ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୯ ନିର୍ବାଚନରେ ମହାନଦୀ ପାଲଟିବ ବଡ଼ ପ୍ରସଙ୍ଗ। ସାଧାରଣ ନିର୍ବାଚନର ଠିକ୍ ବର୍ଷକ ପୂର୍ବରୁ ମହାନଦୀକୁ ବିଜେଡି ମହାପ୍ରସଙ୍ଗ କରି ସାରିଥିବା ବେଳେ ବିଜେପି କି ପଦକ୍ଷେପ ନେଉଛି ତା’ ଉପରେ ସମସ୍ତଙ୍କ ନଜର।

ରାଜନୀତି ପଶାପାଲିରେ ଓଡ଼ିଶାର ଜୀବନରେଖା ମହାନଦୀ।  ମହାନଦୀକୁ ନେଇ ଆରମ୍ଭ ହୋଇଛି ଜୋରଦାର ରାଜନୀତି। ମହାନଦୀ ୨୦୧୯ ନିର୍ବାଚନରେ ଉଭୟ ବିଜେଡି ଏବଂ ବିଜେପି ପାଇଁ ମହାପ୍ରସଙ୍ଗ ହେବାକୁ ଯାଉଛି। ଏହାକୁ ଅସ୍ତ୍ର କରି ବିଜେଡି ବିଜେପିକୁ ଘେରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିବା ବେଳେ ଓଡ଼ିଶା ବିଜେପି ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ମାଟିକୁ ଦେଖିବ ନା ପାର୍ଟିକୁ ଜଗିବ ସେନେଇ ବିଜେପି ଶିବିରରେ ଆଲୋଡ଼ନ ସୃଷ୍ଟି ହୋଇଛି।

ମହାନଦୀ ସୁରକ୍ଷା ପାଇଁ ବିଜେଡି ମେ’ ୧୬ ତାରିଖରୁ ଦ୍ୱିତୀୟ ପର୍ଯ୍ୟାୟ ଆନ୍ଦୋଳନ ଆରମ୍ଭ କରିବାକୁ ଯାଉଛି। ବରଗଡ଼ର ଚିଖିଲି ଏବଂ ଝାରସୁଗୁଡ଼ାର ସୁଖାଶୋଡ଼ାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଆନ୍ଦୋଳନ ଶୁଭାରମ୍ଭ କରିବେ।

ମହାନଦୀ ଅବବାହିକାର ୧୫ଟି ଜିଲ୍ଲାରେ ବିଜେଡି ପଥପ୍ରାନ୍ତ ସଭାକରି ଲୋକଙ୍କୁ ସଚେତନ କରିବ। ଓଡ଼ିଶାର ଜୀବନରେଖାକୁ ମାରିବା ପାଇଁ ଛତିଶଗଡ଼ର ବିଜେପି ଏବଂ କେନ୍ଦ୍ରର ବିଜେପି ସରକାର ଯେଉଁ ଚକ୍ରାନ୍ତ କରୁଛନ୍ତି ସେ ସମ୍ପର୍କରେ ଲୋକଙ୍କୁ ଅବଗତ କରିବ ବିଜେଡି। ଏଥିପାଇଁ ବିଜେଡି ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଛି।

ଏପ୍ରିଲ ୨୨ ତାରିଖରେ ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମହାନଦୀ ମହାସମ୍ମିଳନୀରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ମଧ୍ୟ ବିଜେପିକୁ ଟାର୍ଗେଟ କରିଛନ୍ତି। ଓଡ଼ିଶାର ଜୀବନରେଖା ମହାନଦୀକୁ ଶୁଖାଇବା ପାଇଁ ଛତିଶଗଡ଼ ଏବଂ କେନ୍ଦ୍ରର ବିଜେପି ସରକାର ଚକ୍ରାନ୍ତ କରୁଥିବା କହିବା ପରେ ଦଳ ଏବେ ଏଥିରୁ ରାଜନୀତିକ ପାଇଦା ନେବା ପାଇଁ ଅଣ୍ଟା ଭିଡ଼ିଛି।

ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ ସରକାର ନିର୍ମାଣ କରିଛନ୍ତି ଏକାଧିକ ପ୍ରକଳ୍ପ। ଏହାକୁ ନେଇ ଓଡ଼ିଶା ଏବଂ ଛତିଶଗଡ଼ ସରକାରଙ୍କ ମଧ୍ୟରେ ଗତ ୩ ବର୍ଷ ହେଲା ବିବାଦ ଲାଗି ରହିଛି। ମହାନଦୀ ବିବାଦ ସମାଧାନ ପାଇଁ ଓଡ଼ିଶା କେନ୍ଦ୍ର ନିକଟରେ ବାରମ୍ବାର ଦାବି କରୁଥିଲେ ମଧ୍ୟ ଏହାର ପ୍ରତିକାର ବ୍ୟବସ୍ଥା କରାଯାଉ ନାହିଁ। ଟ୍ରିବ୍ୟୁନାଲ ଗଠନ କରି କେନ୍ଦ୍ର ସରକାର ନୀରବ ହୋଇଯାଇଛନ୍ତି। ହେଲେ ଏହି ଟ୍ରିବ୍ୟୁନାଲ କେମିତି କାର୍ଯ୍ୟକ୍ଷମ ହେବ ସେନେଇ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ବିଜେଡି ଏହାକୁ ଅସ୍ତ୍ର କରିଛି।

ସବୁଠୁ ବଡ଼ କଥା ହେଉଛି କଲ୍‌ମା ବ୍ୟାରେଜର ସମସ୍ତ ଗେଟ୍‌କୁ ବନ୍ଦ କରିଦେଇଛନ୍ତି ଛତିଶଗଡ଼ ସରକାର। ଫଳରେ ମହାନଦୀକୁ ଯେତିକି ପାଣି ଆସିବା କଥା ତାହା ଆସିପାରୁ ନାହିଁ। ଜନଜୀବନ ପ୍ରଭାବିତ ହୋଇଛି। ଓଡ଼ିଶାର ଚାଷୀ ଚାଷ ପାଇଁ ପାଣି ପାଉ ନାହାନ୍ତି। ଜଳସେଚନ ବି ବାଧାପ୍ରାପ୍ତ ହୋଇଛି। ଓଡ଼ିଶାବାସୀଙ୍କ ପ୍ରତି ଛତିଶଗଡ଼ ଏବଂ କେନ୍ଦ୍ରର ବିଜେପି ସରକାର ଅବିଚାର କରୁଥିବାରୁ ବିଜେଡି ମହାନଦୀକୁ ମହାପ୍ରସଙ୍ଗ କରିଛି।

୨୦୧୯ ସାଧାରଣ ନିର୍ବାଚନକୁ ଆଉ ବର୍ଷେ ବାକି। ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ୍ ହୋଇଛି। ବିଜେପି ଗୋଟିଏ ପରେ ଗୋଟିଏ ରାଜ୍ୟ ଦଖଲ କରି ଚାଲିଥିବା ବେଳେ ଓଡ଼ିଶା ଉପରେ ଆଖି ପକାଇଛି। ୨୦୧୯ରେ ବିଜେପି ଓଡ଼ିଶାରେ ଶାସନ କରିବ ବୋଲି ଦଳର ରାଷ୍ଟ୍ରୀୟ ସଭାପତି ଅମିତ ଶାହା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଖାଲି ସେତିକି ନୁହେଁ, ଦଳ ୧୨୦ରୁ ଅଧିକ ଆସନ ପାଇବ ବୋଲି ବାରମ୍ବାର କହୁଛନ୍ତି। ହେଲେ ଏହାକୁ ହାଲୁକା ଭାବେ ଗ୍ରହଣ କରିପାରୁନି ବିଜେଡି।

ବିଜେପୁର ଉପ-ନିର୍ବାଚନ ଏବଂ ନିକଟରେ ଶେଷ ହୋଇଥିବା ଦୁଇଟି ଏନଏସି ନିର୍ବାଚନରେ ବିଜେଡି ସଫଳତା ପାଇଥିଲେ ବି ମହାନଦୀକୁ ନେଇ ବିଜେପି ବିରୋଧରେ ଏକ ପ୍ରକାର ରାଜନୀତିକ ଯୁଦ୍ଧ ଡାକରା ଦେଇଛି ଶାସକ ଦଳ।

