ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଖଳନାୟକ ପୁଞ୍ଜିଲାଲ ମେହେରର ସରିଛି ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି। ରିମାଣ୍ଡ ଶେଷ ପରେ ତାଙ୍କୁ ୧୪ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।

ବଲାଙ୍ଗୀର ଜିଲ୍ଲାର ବହୁଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଖଳନାୟକ ପୁଞ୍ଜିଲାଲ ମେହେରର ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ଶେଷ ହୋଇଛି। ରିମାଣ୍ଡ ଶେଷ ହେବା ପରେ ପୁଞ୍ଜିଲାଲକୁ ପାଟଣାଗଡ ଏସଡିଜେଏମ କୋର୍ଟରେ ହାଜର କରାଯାଇଥିଲା। ଏହାପରେ ତାକୁ ୧୪ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡରେ ଯାଇଥିବା ପୁଞ୍ଜିଲାଲକୁ ରାୟପୁରକୁ ନେଇ ଡେମୋ କରାଇଥିଲା କ୍ରାଇମବ୍ରାଞ୍ଚ। କଣ୍ଟାବାଞ୍ଜିରୁ ରାୟପୁର ଯିବା ପରେ ସେଠାରେ କେମିତି ବୁକିଂ କରିଥିଲା ଆତ୍ମଘାତୀ ପାର୍ସଲ, କେଉଁ ଅଟୋଚାଳକ ମାଧ୍ୟମରେ ସ୍କାଏକିଙ୍ଗ କୋରିୟର ପାର୍ସଲ ବୁକିଂ କରିଥିଲା ଏସମସ୍ତ  ତଥ୍ୟ କ୍ରାଇମବ୍ରାଞ୍ଚକୁ ଡେମୋ କରିବା ସହ ପ୍ରମାଣ ଦେଇଥିଲା ପୁଞ୍ଜିଲାଲ। ଏହି ତଥ୍ୟ ଆଧାରରେ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବ୍ରୋଥାଙ୍କ ନେତୃତ୍ବରେ ଏକ ଟିମ୍ ରାୟପୁରରେ ଖୋଳତାଡ଼ କରିଥିଲେ। ଏହାପରେ ପୁଞ୍ଜିଲାଲକୁ ରାୟପୁରରୁ ଆଣି କେମିତି ସେ ତିଆରି କରିଥିଲା ବୋମା ତାହାର ମଧ୍ୟ ଡେମୋ କରିଥିଲା କ୍ରାଇମବ୍ରାଞ୍ଚ। ତାହା ପରେ କୋର୍ଟରେ ପୁଞ୍ଜିଲାଲକୁ ହାଜର କରାଯାଇଛି।

ସେପଟେ ପୁଞ୍ଜିଲାଲର ଓକିଲ ଶ୍ରୀମଦ୍‌ ପାଣିଗ୍ରାହୀ କହିଛନ୍ତି, “ଏସଡିଜିମ କୋର୍ଟରେ ପୁଞ୍ଜିଲାଲର ଜାମିନ ଆବେଦନ ଖାରଜ ହୋଇଥିବାରୁ ଜିଲ୍ଲା ଦୌରାଜଜଙ୍କ ଅଦାଲତରେ ପୁଣି ଥରେ ଜାମିନ ଆବେଦନ କରାଯିବ”।

ରିମାଣ୍ଡ ଅବଧି ମଧ୍ୟରେ କ୍ରାଇମବ୍ରାଞ୍ଚ ପୁଞ୍ଜିଲାଲ ନିକଟରୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଛି କ୍ରାଇମବ୍ରାଞ୍ଚ।

“ଯାଞ୍ଚବେଳେ ପୁଞ୍ଜିଲାଲ ସମସ୍ତ ସହଯୋଗ କରିଛି। ଘଟଣାର ସମସ୍ତ ପ୍ରମାଣ କୋର୍ଟରେ ଉପସ୍ଥାପନ କରିବାକୁ ଆମେ ସମର୍ଥ। କ୍ରାଇମବ୍ରାଞ୍ଚ ହାତରେ ଯଥେଷ୍ଠ ପରିମାଣର ପ୍ରମାଣ ଥିବାରୁ ଆଉ ତୃତୀୟରେ ରିମାଣ୍ଡରେ ନେଲା ନାହିଁ। ତଦନ୍ତ ଚାଲିଛି ଆଗକୁ ସବୁକିଛି ସ୍ପଷ୍ଟ ହୋଇଯିବ”, କହିଛନ୍ତି ଏସଆଇଟି ମୁଖ୍ୟ ଅନୀଲ କୁମାର ଦାସ।

ଫେବ୍ରୁଆରୀ ୨୩ ତାରିଖରେ ପାଟଣାଗଡ଼ରେ ପାର୍ସଲ ବୋମା ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣରେ ନବବିବାହିତ ସୌମ୍ୟଶେଖର ଏବଂ ରିମାଙ୍କ ସଂସାର ଛାରଖାର ହୋଇଯାଇଥିଲା। ରିମା ଗୁରୁତର ହୋଇଯାଇଥିବା ବେଳେ ସୌମ୍ୟଶେଖର ଓ ତାଙ୍କ ଜେଜେମା ଆରପାରିକୁ ଚାଲିଯାଇଥିଲେ।

Comment