ଓଡ଼ିଶାଲାଇଭ୍ ବ୍ୟୁରୋ

  • ଓଡ଼ିଶା ଇ-ଯାନ ନୀତି ୨୦୨୧ରେ ବାଜିଲା କ୍ୟାବିନେଟ୍ ମୋହର
  • ଏଣିକି ବ୍ୟାଟେରୀ ଗାଡ଼ି କିଣିଲେ ରେଜିଷ୍ଟ୍ରେସନ୍ ଓ ରୋଡଟ୍ୟାକ୍ସ ସମ୍ପୂର୍ଣ୍ଣ ଛାଡ଼
  • ସରକାରୀ କର୍ମଚାରୀଙ୍କୁ ଇ-ଯାନ କ୍ରୟ ପାଇଁ ମିଳିବ ସୁଧମୁକ୍ତ ଋଣ
  • ଇ-ଯାନ କିଣିଲେ ରାଜ୍ୟ ସରକାର ଦେବେ ରିହାତି

ପରିବେଶ ପ୍ରଦୂଷଣକୁ ରୋକିବା ପାଇଁ ଏବେ ଚାରିଆଡ଼େ ଇ-ଯାନ ବା ଇଲେକ୍‌ଟ୍ରିକ୍ ଗାଡ଼ିର ବ୍ୟବହାରକୁ ଗୁରୁତ୍ଵ ଦିଆଯାଉଛି। ଏଥିପାଇଁ ଓଡ଼ିଶା ସରକାର ରାଜ୍ୟରେ ଇ-ଯାନକୁ ଲୋକପ୍ରିୟ କରାଇବାକୁ ଅଣ୍ଟା ଭିଡ଼ିଛନ୍ତି। ଶୁକ୍ରବାର ରାଜ୍ୟ କ୍ୟାବିନେଟ୍ ବୈଠକରେ ଓଡ଼ିଶା ବୈଦ୍ୟୁତିକ ଯାନ ନୀତି-୨୦୨୧ ଅନୁମୋଦନ ଲାଭ କରିଛି। ଏପରିକି ଇଲେକ୍‌ଟ୍ରିକ୍ ଗାଡ଼ି କିଣିଲେ ନାନା ପ୍ରକାର ରିହାତି ମିଳିବା ନେଇ ସରକାର ଘୋଷଣା କରିଛନ୍ତି।

ବ୍ୟାଟେରୀ ଗାଡ଼ି କିଣିଲେ ମିଳିବ ରିହାତି

ଇଲେକ୍‌ଟ୍ରିକ୍ ବା ବ୍ୟାଟେରୀ ଗାଡ଼ି କିଣିବା କ୍ଷେତ୍ରରେ ସ୍ଵତନ୍ତ୍ର ରିହାତି ଦେବାକୁ ସରକାର ଘୋଷଣା କରିଛନ୍ତି। ଦୁଇ ଚକିଆ ଯାନ ଉପରେ ସର୍ବାଧିକ ୫ ହଜାର, ତିନି ଚକିଆ ଯାନ ଉପରେ ୧୦ ହଜାର ଏବଂ ଚାରି ଚକିଆ ଗାଡ଼ି କିଣିବା ଉପରେ ସର୍ବାଧିକ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ମିଳିବ। ସେହିପରି ନନ୍ ଏସି ବସ୍ କିଣିବା କ୍ଷେତ୍ରରେ ୨ ଲକ୍ଷ ଏବଂ ଏସି ଡିଲକ୍ସ ବସ୍ କ୍ରୟ ଉପରେ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି ଦେବାକୁ ସରକାର ଘୋଷଣା କରିଛନ୍ତି।ଇ-ଯାନ ପାଇଁ ସରକାରୀ କର୍ମଚାରୀଙ୍କୁ ବିନା ସୁଧରେ ଋଣ