ମହାନଦୀକୁ ଓଡ଼ିଶାର ଗଙ୍ଗା ବୋଲି କୁହାଯାଏ। ୧୫ଟି ଜିଲ୍ଲାର ଅଧିବାସୀ ମହାନଦୀ ପାଣି ଉପରେ ନିର୍ଭରଶୀଳ। ଚାଷଠାରୁ ଆରମ୍ଭ କରି ପାନୀୟ ଜଳ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ମହାନଦୀ ପାଣିକୁ ଉପଯୋଗ କରିଥାନ୍ତି ଲୋକେ। କିନ୍ତୁ ଏହି ମହାନଦୀ ଆଜି ମରିବାକୁ ଯାଉଛି। ମହାନଦୀରେ ପାଣି ନଥିବାରୁ ୧୫ଟି ଜିଲ୍ଲାର ଚାଷୀ ମୁଣ୍ଡରେ ହାତ ଦେଇଛନ୍ତି। ଏଣୁ ସାଧାରଣ ନିର୍ବାଚନ ପୂର୍ବରୁ ମହାନଦୀକୁ ରାଜନୀତିକ ଅସ୍ତ୍ର କରିବା ପାଇଁ ବିଜେଡି ରଣନୀତି ପ୍ରସ୍ତୁତ କରିଛି।

ବିଜେପୁର ଉପ-ନିର୍ବାଚନରେ ସଫଳତା ପାଇବା ପରେ ବିଜେଡି ମହାନଦୀକୁ ପ୍ରସଙ୍ଗ କରିଛି। ନିକଟରେ ଶେଷ ହୋଇଥିବା ବଜେଟ ଅଧିବେଶନ ବେଳେ ମହାନଦୀ ପ୍ରସଙ୍ଗକୁ କେନ୍ଦ୍ର କରି ଶାସକ ବିଜେଡି ସଭ୍ୟମାନେ ଗୃହରେ ହଙ୍ଗାମା କରିଥିଲେ। ବିଜେପି ଜାଣିଶୁଣି ଓଡ଼ିଶା ପ୍ରତି ଅବିଚାର କରୁଥିବା ଅଭିଯୋଗ କରିଥିଲେ। ଏନେଇ ଗୃହରେ ମଧ୍ୟ ଆଲୋଚନା ହୋଇଥିଲା।

ବିଧାନସଭା ଶେଷ ହେବା ପରେ ଏବେ ବିଜେଡି ମହାନଦୀ ଆନ୍ଦୋଳନକୁ ରାଜରାସ୍ତାକୁ ଆଣିଛି। ବିଜେଡି ପାର୍ଟି ଅଫିସରେ ବାରମ୍ବାର ବୈଠକ ହେବା ପରେ  ଦଳ ଏବେ ଆନ୍ଦୋଳନକୁ ଓହ୍ଲାଇଛି।

ବିଜେଡି ୨୦୧୯ ନିର୍ବାଚନ ପାଇଁ ମହାନଦୀକୁ ଅସ୍ତ୍ର କରିଥିବା ବେଳେ ବିଜେପି ଦୁଇ ପାଦ ପଛକୁ ଚାଲି ଯାଇଥିବା ପରି ମନେ ହେଉଛି। ମହାନଦୀ ଶୁଖିବା ପଛରେ ବିଜେପି ସରକାର ଦାୟୀ ବୋଲି ନବୀନ କହିବା ପରେ ଏହାକୁ ରାଜନୀତିକ ଡ୍ରାମା କହିଥିଲା ବିଜେପି। ହେଲେ ଏହାପରେ ବିଜେଡି ଓଡ଼ିଶାର ଜୀବନରେଖାକୁ ନେଇ ବାରମ୍ବାର ବିଜେପି ଉପରେ ଆକ୍ରମଣ କରି ଚାଲିଛି ବିଜେଡି। ମହାନଦୀ ପାଇଁ ଟ୍ରିବ୍ୟୁନାଲ ଗଠନ ହୋଇଥିବା ବେଳେ ବିଜେଡି ବିଭ୍ରାନ୍ତ କରି ନ୍ୟାୟାଳୟ ଉପରେ ଚାପ ପକାଇବାକୁ ଚାହୁଁଥିବା ବିଜେପି ଅଭିଯୋଗ କରିଥିଲା।

