ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ନିର୍ବାଚନର ବହୁ ଆଗରୁ ପ୍ରାର୍ଥୀ ଚୟନ କରିବାକୁ କଂଗ୍ରେସ କହିବା ପରେ ଏବେ ସେହି ରାସ୍ତାରେ ପାଦ ଦେଇଛନ୍ତି ବିଜେଡି ଏବଂ ବିଜେପି।

୨୦୧୯ ବିଧାନସଭା ନିର୍ବାଚନ ଯେତିକି ନିକଟତର ହେଉଛି ତିନି ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ସେତିକି ତତ୍ପରତା ପ୍ରକାଶ ପାଇଛି। ବିଶେଷକରି ପ୍ରାର୍ଥୀ ଚୟନକୁ ନେଇ ସବୁ ଦଳ ଏବେଠାରୁ ଅଣ୍ଟା ଭିଡ଼ିଲେଣି।

ଆଗାମୀ ନିର୍ବାଚନ ପାଇଁ ତାରିଖ ଘୋଷଣାର ଢେର ଆଗରୁ ପ୍ରାର୍ଥୀ ତାଲିକା ପ୍ରସ୍ତୁତ ହେବ ବୋଲି ନୂଆ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଘୋଷଣା କରିବା ପରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ତାଙ୍କ ଦଳ ମଧ୍ୟ ସେହି ବାଟ ଧରିବ। ନିର୍ବାଚନର ବେଶ୍ ଆଗରୁ ପ୍ରାର୍ଥୀ ତାଲିକା ପ୍ରସ୍ତୁତ ହୋଇଯିବ।

ଆସନ୍ତା ବର୍ଷ ମାର୍ଚ୍ଚ ଆଡ଼କୁ ବିଧାନସଭା ଓ ଲୋକସଭା ନିର୍ବାଚନ ହେବ। ନବୀନଙ୍କ ଏହି ଘୋଷଣା ପରେ ବିଜେଡି ବିଧାୟକମାନେ ନବୀନ ନିବାସ ଯିବା ଆରମ୍ଭ କରିଛନ୍ତି ଓ ମୁଖ୍ୟମନ୍ତ୍ରୀ ସେମାନଙ୍କ କାର୍ଯ୍ୟର ସମୀକ୍ଷା କରୁଛନ୍ତି। ଖାଲି ସେତିକି ନୁହେଁ, ମୁଖ୍ୟମନ୍ତ୍ରୀ ସେମାନଙ୍କୁ ନୂଆ କାମ ବି ଦେଉଛନ୍ତି।

ଶୁଣାଯାଉଛି ଏହି ସମୀକ୍ଷା ଶେଷ ହେବା ପରେ ଲୋକସଭା ଓ ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରାଯିବ। କେବେ ପ୍ରାର୍ଥୀ ତାଲିକା ଘୋଷଣା ହେବ ସେ ସମ୍ପର୍କରେ ଶୀଘ୍ର ଜଣାଇଦିଆଯିବ ବୋଲି ନବୀନ କହିଛନ୍ତି। ଅଭିଜ୍ଞ ମହଲରେ ଯାହା ଆଲୋଚନା ହେଉଛି ଶାସକ ଦଳ ପାଇଁ ଆଗୁଆ ପ୍ରାର୍ଥୀ ଘୋଷଣାରେ କିଛି ଅସୁବିଧା ନାହିଁ। କିନ୍ତୁ ଦଳ ଭିତରେ ଲାଗିଥିବା ଗୋଷ୍ଠି କନ୍ଦଳ ଯୋଗୁଁ ଏହା ବିଳମ୍ବିତ ହୋଇପାରେ।

ତା’ ଛଡା ଅଧିକାଂଶ ବିଧାୟକଙ୍କ ନାମରେ ଦୁର୍ନୀତି ମାମଲା ରହିଛି ଯାହାକି ପ୍ରାର୍ଥୀ ଚୟନ ବେଳେ ଅସୁବିଧା ସୃଷ୍ଟି କରିପାରେ। ଶୀଘ୍ର ପ୍ରାର୍ଥୀ ତାଲିକା ପ୍ରକାଶରେ ଆଉ ଗୋଟିଏ ଅସୁବିଧା ମଧ୍ୟ ଅଛି। ବର୍ତ୍ତମାନ ବିଧାୟକଙ୍କ ଭିତରୁ ଯେଉଁମାନେ ଟିକେଟ ନ ପାଇବେ ସେମାନେ ଦଳ ଛାଡ଼ି ଅନ୍ୟ ଦଳରେ ଯୋଗ ଦେଇ ପାରନ୍ତି, ଯାହାକି ଦଳୀୟ ପ୍ରାର୍ଥୀଙ୍କ ପାଇଁ କ୍ଷତି ପହଞ୍ଚାଇପାରେ।

ଗତ ୨୦୧୪ ନିର୍ବାଚନରେ ଅନେକଗୁଡ଼ିଏ ନୂଆ ମୁହଁ ଦେବାରେ ଶାସକ ବିଜେଡି ସମର୍ଥ ହୋଇଥିଲା। କିନ୍ତୁ ଏଥର ତାହା ସମ୍ଭବ ହେବ କି ନା ସେ ନେଇ ଦଳ ଭିତରେ ଆକଳନ ଚାଲିଛି। ଆସନ୍ତା ବର୍ଷ ହେବାକୁ ଥିବା ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ମଧ୍ୟ ଜୋରଦାର ପ୍ରସ୍ତୁତି ଚାଲିଛି। ଦାୟୀତ୍ୱ ଗ୍ରହଣ କରିବା ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ଅନ୍ୟ ନେତାମାନେ ବିଭିନ୍ନ ବର୍ଗର ସଦସ୍ୟଙ୍କ ସହ ଆଲୋଚନା କରୁଛନ୍ତି।

୨୦୧୯ ପୂର୍ବରୁ କିପରି ତୃଣମୂଳ ସ୍ତରରେ ଦଳର ସଙ୍ଗଠନକୁ ସୁଦୃଢ଼ କରାଯିବ ସେ ନେଇ ସମସ୍ତେ ଲାଗି ପଡ଼ିଛନ୍ତି। ନିରଞ୍ଜନ ଆଗରୁ କହି ସାରିଛନ୍ତି ଯେ ଅନ୍ତତଃ ୫୦ ପ୍ରତିଶତ ଆସନ ପାଇଁ ପ୍ରାର୍ଥୀ ଘୋଷଣା ଅଗଷ୍ଟ ମାସ ଶେଷ ସୁଦ୍ଧା କରାଯିବ। ବିଜେଡି ଓ କଂଗ୍ରେସକୁ ଟକ୍କର ଦେବା ପାଇଁ ବିଜେପି ମଧ୍ୟ ତାର ପ୍ରସ୍ତୁତି ଆରମ୍ଭ କରିଦେଇଛି। ନିର୍ବାଚନ ମଣ୍ଡଳୀ ସ୍ତରରେ ଦଳ ପକ୍ଷରୁ ଆ ଲୋଚନା ବୈଠକ ହେଉଛି। ବିଜେପି ମଧ୍ୟ ଚାହୁଁଛି ଯଥେଷ୍ଟ ଆଗରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରିବ। ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି ଯେ ଦଳର ନେତାମାନେ ଏହି କାମରେ ମୁଣ୍ଡ ଭର୍ତ୍ତି କରିସାରିଲେଣି ଓ ଅନ୍ୟ ଦଳ ଭଳି ଢେର ଆଗରୁ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ।

Comment