ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହାନଦୀ ପାଲଟିଛି ମହାପ୍ରସଙ୍ଗ। ଓଡ଼ିଶାର ଜୀବନରେଖା ମହାନଦୀ ପ୍ରତି ଅବିଚାର କରାଯାଉଥିବାରୁ ବିଜେପିକୁ ଟାର୍ଗେଟ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ।

୨୦୧୯ ନିର୍ବାଚନ ଯେତିକି ନିକଟତର ହେଉଛି ରାଜ୍ୟ ରାଜନୀତିରେ ସେତିକି ଉଷ୍ମତା ବଢ଼ୁଛି। ୨୦୧୯ ନିର୍ବାଚନ ବୈତରଣୀ ପାର୍ ହେବା ପାଇଁ ବିଜେଡି ମହାନଦୀକୁ ଅସ୍ତ୍ର କରିଛି। ମହାନଦୀକୁ ଅଣଦେଖା କରାଯାଉଥିବାରୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଦ୍ୱିତୀୟ ଥର ପାଇଁ ସିଧାସଳଖ ବିଜେପିକୁ ଟର୍ଗେଟ କରିଛନ୍ତି। ମହାନଦୀ ପ୍ରସଙ୍ଗରେ ବିଜେଡି ନେତା ଆଜିଠାରୁ ଗାଁକୁ ଯାଇଛନ୍ତି।

ଏପ୍ରିଲ ୨୨ ତାରିଖ। ମହାନଦୀ ଅବବାହିକାର ୧୫ଟି ଜିଲ୍ଲା ଜନପ୍ରତିନିଧିଙ୍କୁ ନେଇ  ବିଜେଡି ପାର୍ଟି ଅଫିସରେ ଆୟୋଜନ ହୋଇଥିବା ମହାନଦୀ ମହାସମ୍ମିଳନୀ। ସବୁବେଳେ କମ୍ କହୁଥିବା ବିଜେଡି ସଭାପତି କିନ୍ତୁ ଏହି ସମ୍ମିଳନୀରେ ବିଜେପି ନାଁ ନେଇ ସିଧାସଳଖ ବର୍ଷିଥିଲେ।

ଛତିଶଗଡ଼ ଏବଂ କେନ୍ଦ୍ରର ବିଜେପି ସରକାର ଓଡ଼ିଶାର ମହାନଦୀକୁ ଶୁଖାଇବା ପାଇଁ ଚକ୍ରାନ୍ତ କରୁଥିବା ନବୀନ କହିଥିଲେ। ମହାନଦୀର ସୁରକ୍ଷା ପାଇଁ ବିଜେଡି ନେତା ଓ କର୍ମୀ ଗାଁକୁ ଯାଇ ସଚେତନତା କରିବାକୁ ନବୀନ ପରାମର୍ଶ ଦେଇଥିଲେ।

ମହାନଦୀ ପାଇଁ ଗାଁକୁ ଚାଲ ଡାକରା ଅଭିଯାନ ଆଜିଠାରୁ ଆରମ୍ଭ ହୋଇଛି। ଝାରସୁଗୁଡ଼ାର ସୁଖାଶୋଡ଼ା ଏବଂ ବରଗଡ଼ ଚିଖିଲିରୁ ବିଜେଡି ମହାନଦୀ ସୁରକ୍ଷା ଯାତ୍ରା ଆରମ୍ଭ କରିଛି। ଏହି ଯାତ୍ରାକୁ ନବୀନ ପଟ୍ଟନାୟକ ଶୁଭାରମ୍ଭ କରି ପୁଣି ବିଜେପିକୁ ସମାଲୋଚନା କରିଛନ୍ତି।

ନବୀନ କହିଛନ୍ତି, “ମହାନଦୀ ହେଉଛି ଓଡ଼ିଶାର ଜୀବନରେଖା। ଛତିଶଗଡ଼ ଏବଂ କେନ୍ଦ୍ରର ବିଜେପି ସରକାର ମହାନଦୀକୁ ନେଇ ଯେଉଁଭଳି ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ତାହା ଓଡ଼ିଶା ବିରୋଧୀ। ଓଡ଼ିଶାର ବିଜେପି ନେତାମାନେ ଛତିଶଗଡ଼ ସରକାରଙ୍କୁ ସମର୍ଥନ କରୁଥିବା ବେଳେ ଓଡ଼ିଶାରେ କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଯଦି ସେମାନେ ଓଡ଼ିଶା ଏବଂ ଓଡ଼ିଶାବାସୀଙ୍କର ମଙ୍ଗଳ ଚାହୁଁଛନ୍ତି ତାହାଲେ ସେମାନେ ଛତିଗଗଡ଼ ସରକାରଙ୍କୁ ବିରୋଧ କରନ୍ତୁ।”

