ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍ କରନ୍ତୁ ଓଡ଼ିଶାଲାଇଭ୍ର ‘ଆଜିର ବଡ଼ ଖବର’।

ମାଡ଼ି ଆସୁଛି ଝଡ଼: ଓଡ଼ିଶା ସମେତ ୧୩ ରାଜ୍ୟରେ ବର୍ଷା, ବଢ଼ିବ ପବନର ବେଗ
ଉତ୍ତର ଭାରତରେ ତାଣ୍ଡବ ରଚିଥିବା ଝଡ଼ତୋଫାନ ପୁଣି ଲେଉଟିଛି।। କର୍ଣ୍ଣାଟକ, ଉତ୍ତରପ୍ରଦେଶ, ଓଡ଼ିଶା, ପଶ୍ଚିମବଙ୍ଗ, ଦିଲ୍ଲୀ ସମେତ ୧୩ଟି ରାଜ୍ୟରେ ଜୋରଦାର ଝଡ଼ତୋଫାନ ହେବାର ସମ୍ଭାବନା ରହିଛି। କର୍ଣ୍ଣାଟକ ଏବଂ ଦିଲ୍ଲୀରେ ଏବେ ପବନର ବେଗ ବଢ଼ିଛି। ଘଣ୍ଟାକୁ ୭୦ କିମି ବେଗରେ ପବନ ବହୁଥିବା ସୂଚନା ମିଳିଛି।
ସାଢ଼େ ୩ ଘଣ୍ଟା ପରେ ଇଡି ଅଫିସରୁ ବାହାରିଲେ ପ୍ରଣବ
ଗ୍ୟାଙ୍ଗଷ୍ଟର ଧଳ ସାମନ୍ତ ବ୍ରଦର୍ସଙ୍କ ସହ ବ୍ୟବସାୟିକ ସମ୍ପର୍କ ରଖିବା ଅଭିଯୋଗରେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ଆଜି ଇଡି ଅଫିସରେ ହାଜର ହୋଇଥିଲେ। ଇଡି ଅଧିକାରୀ ବିଧାୟକଙ୍କୁ ସାଢ଼େ ୩ ଘଣ୍ଟା ଧରି ଜେରା କରିଛନ୍ତି। ସାଢ଼େ ୩ ଘଣ୍ଟା ପରେ ପ୍ରଣବ ଇଡି ଅଫିସରୁ ବାହାରିଛନ୍ତି।
ପ୍ରସନ୍ନ ଆଚାର୍ଯ୍ୟ ହେଲେ ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳ ନେତା
ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳ ନେତା ହୋଇଛନ୍ତି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ। ଏନେଇ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି। ଦିଲ୍ଲୀପ ତିର୍କୀ ରାଜ୍ୟସଭାରେ ବିଜେଡିର ନେତା ଥିଲେ। କିନ୍ତୁ ତାଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଏହି ପଦବୀ ଖାଲି ପଡ଼ିଥିଲା। ଦିଲ୍ଲୀପ ତିର୍କୀଙ୍କ ଜାଗାରେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ନେତା କରିଛି ବିଜେଡି।
ସହରାଞ୍ଚଳ ବସ୍ତିବାସିନ୍ଦାଙ୍କୁ ମିଳିଲା ଜମି ଅଧିକାର: ପଟ୍ଟା ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ
ସହରାଞ୍ଚଳ ବସ୍ତି ବାସିନ୍ଦାକୁ ମିଳିଲା ଜମି ଅଧିକାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଛତ୍ରପୁର ଷ୍ଟାଡିୟମରେ ଏହାର ଶୁଭାରମ୍ଭ କରିଛନ୍ତି। ଗଞ୍ଜାମ ଏବଂ ପୁରୀ ଜିଲ୍ଲାର ୯ଟି ପୌରାଞ୍ଚଳର ୨ ହଜାର ବସ୍ତିବାସିନ୍ଦାଙ୍କୁ ଜମି ଅଧିକାର ପ୍ରମାଣପତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
ବମିଖାଲ ଓଭରବ୍ରିଜ କାମରୁ ବାଦ୍ ପଡ଼ିବ ପଣ୍ଡା ଇନଫ୍ରା
ବମିଖାଲ ଓଭରବ୍ରିଜ ଦୁଇ ଦୁଇଟି ଜୀବନ ନେବା ପରେ ପ୍ରଶାସନର ଚେତା ପଶିଛି। ଏହି ଓଭରବ୍ରିଜ ନିର୍ମାଣ କାମରୁ ପଣ୍ଡା ଇନଫ୍ରା କମ୍ପାନିକୁ ବାଦ୍ ଦେବା ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଛି। ଏନେଇ ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ ସୂଚନା ଦେଇଛନ୍ତି।
ଦୀପକ ମିଶ୍ରଙ୍କ ନାଁରେ ମହାଭିଯୋଗ ପ୍ରସ୍ତାବ ଖାରଜ: ସୁପ୍ରିମକୋର୍ଟ ଗଲେ କଂଗ୍ରେସର ଦୁଇ ସାଂସଦ
ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ରଙ୍କ ବିରୋଧରେ ଆସିଥିବା ମହାଭିଯୋଗ ମାମଲା ଥମିବାର ନାଁ ନେଉ ନାହିଁ। ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁଙ୍କ ଦ୍ୱାରା ମହାଭିଯୋଗ ମାମଲା ଖାରିଜ ହେବା ବିରୋଧରେ କଂଗ୍ରେସର ଦୁଇ ରାଜ୍ୟସଭା ସାଂସଦ ସୁପ୍ରିମକୋର୍ଟ ଯାଇଛନ୍ତି।
ପାର୍ସଲ ବୋମା ବିସ୍ଫୋରଣ: ରିମାଣ୍ଡ ଶେଷ ପରେ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲା ପୁଞ୍ଜିଲାଲ
ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଖଳନାୟକ ପୁଞ୍ଜିଲାଲ ମେହେରର ସରିଛି ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି। ରିମାଣ୍ଡ ଶେଷ ପରେ ତାଙ୍କୁ ୧୪ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।
ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶିତ: ୪ ଲକ୍ଷ ୩୮ ହଜାର ୩୪୮ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ, ଆଗରେ ଛାତ୍ରୀ
ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୨୦୧୮ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି। ଚଳିତବର୍ଷ ପାସ୍ ହାର ୭୬.୨୩ପ୍ରତିଶତ ହୋଇଛି। ସୋମବାରଦିନ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ମାଟ୍ରିକ୍ ପରୀକ୍ଷା ଫଳ ପୁସ୍ତିକାକୁ ଉନ୍ମୋଚନ କରିଛନ୍ତି। ଏଥର ଛାତ୍ରମାନଙ୍କଠାରୁ ଛାତ୍ରୀମାନେ ଆଗୁଆ ଅଛନ୍ତି।














