ଓଡ଼ିଶାଲାଇଭ୍‌ ବ୍ୟୁରୋ


ପୁରୀ ରେଳ ଷ୍ଟେସନରେ ବ୍ୟାଟେରୀ ଚାଳିତ ଗାଡ଼ି ସେବାର ଶୁଭାରମ୍ଭ କରାଯିବା ପରେ ଆଜି ନବରତ୍ନ କମ୍ପାନି ନାଲକୋ ପକ୍ଷରୁ ଭୁବନେଶ୍ୱର ଓ କଟକ ରେଳ ଷ୍ଟେସନଠାରେ ଏହି ସେବା ଶୁଭାରମ୍ଭ କରାଯାଇଛି। ପୂର୍ବତଟ ରେଳପଥର ସହଯୋଗରେ ଏହି ସେବା ଆରମ୍ଭ ହୋଇଛି।

ନାଲ୍‌କୋ ଅଧ୍ୟକ୍ଷ ଡକ୍ଟର ତପନ କୁମାର ଚାନ୍ଦ ଏବଂ ଖୋର୍ଦ୍ଧାର ଡିଭିଜନାଲ୍ ରେଲୱେ ମ୍ୟାନେଜର୍ ବ୍ରଜ ମୋହନ ଅଗ୍ରୱାଲ ଏହି ସେବାର ଶୁଭାରମ୍ଭ କରିଛନ୍ତି।

ଡକ୍ଟର ତପନ କୁମାର ଚାନ୍ଦ କହିଛନ୍ତି, “ସ୍ମାର୍ଟ ସିଟି ଭୁବନେଶ୍ୱରରେ ନାଲ୍‌କୋ ପକ୍ଷରୁ ସ୍ମାର୍ଟ ସେବା ପ୍ରଦାନ କରାଯାଇଛି। ବରିଷ୍ଠ ନାଗରିକ, ଭିନ୍ନକ୍ଷମ, ରୋଗୀମାନଙ୍କ ସୁବିଧା ପାଇଁ ବ୍ୟାଟେରୀ ଚାଳିତ ଗାଡ଼ିର ବ୍ୟବସ୍ଥା କରାଯାଇଛି। ବିନା ମୂଲ୍ୟରେ ଏହି ଗାଡ଼ି ସେବା ପ୍ରଦାନ କରିବ। ଏହି ଗାଡ଼ିର ପରିଚାଳନା ଏବଂ ରକ୍ଷାଣାବେକ୍ଷଣ ଦାୟିତ୍ୱ ନାଲକୋ ତତ୍ୱାବଧାନରେ କରାଯିବ। ଭୁବନେଶ୍ୱର ଏବଂ କଟକ ରେଳ ଷ୍ଟେସନରେ ଦୁଇଟି ଲେଖାଏଁ ଗାଡ଼ି ରଖା ଯାଇଛି।”

ନାଲକୋର ଏହି ମହତ ପଦକ୍ଷେପର ପ୍ରଶଂସା କରିଛନ୍ତି ଖୋର୍ଦ୍ଧା ଡିଭିଜନାଲ୍ ରେଲୱେ ମ୍ୟାନେଜର୍ ବ୍ରଜ ମୋହନ ଅଗ୍ରୱାଲ।

“ଏହି ପଦକ୍ଷେପ ଦ୍ୱାରା ଭୁବନେଶ୍ୱର ଓ କଟକକୁ ଆସୁଥିବା ଲକ୍ଷାଧିକ ଜନସାଧାରଣ ଉପକୃତ ହେବେ। ନାଲକୋ ଅନେକ ସିଏସ୍ଆର୍ ପଦକ୍ଷେପ ଗ୍ରହଣ କରିବା ସହ ପୁରୀର ବିକାଶ ପାଇଁ  ଅନେକ କାମ କରିଛି”, କହିଛନ୍ତି ବ୍ରଜ ମୋହନ ଅଗ୍ରୱାଲ। ଏହି ଅବସରରେ ନାଲକୋ ଏବଂ ରେଲୱେ ମଧ୍ୟରେ ଏକ ବୁଝାମଣାପତ୍ର ମଧ୍ୟ ସ୍ୱାକ୍ଷରିତ ହୋଇଥିଲା।

Comment