ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାର ରାଜନୀତି ଏବେ ଏକ ଚାଞ୍ଚଲ୍ୟକାର ପର୍ଯ୍ୟାୟ ଦେଇ ଗତି କରୁଛି।୨୦୧୯ ବିଧାନସଭା ନିର୍ବାଚନରେ ତ୍ରିକୋଣୀୟ ମୁକାବିଲା ଏକରକମ ସ୍ପଷ୍ଟ ହୋଇଥିବାବେଳେ ଆଗକୁ ରାଜନୀତି କଣ ହେବ ସେ ନେଇ ବିଭିନ୍ନ ଆକଳନ ଆରମ୍ଭ ହୋଇଛି।

ରାଜନୈତିକ ବ୍ୟାଖ୍ୟାକାରଙ୍କ ମତରେ ନିକଟରେ କର୍ଣ୍ଣାଟକରେ ଯାହା ହେଲା ତାର ପୁନରାବୃତ୍ତି ଓଡ଼ିଶାରେ ମଧ୍ୟ ହୋଇପାରେ।ଅର୍ଥାତ ଏକ ଝୁଲା ବିଧାନସଭା ଭଳି ପରିସ୍ଥିତି ଏଠି ବି ସୃଷ୍ଟି ହୋଇପାରେ।ଯଦି ତାହା ହୁଏ,କିଏ କାହା ସହିତ ରହିବ ଓ କେଉଁ ଦଳ କାହା ସହ ମେଣ୍ଟ କରିବ ସେ ସମ୍ପର୍କରେ ବେଶ୍ କିଛି ଚର୍ଚ୍ଚା ହେଉଛି।

ଗୋଟିଏ ପଟେ ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ନିର୍ବାଚିତ ହେବା ପରେ କଂଗ୍ରେସ ଦଳ ଭିତରେ ନୂଆ ଉତ୍ସାହ ସୃଷ୍ଟି ହୋଇଥିବା ବେଳେ ତେଣେ କର୍ଣ୍ଣାଟକ ପରାଜୟ ସତ୍ତ୍ୱେ ବିଜେପି ମଧ୍ୟ ପଛକୁ ହଟିବାକୁ ଚାହୁଁନାହିଁ।

ବିଜେପିର ଆକଳନ ହେଉଛି ଦୀର୍ଘ ୧୮ବର୍ଷ ଶାସନ କରିବା ପରେ ବିଜେଡି ନିଶ୍ଚିତରେ ଏଥର ଲୋକଙ୍କ କ୍ରୋଧର ଶରବ୍ୟ ହେବ।ଏଣୁ ଶାସକ ବିଜେଡି ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ଲାଭ କରିବାର ସମ୍ଭାବନା କମ। ହୁଏତ ସର୍ବାଧିକ ଆସନ ହାସଲ କରି ଏକକ ଦଳ ଭାବରେ ବିଜେଡି ସାମ୍ନାକୁ ଆସିବ। ଏହା ହେଉଛି ବିଜେପିର ହିସାବ। ଯଦି ବିଜେପିର ଆକଳନ ସତ ହୁଏ ତେବେ ପ୍ରଶ୍ନ ହେଉଛି ବିଜେଡି କାହା ସହିତ ମେଣ୍ଟ କରିବ?

ଏବେ ଏବେ କାର୍ଣ୍ଣାଟକରେ ଯେଉଁଭଳି ହଟଚମଟ ଚାଲିଲା ଓଡ଼ିଶାରେ ମଧ୍ୟ ସେଭଳି ନହେବ ସେ କଥା କିଏ କହିବ? ସେହି ଦୃଷ୍ଟିରୁ ବିଜେପିକୁ ଦୂରରେ ରଖିବା ପାଇଁ ବିଜେଡି ଓ କଂଗ୍ରେସ ମଧ୍ୟରେ ମେଣ୍ଟ ହୋଇପାରେ ବୋଲି ରାଜନୀତି ଜୋର ଧରିଛି।କିଛି କଂଗ୍ରେସ ନେତାଙ୍କ ମତରେ ଆସନ୍ତା ବିଧାନସଭା ନିର୍ବାଚନରେ ଦଳକୁ ଅନ୍ତତଃ ୪୦ଟି ଆସନ ମିଳିବ।ସେହିଭଳି ବିଜେପି ମଧ୍ୟ ଭଲ ପ୍ରଦର୍ଶନ କରିବାର ଆଶା ବାନ୍ଧିଛି। ଗତ ଥର ଅପେକ୍ଷା ଏଥର ଦଳକୁ ଆଉ କିଛି ଅଧିକ ଆସନ ମିଳିବ ବୋଲି ବିଜେପି ନେତାମାନଙ୍କ ବିଶ୍ୱାସ।

