ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ସଦର ମହକୁମାସ୍ଥିତ ଉତ୍କଳ ଗୌରବ ମଧୁସୂଦନ ବୈଷୟିକ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ନିଜର ଜ୍ଞାନ କୌଶଳରେ ତିଆରି କରିଛନ୍ତି ଇ-ବାଇକ ଏବଂ ସୌରଚାଳିତ ଅଟୋ ରିକ୍ସା। ଜଣେ ବ୍ୟକ୍ତି ଏହି ଯାନକୁ ଚାର୍ଜ କରି ୫୦ରୁ ୬୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରିବ। ବର୍ତ୍ତମାନ ସମୟରେ ପେଟ୍ରୋଲ, ଡିଜେଲର ଦର ବୃଦ୍ଧି ଯୋଗୁଁ ଏବଂ ବାୟୁ ପ୍ରଦୂଷଣର ମାତ୍ରାକୁ କମ୍ କରିବା ପାଇଁ ଏଭଳି ଯାନର ଉଦ୍ଭାବନ କରିଥିବା କହିଛନ୍ତି ଛାତ୍ରଛାତ୍ରୀ।

“ଇ-ବାଇକର ବିଶେଷତ୍ଵ ହେଉଛି, ବାଇକଟି ଉଭୟ ବ୍ୟାଟେରୀ ଓ ସୌରଶକ୍ତି ଦ୍ଵାରା ଗତି କରିପାରୁଛି। ବ୍ୟାଟେରୀଟିକୁ ୩ ଘଣ୍ଟା ଚାର୍ଜ କଲେ, ବାଇକଟି ଘଣ୍ଟା ପ୍ରତି ସର୍ବାଧିକ ୫୦ରୁ ୬୦ କିଲୋମିଟର ବେଗରେ ଗତି କରୁଛି। ଦିନରେ ସୌର ଶକ୍ତି ସାହାଯ୍ୟରେ ବାଇକଟି ଚାଲିଥାଏ। ଏଥି ସହିତ ବ୍ୟାଟେରୀ ଚାର୍ଜ ହୋଇଥାଏ, ଯାହାକି ପରବର୍ତ୍ତୀ ସମୟରେ କାମରେ ଆସେ”, କହିଛନ୍ତି ଇ-ବାଇକଟି ତିଆରି କରିଥିବା ଛାତ୍ର ସୁବ୍ରତ କୁମାର ପଣ୍ଡା।

ସୁବ୍ରତ ହେଉଛନ୍ତି ଉତ୍କଳ ଗୌରବ ମଧୁସୂଦନ ବୈଷୟିକ ଶିକ୍ଷାନୁଷ୍ଠାନର ଶେଷ ବର୍ଷର ଛାତ୍ର। ସେ ଏବଂ ତାଙ୍କର ସାଥିମାନେ ମିଶି ଏହି ଇ-ବାଇକର ଉଦ୍ଭାବନ କରିଛନ୍ତି।ସେହିପରି ଏହି ଅନୁଷ୍ଠାନର ଆଉ ଜଣେ ଛାତ୍ର ହେଉଛନ୍ତି ପି. ପୁଷ୍ପକାନ୍ତ। ସେ ମଧ୍ୟ ତାଙ୍କ ସାଥିମାନଙ୍କ ସହ ମିଶି ସୌରଚାଳିତ ରିକ୍ସା ତିଆରି କରିଛନ୍ତି। ଏହି ରିକ୍ସାଟି ଉଭୟ ସୌରଶକ୍ତି ଏବଂ ବ୍ୟାଟେରୀ ଦ୍ଵାରା ଚାଲିପାରୁଛି। ଏହାର ଘଣ୍ଟା ପ୍ରତି ବେଗ ୨୦ କିଲୋମିଟର ରହିଛି। ସାଧାରଣ ବ୍ୟକ୍ତି ଏବଂ ଦିବ୍ୟାଙ୍ଗମାନଙ୍କୁ ସ୍ଵଳ୍ପ ଦୂର ଅତିକ୍ରାନ୍ତ କରିବାରେ ଏହି ରିକ୍ସାଟି ସକ୍ଷମ ହୋଇପାରିବ ବୋଲି କହିଛନ୍ତି ପି. ପୁଷ୍ପକାନ୍ତ।

“ସାମ୍ପ୍ରତିକ ସ୍ଥିତିରେ ସୌର ଓ ଅନ୍ୟ ନବୀକରଣ ଶକ୍ତି ଦ୍ୱାରା ପରିଚାଳିତ ଯାନର ମୂଲ୍ୟ ସାଧାରଣ ଲୋକଙ୍କ ପାଇଁ ଅପହଞ୍ଚ ହୋଇଥିବାବେଳେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଉଦ୍ଭାବନ ହୋଇଥିବା ଏହି ଦୁଇଟି ଯାନକୁ ଲୋକମାନେ ସହଜରେ ଏବଂ କମ ମୂଲ୍ୟରେ ପାଇପାରିବେ। ଆଗାମୀ କିଛି ଦିନରେ ଏଥିରେ କିଛି ଯାନ୍ତ୍ରୀକ ପରିବର୍ତ୍ତନ କରାଯାଇ ଏହାକୁ ଉନ୍ନତ କ୍ଷମତା ସମ୍ପନ୍ନ କରାଗଲେ, ଏହି ଯାନ ସାଧାରଣ ଲୋକଙ୍କ ପରିବହନ କ୍ଷେତ୍ରରେ କାମରେ ଆସିବ”, କହିଛନ୍ତି ଶିକ୍ଷାନୁଷ୍ଠାନ ଅଧ୍ୟକ୍ଷ ବିମ୍ବାଧର ସାହୁ।

ଅନୁଷ୍ଠାନର ଶେଷ ବର୍ଷର ଛାତ୍ରଛାତ୍ରୀଙ୍କ ଏହି ଉଦ୍ଭାବନ ଆଗାମୀ ଦିନରେ ନୂଆ ଛାତ୍ରଛାତ୍ରୀଙ୍କୁ ଉତ୍ସାହ ଏବଂ ପ୍ରେରଣା ଯୋଗାଇବ ବୋଲି ଅନୁଷ୍ଠାନର ଅଧ୍ୟକ୍ଷମାନେ ମତ ପ୍ରକାଶ କରିଛନ୍ତି।

Comment