ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସରକାର ରାଜ୍ୟରେ ବିଭିନ୍ନ ଇଲେକ୍ଟ୍ରିକ ଯାନ ଉପରେ ଦିଆଯାଉଥିବା ସବସିଡି ରାଶିକୁ ବଢ଼ାଇଛନ୍ତି। ରାଜ୍ୟରେ ଇ-ଯାନର ଚାହିଦା ଓ ବିକ୍ରି ବୃଦ୍ଧି କରିବା ପାଇଁ ଏହି ସବସିଡି ବଢ଼ାଯାଇଛି। ଏନେଇ ବୁଧବାର ଦିନ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଏବେ ଓଡ଼ିଶାରେ ଦୁଇ ଚକିଆ ଇ-ଯାନ ଉପରେ ସର୍ବାଧିକ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ସବସିଡି ଦେବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ପ୍ରତି କିଲୋୱାଟ୍ ବ୍ୟାଟେରି ପିଛା ୫୦୦୦ ଟଙ୍କା ହିସାବରେ ଏହି ସବ୍‌ସିଡି ମିଳିବ। ପୂର୍ବରୁ ଦୁଇ ଚକିଆ ଇ-ଯାନ ଉପରେ କେବଳ ୫୦୦୦ ଟଙ୍କା ସବସିଡି ମିଳୁଥିଲା।

ସେହିପରି ତିନି ଚକିଆ ଇ-ଯାନ ଉପରେ ଏବେ ସର୍ବାଧିକ ୩୦ ହଜାର ଟଙ୍କା ସବସିଡି ମିଳିବ। ଏହା ସବୁ ପ୍ରକାର ତିନି ଚକିଆ ଇ-ଯାନ ଉପରେ ଲାଗୁ ହେବ। ଆଗରୁ ଏହା ଉପରେ କେବଳ ୧୦ ହଜାର ଟଙ୍କା ସବସିଡି ମିଳୁଥିଲା।

ଅନ୍ୟପଟେ ରାଜ୍ୟ ସରକାର ଚାରି ଚକିଆ ଇ-ଯାନ ଉପରେ ସର୍ବାଧିକ ସବସିଡି ମୂଲ୍ୟକୁ ଦେଢ଼ ଲକ୍ଷ ଟଙ୍କା ଯାଏଁ ବୃଦ୍ଧି କରିଛନ୍ତି। ଯାହା ପୂର୍ବରୁ ମାତ୍ର ୫୦ ହାଜର ଟଙ୍କା ଥିଲା। ଚାରି ଚକିଆ ଇ-ଯାନରେ ପ୍ରତି କିଲୋୱାଟ୍ ବ୍ୟାଟେରି ପିଛା ୧୦ ହଜାର ଟଙ୍କା ସବସିଡି ରହିଛି।

ଓଡ଼ିଶାରେ ଇ-ଯାନ ଉପରେ ସବସିଡି ଦେବାକୁ ନେଇ ୨୦୨୧ ମସିହାରେ ନିୟମ ପ୍ରଣୟନ ହୋଇଥିଲା। ଏ ପର୍ଯ୍ୟନ୍ତ ରାଜ୍ୟରେ ଇ-ଯାନ ବିକ୍ରିରେ ଆଶାନୁରୂପ ବୃଦ୍ଧି ଦେଖାଯାଇନାହିଁ। ଏବେ ରାଜ୍ୟରେ ମାତ୍ର ୪.୪୮ ପ୍ରତିଶତ ଇ-ଯାନ ପଞ୍ଜୀକୃତ ହୋଇଛି। ୨୦୨୫ ମସିହା ସୁଦ୍ଧା ଓଡ଼ିଶାରେ ଇ-ଯାନ ପଞ୍ଜୀକରଣ ୨୦ ପ୍ରତିଶତକୁ ବୃଦ୍ଧି କରିବା ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି।

Tags: #ElectricVehicle #Subsidy #CommerceAndTransportDept #Odisha

 

Comment