ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜଗତସିଂହପୁର ଜିଲ୍ଲା ବିଜେଡି ସମୀକ୍ଷା ବୈଠକକୁ ଡାକ୍ତର ଦାମୋଦର ରାଉତଙ୍କୁ ଡକା ନଯିବାକୁ ନେଇ ଜୋର୍ ଧରିଛି ରାଜନୀତି। ବିଜେଡି ଉପରେ ଦାମ ବର୍ଷିଥିବା ବେଳେ ଆଜି ପୁଅ ସମ୍ବିତ ରାଉତରାୟ ମୁହଁ ଖୋଲିଛନ୍ତି।

ମୁହଁ ଖୋଲିଲେ ବରିଷ୍ଠ ବିଜେଡି ନେତା ଡାକ୍ତର ଦାମୋଦର ରାଉତଙ୍କ ପୁଅ ସମ୍ବିତ ରାଉତରାୟ। ଜଗତସିଂହପୁର ଜିଲ୍ଲା ବିଜେଡିର ସମୀକ୍ଷା ବୈଠକକୁ ଦାମଙ୍କୁ ଡକା ନଯିବା ପ୍ରସଙ୍ଗରେ ମତ ରଖିଛନ୍ତି ସମ୍ବିତ। ସେ ତାଙ୍କ ପ୍ରତିକ୍ରିୟାରେ ବାପା ଦାମୋଦର ରାଉତଙ୍କୁ ସମ୍ମାନ ଜଣାଇଥିବା ବେଳେ ନିଜ ରାଜନୈତିକ କ୍ୟାରିଅର ସମ୍ପର୍କରେ କହିଛନ୍ତି।

“ଜିଲ୍ଲା ବିଜେଡିର ସମୀକ୍ଷା ବୈଠକକୁ ବାପାଙ୍କୁ କାହିଁକି ଡକାଯାଇ ନାହିଁ ସେ ବିଷୟରେ ମୁଁ କହିପାରିବି ନାହିଁ। ଏହା ହେଉଛି ଦଳର ଆଭ୍ୟନ୍ତରୀଣ ମାମଲା। ବାପାଙ୍କ ଜାଗାରେ ମୁଁ ବୈଠକକୁ ଯାଇଛି କହିବା ଠିକ୍ ନୁହେଁ। କାରଣ ହ୍ବାଟସ୍‌ଆପ୍ ଗ୍ରୁପ୍ ବୈଠକକୁ ମୋତେ ଡକା ଯାଇଥିବାରୁ ମୁଁ ଯାଇଥିଲି। ମୋ ବାପା ହେଉଛନ୍ତି ମୋର ସବୁଠୁ ବଡ଼ ପରିଚୟ। ତାଙ୍କୁ ଛାଡ଼ି ମୁଁ କୁଆଡ଼େ ଯିବିନାହିଁ”, କହିଛନ୍ତି ସମ୍ବିତ ରାଉତରାୟ।

ରବିବାର ଦିନ ନବୀନ ନିବାସରେ ଜଗତସିଂହପୁର ଜିଲ୍ଲା ବିଜେଡିର ସମୀକ୍ଷା ବୈଠକ ବସିଥିଲା। ଏଥିରେ ଜିଲ୍ଲାର ସମସ୍ତ ଜନପ୍ରତିନିଧି ଏବଂ ଛାମୁଆ ନେତାମାନେ ଉପସ୍ଥିତ ଥିଲେ। ହେଲେ ବରିଷ୍ଠ ନେତା ତଥା ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତଙ୍କୁ ବୈଠକରେ ଦେଖିବାକୁ ମିଳି ନଥିଲା। ଡାକ୍ତର ରାଉତ କାହିଁକି ବୈଠକକୁ ଆସି ନାହାନ୍ତି ସେନେଇ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଫୁଲ୍ଲ ସାମଲଙ୍କୁ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ କରିଥିଲେ। ପ୍ରଫୁଲ୍ଲ ସାମଲ କହିଥିଲେ ଯେ ଦାମ ବାବୁଙ୍କ ପୁଅ ବୈଠକକୁ ଆସିଥିବାରୁ ସେ ଆସି ନାହାନ୍ତି।