ବିଜେପିର ବରିଷ୍ଠ ନେତାଙ୍କ ମତରେ ଓଡ଼ିଶାରେ ପଶିବା ପାଇଁ ଗତ ଦୁଇ ବର୍ଷ ଧରି ଦଳ ଯେଉଁଭଳି ଝାଳନାଳ ଉଦ୍ୟମ କରି ଆସିଛି ତାହା ଯେ ବେକାର ଯିବ ଏହା କଦାପି ନୁହେଁ।ଅମିତ ଶାହାଙ୍କ ଟାର୍ଗେଟରେ ବରାବର ଓଡ଼ିଶା ରହିଆସିଛି ଏବଂ ଆଗାମୀ ଦିନରେ ଦଳ ପକ୍ଷରୁ ଅଭିଯାନକୁ ଆହୁରି ତୀବ୍ରତର କରାଯିବାର ସୂଚନା ମିଳୁଛି।

୨୬ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଟକ ଗସ୍ତ ସେହି ଯୋଜନାର ଅଂଶ ବିଶେଷ।ମୋଦିଙ୍କ କଟକ ଗସ୍ତ ପରେ ବିଜେପି ପାଇଁ ସ୍ଥିତି ଅନୁକୂଳ ହେବ ବୋଲି ବିଜେପି ନେତାମାନେ ଅନୁମାନ କରୁଛନ୍ତି। ତେବେ ବିଜେଡି ସହିତ କଂଗ୍ରେସ ପ୍ରାକ-ନିର୍ବାଚନୀ ବୁଝାମଣା କରିବ କି? ଯାହା ଦେଖାଯାଉଛି ,ବିଜେଡି-କଂଗ୍ରେସ ମେଣ୍ଟ ପ୍ରଶ୍ନ ହିଁ ନାହିଁ।କିନ୍ତୁ ନିର୍ବାଚନ ଫଳ ଆସିବା ପରେ ଦୁଇ ଦଳ ମଧ୍ୟରେ ସମର୍ଥନ ଦିଆ ନିଆ ହୋଇପାରେ। ଏହାର ଏକ ମାତ୍ର ଉଦେଶ୍ୟ ବିଜେପିକୁ କୌଣସି ପ୍ରକାର କ୍ଷମତା ଠାରୁ ଦୂରେଇ ରଖିବା।

କଂଗ୍ରେସର କିଛି ବରିଷ୍ଠ ନେତାଙ୍କ କଥାକୁ ଯଦି ବିଶ୍ୱାସ କରାଯାଏ ବିଜେଡି ଓ କଂଗ୍ରେସ ମଧ୍ୟରେ ମେଣ୍ଟ ସମ୍ଭବ।କଂଗ୍ରେସ ଭିତରେ ଏ ନେଇ ଚିନ୍ତା କରାଯାଇଥିବା କଥା କୁହାଯାଉଛି।ତେବେ ବିଜେଡି ପକ୍ଷରୁ ଏହିଭଳି ଆଲୋଚନାକୁ ଖଣ୍ଡନ କରାଯାଇଛି। କଂଗ୍ରେସ ସହିତ କୌଣସି ମେଣ୍ଟର ଆବଶ୍ୟକତା ନାହିଁ ଓ ଆମେ ନିଜ ଦମରେ ଏକାକୀ ନିର୍ବାଚନ ଲଢ଼ି ପୁଣି କ୍ଷମତାକୁ ଆସିବୁ ବୋଲି ବିଜେଡି ନେତା ଅମର ପ୍ରସାଦ ଶତପଥୀ କହିଛନ୍ତି।

Comment