ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳ ନେତା ହୋଇଛନ୍ତି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ। ଏନେଇ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି।

ଦିଲ୍ଲୀପ ତିର୍କୀ ରାଜ୍ୟସଭାରେ ବିଜେଡିର ନେତା ଥିଲେ। କିନ୍ତୁ ତାଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଏହି ପଦବୀ ଖାଲି ପଡ଼ିଥିଲା। ଦିଲ୍ଲୀପ ତିର୍କୀଙ୍କ ଜାଗାରେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ନେତା କରିଛି ବିଜେଡି।

୨୦୧୬ ଜୁନ୍ ୩ ତାରିଖରେ ଓଡ଼ିଶାରେ ୩ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହୋଇଥିଲା। ପ୍ରସନ୍ନ ଆଚାର୍ଯ୍ୟ, ଏନ୍‌ ଭାସ୍କର ରାଓ ଏବଂ ବିଷ୍ଣୁ ଦାସ ରାଜ୍ୟସଭାକୁ ଯାଇଥିଲେ।

୨୦୧୪ ବିଧାନସଭା ନିର୍ବାଚନରେ ପ୍ରସନ୍ନ ଆଚାର୍ଯ୍ୟ ବିଜେପୁରରୁ ନିର୍ବାଚନ ଲଢ଼ିଥିଲେ। ହେଲେ କଂଗ୍ରେସ ପ୍ରାର୍ଥୀ ସୁବଳ ସାହୁଙ୍କଠାରୁ ପରାଜିତ ହୋଇଥିଲେ। ଏହାପରେ ତାଙ୍କୁ ରାଜ୍ୟସଭାକୁ ପଠାଇଥିଲେ ବିଜେଡି ସୁପ୍ରିମୋ।

୨୦୦୯ରେ ପ୍ରସନ୍ନ ଆଚାର୍ଯ୍ୟ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ପ୍ରସନ୍ନ ଗୁରୁତ୍ୱପୂର୍ଣ୍ଣ ଅର୍ଥ ଏବଂ ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ ମନ୍ତ୍ରୀ ମଧ୍ୟ ରହିଥିଲେ।

ବିଜେଡିର ମହାନଦୀ ମହାଲଢ଼େଇରେ ପ୍ରସନ୍ନ ଆଚାର୍ଯ୍ୟ ଏବେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ବିଜେପୁର ଉପ-ନିର୍ବାଚନରେ ମଧ୍ୟ ପ୍ରସନ୍ନ ବିଜେଡି ପାଇଁ ଗୋଟି ଚାଳନା କରିଥିଲେ। ପ୍ରସନ୍ନ ଆଚାର୍ଯ୍ୟ ଜଣେ ଅଭିଜ୍ଞ ଏବଂ ବରିଷ୍ଠ ନେତା ହୋଇଥିବାରୁ ତାଙ୍କୁ ଦଳ ରାଜ୍ୟସଭାରେ ନେତା କରିଥିବା ଆଲୋଚନା ହେଉଛି।

Comment