ରାଜ୍ୟରେ ଇଲେକ୍‌ଟ୍ରିକ୍ ଗାଡ଼ିର ବହୁଳ ବ୍ୟବହାର ନିମନ୍ତେ ସରକାରୀ କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାର ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କ ଯେକୌଣସି ବିଭାଗରେ କାମ କରୁଥିବା କର୍ମଚାରୀଟିଏ ଯଦି ଇଲେକ୍‌ଟ୍ରିକ୍ ଗାଡ଼ି କିଣିବାକୁ ଚାହୁଁଥିବେ, ତେବେ ତାଙ୍କୁ ବିନା ସୁଧରେ ଋଣ ଦେବାର ବ୍ୟବସ୍ଥା କରିବାକୁ ସରକାର ଘୋଷଣା କରିଛନ୍ତି।

ଇ-ଯାନ କିଣିଲେ ରେଜିଷ୍ଟ୍ରେସନ ଫି, ରୋଡ୍ ଟ୍ୟାକ୍ସ ଛାଡ଼

ପ୍ରଦୂଷଣ ରୋକିବା କ୍ଷେତ୍ରରେ ସହାୟ ହେଉଥିବା ଇଲେକ୍‌ଟ୍ରିକ୍ ଯାନ କିଣିବା ସମୟରେ କୌଣସି ରେଜିଷ୍ଟ୍ରେସନ୍ ଫି ଦେବାକୁ ପଡ଼ିବ ନାହିଁ। ସେହିପରି ଇ-ଯାନ ବ୍ୟବହାରକାରୀଙ୍କ ପାଇଁ ରୋଡ୍ ଟ୍ୟାକ୍ସକୁ ମଧ୍ୟ ସମ୍ପୂର୍ଣ୍ଣ ଛାଡ଼ କରାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି।ଇ-ଯାନ ଉତ୍ପାଦନ ଓ ଗବେଷଣାକୁ ପ୍ରୋତ୍ସାହନ

ଇଲେକ୍‌ଟ୍ରିକ୍ ଗାଡ଼ି ଉତ୍ପାଦନ କରୁଥିବା କମ୍ପାନି ଏବଂ ଇ-ଯାନ ବିକାଶ ଉପରେ ଗବେଷଣା କରୁଥିବା ବ୍ୟକ୍ତି ଅବା ସଂସ୍ଥାକୁ ପ୍ରୋତ୍ସାହନ ମିଳିବ। ସେହିପରି ଇ-ଯାନ ନବୀକରଣ, ଯନ୍ତ୍ରାଂଶ ନିର୍ମାଣ, ବ୍ୟାଟେରୀ ନିର୍ମାଣ ଆଦି କମ୍ପାନିକୁ ସରକାର ପ୍ରୋତ୍ସାହନ ଯୋଗାଇ ଦେବାକୁ ମଧ୍ୟ ଘୋଷଣା କରିଛନ୍ତି।  ୨୦୨୫ ସୁଦ୍ଧା ରାଜ୍ୟରେ ଇ-ଯାନ ବ୍ୟବହାର ବଢ଼ାଇବା ଲକ୍ଷ୍ୟ

ପରିବେଶ ପ୍ରଦୂଷଣକୁ ଚେକ୍ ଦେବା ପାଇଁ ରାଜ୍ୟରେ ଇ-ଯାନର ବହୁଳ ବ୍ୟବହାର କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିଲାଗି ୨୦୨୫ ସୁଦ୍ଧା ରାଜ୍ୟରେ ପଞ୍ଜୀକୃତ ହେବାକୁଥିବା ଗାଡ଼ି ମଧ୍ୟରେ କେବଳ ଇଲେକ୍‌ଟ୍ରିକ୍ ଗାଡ଼ିର ସଂଖ୍ୟା ଅତିକମ୍‌ରେ ୨୦ ପ୍ରତିଶତ ରଖିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଶୁକ୍ରବାର କ୍ୟାବିନେଟ୍ ବୈଠକରେ ସୂଚନା ଦେଇଥିଲେ।

Comment