ଏହି ପ୍ରସଙ୍ଗକୁ ନେଇ ଦାମ ରାଉତ ମଙ୍ଗଳବାର ଦିନ ବିଜେଡି ଉପରେ ବର୍ଷିଛନ୍ତି। ମୋତେ ବୈଠକକୁ ଡକାଯାଇ ନାହିଁ ବୋଲି କହିବା ସହ ଦଳ ମୋତେ ଅଣଦେଖା କରୁଛି ବୋଲି କହିଥିଲେ। ମୋ’ ପୁଅ କ’ଣ ବିଧାୟକ ପ୍ରତିନିଧି ବୋଲି ପ୍ରଶ୍ନ କରିଥିଲେ ଦାମ। ଦାମଙ୍କ ଏହି ପ୍ରଶ୍ନ ପରେ ଆଜି ମୁହଁ ଖୋଲିଛନ୍ତି ସମ୍ବିତ।

“୨୦୦୯ରେ ମୋତେ ଟିକେଟ ମିଳିଥିଲା। କିନ୍ତୁ ବାପା ସେତେବେଳେ ମନା କରିଥିଲେ। ୨୦୧୪ରେ ମଧ୍ୟ ମୋତେ ନିର୍ବାଚନ ଲଢ଼ିବା ପାଇଁ ସୁଯୋଗ ମିଳିଥିଲା। ହେଲେ ବାପାଙ୍କ ଇଚ୍ଛାକୁ ସମ୍ମାନ ଜଣାଇଥିଲି। ଏବେ ମୋତେ ବିଜେଡି ସମ୍ପାଦକ କରାଯାଇଛି। ୨୦୧୪ରେ କ’ଣ ହେବ ତାହା ଏବେଠାରୁ ମୁଁ କହିପାରିବି ନାହିଁ”, କହିଛନ୍ତି ସମ୍ବିତ ରାଉତରାୟ।

ମହାନଦୀ ବୈଠକକୁ ବାପାଙ୍କୁ ଡକାଯାଇ ନଥିବାରୁ ତାଙ୍କୁ ଆଘାତ ଦେଇଥିବ। ରାଜନୀତିରେ ତାଙ୍କର ବହୁତ ଅଭିଜ୍ଞତା ରହିଛି। ହେଲେ ଏହାକୁ ଉପଯୋଗ କରାଯାଉ ନାହିଁ।

ସମ୍ବିତ ରାଉତରାୟ ଏବଂ ଡାକ୍ତର ଦାମୋଦର ରାଉତଙ୍କୁ ନେଇ କିଛିଦିନ ହେଲା ରାଜ୍ୟ ରାଜନୀତିରେ ଚର୍ଚ୍ଚା ଲାଗି ରହିଛି। ମନ୍ତ୍ରୀ ପଦ ଏବଂ ଦଳର ଉପ-ସଭାପତି ପଦ ହରାଇବା ପରେ ସମ୍ବିତ ରାଉତରାୟଙ୍କୁ ବିଜେଡିର ସାଧାରଣ ସମ୍ପାଦକ କରାଯାଇଛି। ଡିସେମ୍ବର ୨୬ରେ ପୁରୀଠାରେ ଆୟୋଜିତ ବିଜେଡିର ପ୍ରତିଷ୍ଠା ଦିବସରେ ଦାମଙ୍କୁ ଦେଖିବାକୁ ମିଳି ନଥିଲା। ଏହି ବୈଠକରେ ସମ୍ବିତ ତାଙ୍କ ସମର୍ଥକଙ୍କୁ ନେଇ ଯାଇଥିଲେ। ସେହିପରି ବିଜେପୁର ଉପ-ନିର୍ବାଚନ ପରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ବିଜେପୁରବାସୀଙ୍କୁ ଧନ୍ୟବାଦ ଦେବାକୁ ଯାଇଥିଲେ। ସେଠାରେ ମଧ୍ୟ ସମ୍ବିତଙ୍କୁ ଅନ୍ୟ ବିଜେଡି ନେତାଙ୍କ ଗହଣରେ ଦେଖିବାକୁ ମିଳିଥିଲା।

Comment