ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶ୍ରୀକ୍ଷେତ୍ର ପୁରୀରେ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ସୁବିଧା ନିମନ୍ତେ ଆଉ ୫ଟି ବ୍ୟାଟେରୀ ଚାଳିତ ଗାଡ଼ିର ଶୁଭାରମ୍ଭ କରିଛି ନାଲ୍‌କୋ। ଏହି ସେବାରେ ମହିଳା ଓ ଶିଶୁମାନଙ୍କୁ ସାମିଲ କରିବା ପାଇଁ ନିଷ୍ପତ୍ତି ହୋଇଛି। ଏହାସହ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ନିମନ୍ତେ ଏକ ତ୍ରିଭାଷୀ ସଙ୍ଗୀତ ସିଡି ମଧ୍ୟ ଲୋକାର୍ପିତ ହୋଇଛି।

ରଥ ଯାତ୍ରା ପୂର୍ବରୁ ନାଲ୍‌କୋ ପକ୍ଷରୁ ୫ଟି ବ୍ୟାଟେରୀ ଚାଳିତ ଗାଡ଼ି ପୁରୀରେ ଶୁଭାରମ୍ଭ କରାଯାଇଥିଲା। ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକମାନେ ଏହାକୁ ପ୍ରଶସା କରିବା ପରେ ଆଉ ୫ଟି ଗାଡ଼ି ଆଜି ଶୁଭାରମ୍ଭ କରାଯାଇଛି। ଫଳରେ ପୁରୀରେ ନାଲ୍‌କୋ ପକ୍ଷରୁ ଦିଆଯାଇଥିବା ବ୍ୟାଟେରୀ ଚାଳିତ ଗାଡ଼ି ସଂଖ୍ୟା ୧୦ରେ ପହଞ୍ଚିଛି। ଜଗନ୍ନାଥ ବଲ୍ଲଭ ମଠ ଏବଂ ଜଗନ୍ନାଥ ମନ୍ଦିର ମଧ୍ୟରେ ଏହି ଗାଡ଼ି ଚଳାଚଳ କରୁଛି।

ଏହି ବ୍ୟାଟେରୀ ଚାଳିତ ଗାଡ଼ିକୁ ଶୁଭାରମ୍ଭ କରିଥିଲେ କେନ୍ଦ୍ର ଖଣି ମନ୍ତ୍ରାଳୟର ସଚିବ ଅନିଲ ମୁକିମ। ନାଲ୍‌କୋ ଅଧ୍ୟକ୍ଷ ଡକ୍ଟର ତପନ କୁମାର ଚାନ୍ଦ ଏବଂ ପୁରୀ ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ଦାସ ଉପସ୍ଥିତ ଥିଲେ।

ଅନ୍ୟମାନଙ୍କ ମଧ୍ୟରେ ନାଲ୍‌କୋ ନିର୍ଦ୍ଦେଶକ (ମାନବସମ୍ବଳ) ବି.କେ. ଠାକୁର ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଡକ୍ଟର ତପନ କୁମାର ଚାନ୍ଦ କହିଛନ୍ତି, “ତୀର୍ଥଯାତ୍ରୀ ଏବଂ ପର୍ଯ୍ୟଟକମାନଙ୍କ ପାଇଁ ପୁରୀ ଦେଶର ଏକ ସର୍ବୋତ୍ତମ ସ୍ଥାନ ଭାବେ ମାନ୍ୟତା ଲାଭ କରୁ ବୋଲି ଆମେ ଉଦ୍ୟମ ଜାରି ରଖିଛୁ। ସ୍ୱଚ୍ଛ ଆଇକନିକ୍ ସ୍ଥାନ ପ୍ରକଳ୍ପ ଅଧିନରେ ଆମେ ପୁରୀରେ ବିକାଶ ପାଇଁ ଲକ୍ଷ୍ୟ ରଖିଛୁ।”

ଏହାସହ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ନିମନ୍ତେ ଲୋକାର୍ପିତ ହୋଇଥିବା ତ୍ରିଭାଷୀ ସଙ୍ଗୀତ ସିଡିର ପ୍ରସ୍ତୁତି ପାଇଁ ସଙ୍ଗୀତକାର ଏବଂ କଳାକାରମାନଙ୍କୁ ସହାୟତା ପ୍ରଦାନ କରାଯାଇଛି। ଗୀତଗୁଡ଼ିକୁ ଓଡ଼ିଆ, ହିନ୍ଦୀ ଏବଂ ବଙ୍ଗଳା ଭାଷାରେ ପ୍ରିସଦ୍ଧ ଗାୟକମାନେ ଗାଇଛନ୍ତି।

ଭାରତ ସରକାରଙ୍କ ସ୍ୱଚ୍ଛ ଆଇକନିକ ସ୍ଥାନ ପ୍ରକଳ୍ପ ଅଧିନରେ ନାଲ୍‌କୋ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛି। ଗାନ୍ଧି ପାର୍କର ବିକାଶ ଓ ସୌନ୍ଦର୍ଯ୍ୟକରଣ, ସମୁଦ୍ର କୂଳରେ ବହୁତଳ ପାର୍କିଂ ବ୍ୟବସ୍ଥା, ମାଳତୀ ପାଟପୁରଠାରେ ୩୦୦ କକ୍ଷ ବିଶିଷ୍ଟ ଅତିଥି ନିବାସ, ଜଗନ୍ନାଥ ମନ୍ଦିର ପରିସରରେ ନିଳାଦ୍ରୀ ବିହାର ସଂଗ୍ରହାଳୟର ନବୀକରଣ, ସହରର ବିଭିନ୍ନ ସ୍ଥାନରେ ପାନୀୟ ଜଳର ବ୍ୟବସ୍ଥା, ହେରିଟେଜ୍ କରିଡର୍ ଏବଂ ଗୁଣ୍ଡିଚା ମନ୍ଦିର ପରିକ୍ରମା ଆଦି ସାମିଲ୍ ହୋଇଛି।

ନାଲ୍‌କୋ ପକ୍ଷରୁ ପୁରୀ, ଭୁବନେଶ୍ୱର ଓ କଟକ ରେଳ ଷ୍ଟେସନଠାରେ ବ୍ୟାଟେରୀ-ଚାଳିତ ଯାନ ସେବାର ଶୁଭାରମ୍ଭ ହୋଇଛି।

Comment