ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

୨୦୧୯ରେ ୭ଟି ଲୋକସଭା ଆସନରେ ବିଜେଡି ନୂଆ ପ୍ରାର୍ଥୀ ଦେବ। କାହାକୁ କେଉଁଠି ପ୍ରାର୍ଥୀ କଲେ ଦଳ ଲାଭବାନ ହେବ ସେନେଇ ବିଜେଡି ମ୍ୟାନେଜର ଅଙ୍କ କଷୁଛନ୍ତି।

ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଚନ୍ଦ୍ରଶେଖର ସାହୁ ବିଜେଡିରେ ଯୋଗ ଦେଇଛନ୍ତି। ତାଙ୍କୁ ଯେଉଁଭଳି ରେଡ଼ କାର୍ପେଟ ପକାଇ ସ୍ୱାଗତ କରାଗଲା ଓ ଯେଉଁଭଳି ଢଙ୍ଗରେ ସେ ହାତ ଛାଡି ଶଙ୍ଖ ଧରିଲେ ସେତେବେଳରୁ ହିଁ ଜଣାପଡୁଥିଲା ଯେ ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କ ପାଇଁ ବ୍ରହ୍ମପୁର ଆଉ ନୁହେଁ।

ସେତେବେଳେ ଗୋଟିଏ ମତ ଜୋରଦାର ହୋଇଥିଲା ଯେ ବିଜେଡି ମୁଖ୍ୟ ବ୍ରହ୍ମପୁର ଆସନ ଉପରେ ପୁନର୍ବିଚାର କରିବେ। ସିଦ୍ଧାନ୍ତଙ୍କ ବିରୋଧରେ ଜନମତ ଯାଉଥିବାରୁ ସେଠାରୁ ତାଙ୍କୁ ହଟାଇ ଆଉ କାହାକୁ ନବୀନ ପ୍ରାର୍ଥୀ ଭାବେ ଅବସ୍ଥାପିତ କରିବେ ସେ ନେଇ ଅବଶ୍ୟ ଢ଼େର ଆଗରୁ ଆକଳନ ଆରମ୍ଭ ହୋଇଯାଇଥିଲା। ୨୦୧୯ ନିର୍ବାଚନରେ ଯେପରି ବ୍ରହ୍ମପୁର ହାତରୁ ଚାଲି ନଯାଏ ସେହି କଥାକୁ ଦୃଷ୍ଟିରେ ରଖି ଚନ୍ଦ୍ରଶେଖର ସାହୁଙ୍କୁ ବିଜେଡ଼ିରେ ସାମିଲ କରାଗଲା।

ବର୍ତ୍ତମାନ ଏ କଥା ସ୍ପଷ୍ଟ ହେଲାଣି ଯେ ଆସନ୍ତା ନିର୍ବାଚନରେ ବ୍ରହ୍ମପୁରରୁ ଚନ୍ଦ୍ରଶେଖରଙ୍କୁ ପ୍ରାର୍ଥୀ କରାଯିବ ଓ ସିଦ୍ଧାନ୍ତଙ୍କୁ ଆସ୍କାରୁ ଲଢ଼ିବା ପାଇଁ କୁହାଯିବ। ବିଜେଡି ପାଇଁ ଆସ୍କା ଆସନ ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ ଯେ ଅତୀତରେ ବିଜୁ ପଟ୍ଟନାୟକ ଏଠାରୁ ପ୍ରାର୍ଥୀ ହୋଇଥିଲେ। ଖାଲି ସେତିକି ନୁହେଁ, ନବୀନଙ୍କ ରାଜନୈତିକ କ୍ୟାରିଅର ମଧ୍ୟ ଆସ୍କାରୁ ହିଁ ଆରମ୍ଭ ହୋଇଥିଲା। ଏହାସହ ମୁଖ୍ୟମନ୍ତ୍ରୀଙ୍କ ହିଞ୍ଜିଳି ବିଧାନସଭା ଆସନ ଆସ୍କା ଲୋକସଭା ଆସନ ଭିତରେ ଆସୁଥିବାରୁ ଦଳ ପାଇଁ ଆସ୍କା ବେଶ୍ ଗୁରୁତ୍ୱପୂର୍ଣ୍ଣ। ବିଜେଡିର ଜଣେ ବରିଷ୍ଠ ନେତାଙ୍କ ଆକଳନ ଅନୁସାରେ ୨୦୧୯ ଲୋକସଭା ନିର୍ବାଚନରେ ଯେଉଁ ୬ଟି ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ବଦଳାଯିବ ସେଥି ମଧ୍ୟରୁ ଆସ୍କା ଗୋଟିଏ।

