଼ିଆମାନେ ଖୋର୍ଦ୍ଧା ବା ଭୁବନେଶ୍ୱରରେ ନରହି  ଗଞ୍ଜାମକୁ ଆସିଛନ୍ତି। ଏହାର କାରଣ ଐତିହାସିକ। ବହୁ ବର୍ଷ ଧରି ଗଞ୍ଜାମରୁ ବହୁ ଲୋକ ଦାଦନ ଖଟିବାକୁ ଯାଇଛନ୍ତି ଏବଂ ଏବେ କରୋନା ଯୋଗୁଁ ଜିଲ୍ଲାର ଲୋକେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି।

ଅଧିକ ଟେଷ୍ଟିଂ

ଗଞ୍ଜାମ ଜିଲ୍ଲାରେ ଅଧିକ ସଂଖ୍ୟକ କରୋନା  ଆକ୍ରାନ୍ତ ବାହାରିବା ପଛରେ ଅନ୍ୟ ଏକ କାରଣ ହେଲା ଏଠି ବହୁ ପରିମାଣରେ ଟେଷ୍ଟିଙ୍ଗ କରାଯାଇଛି। ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ପବ୍ଲିକ ହେଲଥର ଭୂପୁତ୍ର ପଣ୍ଡାଙ୍କ କହିବା ଅନୁଯାୟୀ ଯେଉଁ ଜିଲ୍ଲାରେ ଯେତେ ଅଧିକ ଟେଷ୍ଟିଙ୍ଗ ହୋଇଛି ସେତେ ଅଧିକ ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିପାଇଁ ଗଞ୍ଜାମ ଜିଲ୍ଲାରେ ପଜିଟିଭ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି।

ଭୁବନେଶ୍ୱରସ୍ଥିତ ଇନଷ୍ଟିଚ୍ୟୁଟ ଅଫ ଲାଇଫ ସାଇନ୍ସର ଏକ ଅନୁଧ୍ୟାନ ଅନୁସାରେ ଗଞ୍ଜାମ ଜିଲ୍ଲାରେ କରୋନାର ୫ଟି ଷ୍ଟ୍ରେନ ଭିତରୁ ଯେଉଁ ଷ୍ଟ୍ରେନଟି ଲୋକଙ୍କ ଭିତରେ ରହିଛି ତାହା ଅତ୍ୟନ୍ତ ଭୟାବହ ଓ କମ ସମୟରେ ଏହା  ଅଧିକ ଲୋକଙ୍କୁ ଆକ୍ରାନ୍ତ କରିଥାଏ। ବିଶେଷକରି ଯେଉଁମାନେ ଅହମ୍ମଦାବାଦ ଓ ସୁରତରୁ ଆସିଛନ୍ତି ସେମାନଙ୍କଠାରେ ଏହି ନିର୍ଦ୍ଦିଷ୍ଟ ଭୂତାଣୁ ଚିହ୍ନଟ କରାଯାଇଛି। ଅପରପକ୍ଷରେ ପଶ୍ଚିମବଙ୍ଗକୁ ଯେଉଁ ପ୍ରବାସୀ ଶ୍ରମିକମାନେ ଫେରିଥିଲେ ସେମାନଙ୍କଠାରେ ଥିବା ଭୂତାଣୁର ପ୍ରକାର ଏତେ ବିପଦଜନକ ନୁହେଁ। ଏହାର ପ୍ରମାଣ ପଶ୍ଚିମବଙ୍ଗରେ ଘର ଭିତରେ ଥିବା ପଜିଟିଭ ରୋଗୀଙ୍କଠାରୁ ଅନ୍ୟ କେହି ହେବା ତ ଦୂରର କଥା ପରିବାର ଲୋକେ ମଧ୍ୟ ଆକ୍ରାନ୍ତ ହୋଇନାହାନ୍ତି।

ଦେଖିବା ପାଇଁ ଗଲେ ଗଞ୍ଜାମ ଜିଲ୍ଲାର ସ୍ଥିତି ଅନ୍ୟ ଜିଲ୍ଲାଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଏହି କାରଣରୁ ଏଠାରେ କରୋନା ମୁକାବିଲାର ରାସ୍ତା ବି ଅଲଗା। କରୋନା ଯଦି ଗଞ୍ଜାମରେ ଆଜି ନାହିଁ ନଥିବା ପରିସ୍ଥିତି ସୃଷ୍ଟି କରିଛି ତାହାର କାରଣ ଏହି ଜିଲ୍ଲାର ଲୋକଙ୍କର ଗରିବୀ, କାମ ଧନ୍ଦା ନପାଇବା ଓ ବର୍ଷ ବର୍ଷ ଧରି ଦାଦନ ଶ୍ରମିକ ଭାବେ ଚାଲାଣ ହେବା। ଯଦି ଗଞ୍ଜାମ ଦାଦନ ଫେରନ୍ତାଙ୍କ ପେଣ୍ଠ ହୋଇନଥାନ୍ତା କରୋନା ଏଭଳି ଭୟଙ୍କର ସ୍ଥିତି ସୃଷ୍ଟି କରିନଥାନ୍ତା।

Comment