ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁରୀ ଜଗନ୍ନାଥ ବଲ୍ଲଭ ମଠ ପରିସରସ୍ଥିତ ପାର୍କିଂସ୍ଥଳରୁ ଶ୍ରୀମନ୍ଦିର ଯାଏ ନାଲ୍କୋ ପକ୍ଷରୁ ମାଗଣା ବ୍ୟାଟେରୀଚାଳିତ ଗାଡ଼ିର ଶୁଭାରମ୍ଭ ହୋଇଛି

ସ୍ୱଚ୍ଛ ଆଇକନିକ୍‌ ସିଟି ଯୋଜନାରେ ନାଲ୍‌କୋ କର୍ତ୍ତୃପକ୍ଷ ଜଗନ୍ନାଥ କ୍ଷେତ୍ର ପୁରୀ ପାଇଁ ଆଉ ଏକ ସହାୟତାର ହାତ ବଢାଇଛନ୍ତି। ରଥଯାତ୍ରାକୁ ଆଖିରେ ରଖି ନାଲ୍‌କୋ ପକ୍ଷରୁ ରବିବାରଦିନ ପୁରୀ  ଜଗନ୍ନାଥ ମନ୍ଦିର ଏବଂ ଜଗନ୍ନାଥ ବଲ୍ଲଭ ମଠ ମଧ୍ୟରେ ଇଲେକ୍ଟ୍ରିକ୍ ବାହନ ସେବାର ଶୁଭାରମ୍ଭ ହୋଇଛି। ରବିବାର ନାଲ୍‌କୋର ସିଏମ୍‌ଡି ଡକ୍ଟର ତପନ କୁମାର ଚାନ୍ଦ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ।

ଅପରାହ୍ନରେ ଜଗନ୍ନାଥବଲ୍ଲଭ ମଠ ପରିସରରୁ ବ୍ୟାଟେରୀଚାଳିତ ଗାଡ଼ି ସେବା ଆରମ୍ଭ ହୋଇଥିଲା। ପାର୍କିଂସ୍ଥଳରୁ ଯାତ୍ରୀମାନଙ୍କୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ପହଞ୍ଚାଇବା ଲାଗି ପ୍ରଦୂଷଣବିହୀନ ଏହି ଗାଡିଗୁଡ଼ିକର ବ୍ୟବସ୍ଥା କରାଯାଇଛି। ଏହି ଗାଡ଼ିରେ ଜଗନ୍ନାଥ ବଲ୍ଲଭ ପାର୍କିଂସ୍ଥଳରୁ ଶ୍ରୀମନ୍ଦିର ଯାଏ ଯିବେ ତୀର୍ଥଯାତ୍ରୀ।

ଦିବ୍ୟାଙ୍ଗ, ବରିଷ୍ଠ ନାଗରିକ ଓ ଅସୁସ୍ଥ ଲୋକଙ୍କୁ ଏହାଦ୍ଵାରା ମାଗଣା ସେବା ମିଳିପାରିବ। ନାଲ୍‌କୋ କର୍ତ୍ତୃପକ୍ଷ ଏଥିପାଇଁ ୨୫ଟି ଗାଡ଼ିର ବ୍ୟବସ୍ଥା କରିଛନ୍ତି। ପର୍ଯ୍ୟାୟ କ୍ରମେ ଏହି ଗାଡିଗୁଡ଼ିକ ଏଠାରେ ପହଞ୍ଚିବ। ଆଜି ପ୍ରଥମ ଦିନରେ ୫ଟି ବ୍ୟାଟେରୀଚାଳିତ ଗାଡି ସେବା ଆରମ୍ଭ କରିଛି।

ଏହା ସହିତ ବିଶ୍ୱ ଐତିହ୍ୟ କୋଣାର୍କ ପାଇଁ ମଧ୍ୟ ୧୦ଟି ଇ ଗାଡିର ବ୍ୟବସ୍ଥା କରାଯିବ ବୋଲି ଡକ୍ଟର ଚାନ୍ଦ କହିଥିଲେ। ଏହା ପୂର୍ବରୁ କଟକ, ଭୁବନେଶ୍ୱର ଓ ପୁରୀ ରେଳ ଷ୍ଟେସନ୍‌ରେ ଏହି ସେବା ଆରମ୍ଭ ହୋଇସାରିଛି।

ନାଲକୋର ଅଧ୍ୟକ୍ଷ ତପନ କୁମାର ଚାନ୍ଦ କହିଥିଲେ, “ପୁରୀକୁ ଏକ ସ୍ୱଚ୍ଛ ଆଧ୍ୟାତ୍ମିକ କ୍ଷେତ୍ର ତଥା ପର୍ଯ୍ୟଟନସ୍ଥଳୀ ଭାବେ ସମଗ୍ର ବିଶ୍ୱରେ ମାନ୍ୟତା ପ୍ରଦାନ କରିବା ଆମର ଲକ୍ଷ୍ୟ। ସରକାରଙ୍କ ସ୍ୱଚ୍ଛ ଆଇକନିକ୍ ସ୍ଥାନ ପ୍ରକଳ୍ପ ଅଧିନରେ ପୁରୀର ବିକାଶ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି । ପୁରୀର ସର୍ବାଙ୍ଗୀନ ବିକାଶ ପାଇଁ ନାଲକୋ ବଦ୍ଧପରିକର। ନାଲକୋର ଏହି ମହତ୍ ପଦକ୍ଷେପ ଦ୍ୱାରା ଲକ୍ଷାଧିକ ତୀର୍ଥଯାତ୍ରୀଙ୍କୁ ଜଗନ୍ନାଥ ବଲ୍ଲଭ ମଠ ଏବଂ ଜଗନ୍ନାଥ ମନ୍ଦିର ମଧ୍ୟରେ ଯାତାୟତ କରିବାରେ ସୁବିଧା ହେବ।”

ଓଡ଼ିଶାର ପ୍ରମୁଖ ସ୍ଥାନରେ ଏହି ପ୍ରଦୂଷଣ-ରହିତ ଇଲେକ୍ଟ୍ରିକ୍ ଭେହିକଲ୍ ସେବାର ଶୁଭାରମ୍ଭ କରି ନାଲକୋ ସମସ୍ତ ବର୍ଗରୁ, ବିଶେଷ କରି ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ଠାରୁ ପ୍ରଶଂସିତ ହୋଇଛି।

ଏହି ଅବସରରେ, ଡିଆରଡିଏର ପ୍ରକଳ୍ପ ନିର୍ଦ୍ଦେଶକ ଉଦ୍ଧବ ଚରଣ ମାଝୀ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ, ପୁରୀ ମୁନିସିପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀକାନ୍ତ ତରାଇ ଏବଂ ନାଲ୍କୋର ନିର୍ଦ୍ଦେଶକ (ମାନବସମ୍ବଳ) ବିକେ ଠାକୁର ପ୍ରମୁଖ ଉପସ୍ଥିତ ଥିଲେ। ସାଧାରଣ ଜନତାଙ୍କ ପାଇଁ କରାଯାଇଥିବା ଏହି ସେବାର ରକ୍ଷଣାବେକ୍ଷଣ ଆଗାମୀ ୫ ବର୍ଷ ପାଇଁ ନାଲକୋ ଦ୍ୱାରା କରାଯିବ।

Comment