ହେଲେ ମହନଦୀକୁ ନେଇ ବିଜେଡି ଯେଉଁଭଳି ବଡ଼ ଧରଣର ଆନ୍ଦୋଳନ କରୁଛି ତାହାକୁ କାଉଣ୍ଟର କରିବା ପାଇଁ ବିଜେପି ପଛରେ ପଡ଼ିଯାଇଥିବା ଚର୍ଚ୍ଚା ହେଉଛି। କଂଗ୍ରେସ ମଧ୍ୟ ମହାନଦୀକୁ ଅସ୍ତ୍ର କରିଛି। ମହାନଦୀ ପ୍ରତି ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଅବିଚାର କରିଥିବାରୁ କଂଗ୍ରେସ ପଶ୍ଚିମ ଓଡ଼ିଶାରେ ଆନ୍ଦୋଳନ କରିବାକୁ ସଜବାଜ ହେଉଛି। ହେଲେ ବିଜେପି ଉଭୟ ଦଳକୁ କାଉଣ୍ଟର କରିବା ପାଇଁ କି ପଦକ୍ଷେପ ନେବ ତା’ ଉପରେ ସମସ୍ତଙ୍କ ନଜର ରହିଛି।

କର୍ଣ୍ଣାଟକ ନିର୍ବାଚନ ଫଳାଫଳକୁ ଓଡ଼ିଶାର ବିଜେପି ନେତାମାନେ ଅପେକ୍ଷା କରିଥିଲେ। କାରଣ କର୍ଣ୍ଣାଟକ ନିର୍ବାଚନ ପରେ ହିଁ ରାଜ୍ୟ ବିଜେପିରେ ଏକ ବଡ଼ ଧରଣର ଅଦଳ ବଦଳ ହେବାକୁ ଯାଉଛି। ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ତାଙ୍କ ଜାଗାରେ ନୂଆ ମୁହଁକୁ ସଭାପତି କରିବା ପାଇଁ ଦଳର କେନ୍ଦ୍ର ନେତୃବୃନ୍ଦ ଚାହୁଁଛନ୍ତି। ଏହି ରେସ୍‌ରେ ଅନେକ ନେତା ରହିଥିଲେ ହେଁ ସଂଘ ପରିବାରର ଜଣକୁ ସଭାପତି କରାଯିବ ବୋଲି ଚର୍ଚ୍ଚା ହେଉଛି।

କର୍ଣ୍ଣାଟକରେ ବିଜେପି କଂଗ୍ରେସକୁ ପଛରେ ପକାଇ ଅଧିକ ଆସନ ହାତେଇଛି। ଫଳରେ ବିଜେପି କର୍ମକର୍ତ୍ତାମାନେ ଉତ୍ସାହିତ ଅଛନ୍ତି। ଆଗାମୀ ୧୫ ଦିନ ଭିତରେ ରାଜ୍ୟ ବିଜେପି ସମ୍ପର୍କରେ କେନ୍ଦ୍ର ନେତାମାନେ ବଡ଼ ଧରଣର ନିଷ୍ପତ୍ତି ନେବେ। ଏହି ନିଷ୍ପତ୍ତି ପରେ ହିଁ ବିଜେପିର ୨୦୧୯ ରଣନୀତି ସ୍ପଷ୍ଟ ହେବ। ତେବେ ବିଜେଡି ମହାନଦୀ ଶୁଖିବା ପଛରେ ବିଜେପି ସରକାରକୁ ଟାର୍ଗେଟ କରୁଥିବା ବେଳେ ବିଜେପି ମହାନଦୀକୁ ନେଇ ଆଉ କି ରଣନୀତି ପ୍ରସ୍ତୁତ କରୁଛି ତାହା ଅପେକ୍ଷା କରି ଦେଖିବାର କଥା।

Comment