ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ଵରେ ବିଜୁ ଜନତା ଦଳ ସରକାର ଚତୁର୍ଥ ପାଳିର ଚତୁର୍ଥ ବର୍ଷ ପୂରଣ କରିଛି।

୨୦୦୦ମସିହାରେ ନବୀନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ଵ ନେଇଥିଲେ। ଲଗାତାର ଭାବେ ଚାରିଚାରି ଥର ଶାସନରେ ରହି ନବୀନ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। କେବଳ ସେତିକି ନୁହେଁ ଓଡ଼ିଶାକୁ ଏକ ସ୍ଥିର ସରକାର ଦେଇ ରାଜ୍ୟ ରାଜନୀତିରେ ଦଳ ପାଇଁ ବିଶେଷ ସଫଳତା ଆଣିଦେଇଛନ୍ତି।

ନବୀନଙ୍କ ଏହି ଦୀର୍ଘସ୍ଥାୟୀ ଶାସନ ପଛରେ ମୁଖ୍ୟ କାରଣ କଣ? ଦୃଢ଼ ନେତୃତ୍ୱ, ଓଡ଼ିଶାର ଲୋକଙ୍କ ପାଇଁ ଥିବା ପ୍ରତିବଦ୍ଧତା,ବିକାଶମୂଳକ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ଏବଂ ଓଡ଼ିଶାର ସ୍ୱାଭିମାନ- ଏହି ୪ଟି କାରଣ ଯୋଗୁଁ ଲୋକେ ବାରମ୍ବାର ନବୀନ ପଟ୍ଟନାୟକଙ୍କ ସରକାରକୁ ଭୋଟ ଦେଇ କ୍ଷମତାସୀନ କରି ଆସୁଛନ୍ତି ବୋଲି ବିଚାର କରାଯାଇପାରେ।

ନୂତନ ସହସ୍ରାବ୍ଦୀରେ ଓଡ଼ିଶାରେ ଯେଉଁ ନୂଆ ଯାତ୍ରା ଆରମ୍ଭ ହୋଇଥିଲା ତାହା ଥିଲା ସାମଗ୍ରିକ ବିକାଶର ଯାତ୍ରା। ତୃଣମୂଳ ସ୍ତରରେ ଲୋକଙ୍କୁ ସଶକ୍ତ କରିବା ବିଜେଡି ସରକାରର ଆଉ ଗୋଟିଏ ମୂଳ ଲକ୍ଷ୍ୟ ଥିଲା। ଏହି ଦୁଇଟି ଆଭିମୁଖ୍ୟ ନେଇ କାର୍ଯ୍ୟ କରି ଆସିଥିବା ନବୀନ ସରକାରକୁ ମିଳିଛି ଅନେକ ସମ୍ମାନ ଓ ପୁରସ୍କାର। ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଯାହା ସବୁ କରିଛନ୍ତି ତାହା ତାଙ୍କ ଭିତରେ ଆତ୍ମସନ୍ତୋଷ ଜାଗୃତ କରିବା ସହ ଦଳକୁ ରାଜ୍ୟ ଓ ଜାତୀୟ ସ୍ତରରେ ବେଶ୍ ମଝବୁତ କରିପାରିଛି।

୧୯୯୯ ମହାବାତ୍ୟା ପରେ ପରେ ଓଡ଼ିଶା ଯେଉଁ ସ୍ଥିତିର ସମ୍ମୁଖୀନ ହୋଇଥିଲା ତାହା ଅବର୍ଣ୍ଣନୀୟ। ଭୁଶୁଡି ପଡ଼ିଥିବା ଅର୍ଥନୀତି, ଶୂନ୍ୟ ରାଜକୋଷ ଓ ଦୋହଲି ଯାଇଥିବା ସାମାଜିକ ସ୍ଥିତିରୁ ମୁକୁଳି ରାଜ୍ୟକୁ ଉନ୍ନତିର ଦ୍ୱାରଦେଶରେ ପହଞ୍ଚାଇବା କିଛି କମ ବଡ଼ ଦାୟିତ୍ୱ ନଥିଲା। ସେହି ଚାଲେଞ୍ଜକୁ ସାମ୍ନା କରି ଏକ ପ୍ରଗତିଶୀଳ ସରକାର ଜରିଆରେ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଯେଉଁ ସବୁ ଯୋଜନା ହାତକୁ ନିଆଗଲା ତାହାର ଫଳ ଏବେ ଦେଖିବାକୁ ମିଳୁଛି।

ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, କୃଷି, ସାମାଜିକ କଲ୍ୟାଣ, ଗ୍ରାମ ବିକାଶ, ଅନୁସୂଚିତ ଜାତି ଓ ଜନଜାତିର ବିକାଶ, ମହିଳା ସଶକ୍ତିକରଣ, ଯୁବ-ଛାତ୍ର ବିକାଶ, ଦକ୍ଷତା ବିକାଶ, ବିପର୍ଯ୍ୟୟ ପରିଚାଳନା ଅନେକ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି ସରକାର। ସାମଗ୍ରିକ ଭାବେ ଦେଖିବାକୁ ଗଲେ ମୁଖ୍ୟତଃ ବିଭିନ୍ନ ଲୋକାଭିମୁଖୀ ନୀତି ଏବଂ ସାମାଜିକ ଓ ଅର୍ଥନୈତିକ ସ୍ଥିରତା ବଜାୟ ରହିବା ଫଳରେ ଗତ ଗୋଟିଏ ଦଶନ୍ଧି ଭିତରେ ରାଜ୍ୟରେ ପ୍ରଗତିର ଧାରା ତ୍ୱରାନ୍ୱିତ ହୋଇପାରିଛି। ବିଭିନ୍ନ ସାମାଜିକ ଯୋଜନା ସହ ବିଗତ ଦୁଇ ବର୍ଷ ଭିତରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, ପରମ୍ପରା ଓ ଐତିହ୍ୟର ସଂରକ୍ଷଣ ପାଇଁ ସରକାର ଗ୍ରହଣ କରିଥିବା ନୂତନ ଆଭିମୁଖ୍ୟ ଆଲୋଚନାର ବିଷୟ ହୋଇଛି।

ରାଜ୍ୟର ଓ ରାଜ୍ୟବାସୀଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ସହ ଲଢ଼ିବା ଭିତରେ ବିଜେଡି ସରକାର ସଂଘୀୟ ଗଣତନ୍ତ୍ର ଉପରେ ମଧ୍ୟ ଜୋର ଦେଇ ଆସିଛି। ନବୀନ ପଟ୍ଟନାୟକଙ୍କ ସରକାର ଅସହିଷ୍ଣୁତା, ସାମାଜିକ ବିଦ୍ୱେଷ ଓ ସାମ୍ପ୍ରଦାୟିକତାରୁ ରାଜ୍ୟକୁ ମୁକ୍ତ ରଖିବା ସହ ସ୍ଵଚ୍ଛ, ଉତ୍ତରଦାୟୀ ଓ କ୍ରିୟାଶୀଳ ସରକାର ଭାବେ ନିଜକୁ ପରିଚିତ କରିବାକୁ ଯେଉଁ ଉଦ୍ୟମ କରୁଛନ୍ତି ତାହା ଅନେକ ମାତ୍ରାରେ ସଫଳ ହୋଇଛି।

୨୦୧୯ ପାଇଁ ଏବେ ସବୁ ରାଜନୈତିକ ଦଳ ସଜବାଜ ହେଲେଣି। ବିଜେଡି ମଧ୍ୟ ଏଦୃଷ୍ଟିରୁ ସବୁଠୁ ସୁବିଧାଜନକ ସ୍ଥିତିରେ ରହିଛି। ଗତ ପଞ୍ଚାୟତ ନିର୍ବାଚନରେ ରାଜ୍ୟର କେତେକ ଅଞ୍ଚଳରେ ବିଜେପି ବାଜିମାତ କରିନେବା ଫଳରେ ଏକ ନୂଆ ରାଜନୈତିକ ସମୀକରଣ ସୃଷ୍ଟି ହୋଇଥିଲା। ତେବେ ପରବର୍ତ୍ତୀ ସମୟରେ ବିଜେପୁର ଉପନିର୍ବାଚନରେ ବିଜେପିକୁ ଯଥେଷ୍ଟ ପଛରେ ପକାଇ ବିଜେଡି ତା’ର ସ୍ଥିତି ପୁଣି ଜାହିର କରିଥିଲା।

ସେହିପରି ନିକଟରେ ହୋଇଥିବା କେତୋଟି ପୌର ନିର୍ବାଚନରେ ମଧ୍ୟ ବିଜେଡି ବିଜୟ ହାସଲ କରିବା ଫଳରେ ଏବେ ପୁଣି ଥରେ ଦଳର ମନୋବଳ ଟାଣ ଦେଖାଯାଉଛି। ସେପଟେ ଗତ କିଛିମାସ ଧରି ରାଜ୍ୟରେ ଅତ୍ୟନ୍ତ କ୍ରିୟାଶୀଳ ହୋଇପଡ଼ିଥିବା ବିଜେପି ବର୍ତ୍ତମାନ ଏକ ପ୍ରକାର ନୀରବତା ଅବଲମ୍ବନ କରୁଥିବା ଭଳି ମନେ ହେଉଛି। ଅନ୍ୟପକ୍ଷରେ ରାଜ୍ୟ କଂଗ୍ରେସରେ ନିରଞ୍ଜନ ପଟ୍ଟନାୟକ ଦାୟିତ୍ଵ ନେବା ପରେ ହାତରେ କିଛିଟା ଜୀବନ ଫେରିଛି। ତେଣୁ ଆଗାମୀ ନିର୍ବାଚନ ବିଜେଡି ପାଇଁ ମଧ୍ୟ ଏକ ଆହ୍ଵାନ ହେବ ନାହିଁ ତାହା ଏବେଠାରୁ କହିବା କଷ୍ଟକର।

Comment