ମହାନଦୀ ସୁରକ୍ଷା ଯାତ୍ରା ୧୫ଟି ଜିଲ୍ଲାର ୪୫ଟି ନିର୍ବାଚନମଣ୍ଡଳୀ ଦେଇ ପାରାଦୀପ ଆସିବ। ଏଠାରେ ଏହି ଯାତ୍ରା ଶେଷ ହେବ। ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭା କରାଯାଇ ମହାନଦୀ ପ୍ରତି କରାଯାଉଥିବା ଅବିଚାର ସମ୍ପର୍କରେ ଲୋକଙ୍କୁ ଅବଗତ କରାଯିବ।

“ମହାନଦୀର ସୁରକ୍ଷା ପାଇଁ ଏବଂ ଓଡ଼ିଶାର ହକ୍ ପାଇଁ ରାଜ୍ୟ ସରକାର ସୁପ୍ରିମକୋର୍ଟ ଯାଇଛନ୍ତି। ନ୍ୟାୟିକ ଲଢ଼େଇ ଯୋଗୁଁ ମହାନଦୀ ଟ୍ରିବ୍ୟୁନାଲ ଗଠନ ହୋଇଛି। ହେଲେ ମହାନଦୀକୁ ଏଯାଏଁ ନ୍ୟାୟ ମିଳିନି। ଛତିଶଗଡ଼ ସରକାର ମହାନଦୀରେ ଏକାଧିକ ପ୍ରକଳ୍ପ ନିର୍ମାଣ କରିଥିବାରୁ ଓଡ଼ିଶାରେ ମହାନଦୀ ଶୁଖିଲା ପଡ଼ିଛି। ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର କମିଛି। ଫଳରେ ଚାଷୀ, ମତ୍ସ୍ୟଜୀବୀମାନେ ଚିନ୍ତାରେ ପଡ଼ିଛନ୍ତି। ପାନୀୟ ଜଳର ସଙ୍କଟ ମଧ୍ୟ ଦେଖାଦେଲାଣି”, କହିଛନ୍ତି ନବୀନ ପଟ୍ଟନାୟକ

ମହାନଦୀକୁ ଆମେ ଶୁଖିବାକୁ ଦେବା ନାହିଁ। ଏହି ଲଢ଼େଇ କେବଳ ବିଜେଡିର ନୁହେଁ, ଏହା ହେଉଛି ଓଡ଼ିଶାବାସୀଙ୍କ ଲଢ଼େଇ। ଏହି ଲଢ଼େଇରେ ସମସ୍ତେ ସାମିଲ ହେବାକୁ ନବୀନ ଆହ୍ୱାନ ଦେଇଛନ୍ତି।

ମହାନଦୀ ସୁରକ୍ଷା ଯାତ୍ରା ଆରମ୍ଭ କରି ନବୀନ ବିଜେପିକୁ ସିଧାସଳଖ ତୀର ମାରିବା ପରେ ବିଜେପି ବି ମୁହଁତୋଡ଼ ଜବାବ ଦେଇଛି।

“ମହାନଦୀ ବିବାଦ ସମାଧାନ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଟ୍ରିବ୍ୟୁନାଲ ଗଠନ ହୋଇଛି। ଏଣୁ ମହାନଦୀର ସୁରକ୍ଷା ପାଇଁ ଆନ୍ଦୋଳନ କିଛି ଦରକାର ନାହିଁ। ଆଗକୁ ନିର୍ବାଚନ ଆସୁଥିବାରୁ ମହାନଦୀକୁ ପ୍ରସଙ୍ଗ କରି ବିଜେଡି କେବଳ ରାଜନୀତିକ ଫାଇଦା ହାସଲ କରିବା ପାଇଁ ଚାହୁଁଛି”, କହିଛନ୍ତି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର।

1 COMMENT

  1. When the water was flowing directly to Sea there was no objection. Now Chattisgarh utilizing that water by constructing dams. Why Odisha Govt was busy by distributing Re. 1/ Kg Rice and and other useless stuff where there is not at all required. If that much of money could have spent earlier by constructing dams at least farmers would have benefited from this.

    Second thing, Mahanadi not belongs to Biju Pattanaik or Naveen Pattanaik as the party. If it passes through any state that state having all rights to utilize its resource.

    Think about the development Mr. Naveen Pattanaik. Think about the Odisha people why they are going outside for job. Don’t think only for vote.

Comment