ସେ କହିଛନ୍ତି,”ବର୍ତ୍ତମାନ ଆସ୍କା ସାଂସଦ ଥିବା ଲଡୁ କିଶୋର ସ୍ୱାଇଁଙ୍କୁ ଆରାମ କରିବାକୁ କୁହାଯିବ। କାରଣ ୨୦୧୯ ନିର୍ବାଚନ ଲଢ଼ିବା ପାଇଁ ସେ ଶାରୀରିକ ଭାବେ ଆଉ ଯୋଗ୍ୟ ବିବେଚିତ ହେବେ ନାହିଁ। ଲଡୁ ସ୍ୱାଇଁଙ୍କ ବୟସ ଏବେ ୭୨। ଏଣୁ ଜଣେ ଯୁବକଙ୍କୁ ହିଁ ଆସ୍କାରୁ ପ୍ରାର୍ଥୀ କରାଯିବ। ଆଉ ସେହି ଯୁବକ ଜଣକ ହେଉଛନ୍ତି ସିଦ୍ଧାନ୍ତ ମହାପାତ୍ର।”

ରାଜନୈତିକ ବିଶାରଦମାନଙ୍କ ମତରେ ଲଡୁ ସ୍ୱାଇଁଙ୍କୁ ‘ବସିଯାଅ’ ବୋଲି କହିବା କାଠିକର ପାଠ ହେବ। ପୂର୍ବତନ କବିସୂର୍ଯ୍ୟ ନଗର ବିଧାୟକ ଲଡ଼ୁ ସ୍ୱାଇଁ ଜଣେ ଅତି ଲୋକପ୍ରିୟ ନେତା। ଗତ ନିର୍ବାଚନରେ ସେ ୩ ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ଜିତିଥିଲେ।

କବିସୂର୍ଯ୍ୟନଗର ହେଉଛି ଆସ୍କା ଲୋକସଭା ଆସନର ଦ୍ୱିତୀୟ ବଡ଼ ବିଧାନସଭା କ୍ଷେତ୍ର ଓ ବିଜେଡି ପାଇଁ ଗୁରୁତ୍ୱପୂର୍ଣ୍ଣ। ସୁତରାଂ ଲଡୁ କିଶୋର ସ୍ୱାଇଁଙ୍କୁ ଏଥର ଟିକେଟ ଦିଆ ନଗଲେ ଭୋଟରମାନଙ୍କ ମଧ୍ୟରେ ଯେଉଁ ଅସନ୍ତୋଷ ସୃଷ୍ଟି ହେବ ତାହାକୁ ପ୍ରଶମିତ କରିବା ପାଇଁ ମ୍ୟାଟିନି ଆଇଡ଼ଲ ସିଦ୍ଧାନ୍ତଙ୍କୁ ଠିଆ କରଯାଇପାରେ।

ଆଉ ଏକ ଖବର ମଧ୍ୟ ଆସୁଛି: ବିଜେଡି ସଭାପତିଙ୍କ ପାଖକୁ ଏକ ଅନୁରୋଧ ଆସିଛି ଯେ କେନ୍ଦ୍ରାପଡ଼ା ଲୋକସଭା ଆସନ ପାଇଁ ଜଣେ ଅଭିନେତାଙ୍କୁ ପ୍ରାର୍ଥୀ କରାଯାଉ। ବିଶେଷକରି ଯେଉଁ କଳାକାର କେନ୍ଦ୍ରାପଡ଼ା ଜିଲ୍ଲାରେ ଜନ୍ମ ଗ୍ରହଣ କରିଛନ୍ତି ତାଙ୍କୁ ପ୍ରାର୍ଥୀ କରିବା ପାଇଁ ପ୍ରସ୍ତାବ ଆସିଥିବା କୁହାଯାଉଛି। ମନେହେଉଛି ବୈଜୟନ୍ତ ପଣ୍ଡାଙ୍କ ସ୍ଥାନରେ ଜଣେ ସିନେ ତାରକାଙ୍କୁ କେନ୍ଦ୍ରାପଡ଼ାରୁ ପ୍ରାର୍ଥୀ କରାଯିବା ଏକରକମ ନିଶ୍ଚିତ। ଖବର ଅନୁସାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୬ କିମ୍ବା ୭ଟି ଲୋକସଭା ଆସନ ପାଇଁ ଏଥର ନୂଆ ପ୍ରାର୍ଥୀ ଦେବା କଥା ଚିନ୍ତା କରୁଛନ୍ତି। ଏହିସବୁ ଆସନ ହେଲା ବ୍ରହ୍ମପୁର, ଆସ୍କା, କେନ୍ଦ୍ରାପଡ଼ା, ଭଦ୍ରକ, ମୟୂରଭଞ୍ଜ, କୋରାପୁଟ ଓ ବରଗଡ଼।

1 COMMENT

  1. ଚମତ୍କାର ଉପସ୍ଥାପନା …….କିନ୍ତୁ ସଂଖ୍ୟା ଏବଂ ବ୍ୟକ୍ତିଙ୍କ ବାବଦରେ ସଠିକ ତଥ୍ୟ ପ୍ରଦାନ କଲେ ଏହା ଆହୁରି ଗ୍ରହଣୀୟ ହୋଇପାରିବ……

Comment