ଓଡ଼ିଶାଲାଇଭ୍ ବିଜିନେସ୍ ବ୍ୟୁରୋ

ଓଡ଼ିଶା ବଜାରରେ ପ୍ରବେଶ କରିଛି ନୂଆ ଇଲେକ୍ଟ୍ରିକ୍ ଯାନ ବା ଇଭି। ବ୍ୟବସାୟିକ ପ୍ରତିଷ୍ଠାନ ଡାଲ୍‌ମିଆ ଗ୍ରୁପ ଅଫ କମ୍ପାନିଜ୍ ପକ୍ଷରୁ ଓଡ଼ିଶାରେ ଡାଲ୍‌ମିଆ ଇଭିର ନୂଆ ଇ-ବାଇକ୍, ଇ-ସ୍କୁଟର, ଇ-ରିକ୍ସା ଏବଂ ଇ-ସାଇକେଲର ଶୁଭାରମ୍ଭ ହୋଇଛି।

ମଙ୍ଗଳବାର ଭୁବନେଶ୍ୱରଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟ ଶିଳ୍ପ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗୀୟ ମନ୍ତ୍ରୀ ପ୍ରତାପ କେଶରୀ ଦେବ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଇ-ଯାନଗୁଡ଼ିକର ଉନ୍ମୋଚନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଡାଲ୍‌ମିଆ ଗ୍ରୁପର ଅଧ୍ୟକ୍ଷ ସଞ୍ଜୀବ ଡାଲ୍‌ମିଆ ଭର୍ଚୁଆଲ୍ ମୋଡ୍‌ରେ ସାମିଲ ହୋଇଥିଲେ।

ଡାଲ୍‌ମିଆ ଇଭି ପକ୍ଷରୁ ସାଇବର୍ଗ ରେଞ୍ଜ୍ ଅଧୀନରେ ଗୋଟିଏ ଇ-ବାଇକ୍ ଉନ୍ମୋଚିତ ହୋଇଛି, ଯାହାର ନାଁ ରହିଛି ‘ବିମର୍’। ସେହିପରି ‘ହାଇ-ସ୍ପିଡ୍ ସ୍କାଏହକ୍’, ‘ଇସ୍କାଉଟ୍’, ‘ମ୍ୟାକଫ୍ଲାଏ’, ‘ଇଓ୍ଵନ୍’ ଓ ‘ମ୍ୟାକ୍‌ଏୟାର’ ଭଳି ୫ଟି ଇ-ସ୍କୁଟର ଉନ୍ମୋଚିତ ହୋଇଛି। କମ୍ପାନି ପକ୍ଷରୁ ଇ-ସାଇକେଲ ‘ଆଇ ସ୍ପାର୍କ’ର ମଧ୍ୟ ବଜାର ପ୍ରବେଶ ହୋଇଛି।

ସେହିପରି ଯାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି କମ୍ପାନି ପକ୍ଷରୁ ଗୋଟିଏ ଇ-ରିକ୍ସା ‘ଇ-୨୦ ସୁପର୍’ ଏବଂ ମାଲ୍ ବୋହିବା ଲାଗି ଏକ ମାଲ୍‌ବାହୀ ଇ-ରିକ୍ସା ‘ଛୋଟା ଭୀମ୍’ ଉନ୍ମୋଚିତ ହୋଇଛି।

ଡାଲ୍‌ମିଆ ଇଭି ପକ୍ଷରୁ ପୂର୍ବରୁ ଦେଶର ୮ଟି ରାଜ୍ୟରେ ଏହାର ଇ-ଯାନଗୁଡ଼ିକର ବିକ୍ରି ଆରମ୍ଭ ହୋଇ ସାରିଥିବା ବେଳେ ବର୍ତ୍ତମାନ ଓଡ଼ିଶା ବଜାରରେ ଏହାର ଇ-ଯାନ ପ୍ରବେଶ କରିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାୟ ୨୦ଟି ସୋ’ରୁମରେ ଗ୍ରାହକମାନେ ଡାଲ୍‌ମିଆ ଇଭିର ଇ-ଯାନ କିଣିପାରିବେ ବୋଲି ଡାଲ୍‌ମିଆ ଇଭିର ସେଲ୍‌ସ ମ୍ୟାନେଜର ଆଲୋକ ଶ୍ରୀବାସ୍ତବ ସୂଚନା ଦେଇଛନ୍ତି।“ବଜାରରେ ଉବଲବ୍ଧ ଅନ୍ୟାନ୍ୟ ଇ-ଯାନ ତୁଳନାରେ ଡାଲ୍‌ମିଆ ଇଭିର ଇ-ଯାନଗୁଡ଼ିକ ଗ୍ରାହକଙ୍କୁ ଏକ ଭଲ ଅନୁଭୂତି ଦେବ। ଏହାର ସ୍ଵତନ୍ତ୍ରତା ହେଉଛି, ଏହା ସମ୍ପୂର୍ଣ୍ଣ ଭାବେ ଭାରତରେ ପ୍ରସ୍ତୁତ। ଡାଲ୍‌ମିଆ ଇଭିର ପ୍ରତ୍ୟେକ ସୋ’ରୁମରେ ଏହାର ସର୍ଭିସ ସେଣ୍ଟର ଉବଲବ୍ଧ ରହିଛି। ଅନ୍ୟ ଇଭିଗୁଡ଼ିକର ବ୍ୟାଟେରି କ୍ଷମତା ୯୦୦ ଭୋଲ୍ଟ ରହୁଥିବା ବେଳେ ଡାଲ୍‌ମିଆ ଇଭିର ବ୍ୟାଚେରି କ୍ଷମତା ୧୨୦୦ ଭୋଲ୍ଟ ରହିଛି। ଏହି ଇଭିଗୁଡ଼ିକର ମୂଲ୍ୟ ମଧ୍ୟ ଅନ୍ୟ ଇଭି ତୁଳନାରେ ଶସ୍ତା ରହିଛି”, କହିଛନ୍ତି ଡାଲ୍‌ମିଆ ଇଭିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିକାଶ ଆନନ୍ଦ।

Tags: #ElectricVehicle #EV #DalmiaEV #Odisha #EVehicle

Comment