ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ମହାନଦୀ ମହାସଂଗ୍ରାମ
  • ମହାନଦୀର ଦକ୍ଷିଣ ଏବଂ ବାମ ପାର୍ଶ୍ୱରେ ଚାଲିଛି ଅଭିଯାନ
  • ଦକ୍ଷିଣ ପାର୍ଶ୍ୱରେ ନେତୃତ୍ୱ ନେଇଛନ୍ତି ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ
  • ବାମ ପାର୍ଶ୍ୱ ଅଭିଯାନର ନେତୃତ୍ୱ ନେଇଛନ୍ତି ଦେବୀପ୍ରସାଦ ମିଶ୍ର
  • ସମଲେଶ୍ୱରୀ, ଗଡ଼େଶ୍ୱରୀ ମନ୍ଦିରରେ ଜଳ ଆଳତୀ

ମହାନଦୀ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଛି ବିଜେଡି। ମେ’ ୧୬ ତାରିଖରୁ ଝାରସୁଗୁଡ଼ାର ସୁଖାଶୋଡ଼ା ଏବଂ ବରଗଡ଼ର ଚିଖିଲିରୁ ବାହାରିଥିବା ମହାନଦୀ ସୁରକ୍ଷା ଅଭିଯାନ ଆଜି ଭୁବନେଶ୍ୱରରେ ପହଞ୍ଚିଛି। ସବୁଠି ଏହି ଅଭିଯାନକୁ ବିପୁଳ ଜନସମର୍ଥନ ମିଳୁଥିବା ବେଳେ ଲୋକେ ଏହି ଅଭିଯାନରେ ସାମିଲ୍ ହେଉଥିବା ଦେଖିବାକୁ ମିଳିଛି।

ମହାନଦୀର ଉଭୟ ଦକ୍ଷିଣ ଏବଂ ବାମ ପାର୍ଶ୍ୱରେ ମହାନଦୀ ଜନଜାଗରଣ ଯାତ୍ରା ଚାଲିଛି। ବାମ ପାର୍ଶ୍ୱରେ ଚାଲିଥିବା ଜନଜାଗରଣ ଯାତ୍ରାର ନେତୃତ୍ୱରେ ବିଜେଡି ଉପ-ସଭାପତି ଦେବୀପ୍ରସାଦ ମିଶ୍ର ନେଉଥିବା ବେଳେ ଦକ୍ଷିଣ ପାର୍ଶ୍ୱରେ ଚାଲିଥିବା ଯାତ୍ରାର ନେତୃତ୍ୱ ନେଉଛନ୍ତି ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ।

ଗାଁରୁ ଗାଁକୁ ଗଡ଼ୁଛି ମହାନଦୀ ସୁରକ୍ଷା ଅଭିଯାନ ଯାତ୍ରା। ଦ୍ୱିତୀୟ ଦିନରେ ଏହି ଯାତ୍ରା ସମ୍ବଲପୁରରେ ପହଞ୍ଚିଥିଲା। ମା’ସମଲେଶ୍ୱରୀ ମନ୍ଦିରରେ ଜଳ ଆଳତୀ କରାଯିବା ପରେ ସୋନପୁର ଅଭିମୁଖେ ଯାଇଥିଲା ଏହି ଅଭିଯାନ। ସୋନପୁରରେ ବିଜେଡି ନେତା ଓ କର୍ମୀମାନେ ଉପସ୍ଥିତ ରହି ମହାନଦୀ ପ୍ରତି ହେଉଥିବା ଅତ୍ୟାଚାର ସମ୍ପର୍କରେ ଲୋକଙ୍କୁ ସଚେତନ କରିଥିଲେ।

ସୋନପୁରରୁ ବୌଦ୍ଧ ଏବଂ ନୟାଗଡ଼ ଜିଲ୍ଲା ଅଭିମୁଖେ ଆସିଥିଲା ଏହି ଯାତ୍ରା। ବୌଦ୍ଧ ଓ ନୟାଗଡ଼ର ବିଭିନ୍ନ ସ୍ଥାନରେ ମହାନଦୀ ସୁରକ୍ଷା ଅଭିଯାନ ପକ୍ଷରୁ ପଥପ୍ରାନ୍ତ ସଭା କରାଯାଇଥିଲା। କଣ୍ଟିଲୋ ନୀଳମାଧବ ପୀଠରେ ଆଳତୀ କରାଯାଇଥିଲା। ପରେ ଏହି ଯାତ୍ରା କଟକ ଅଭିମୁଖେ ଯାତ୍ରା କରିଥିଲା।

ସେହିପରି ମହାନଦୀର ବାମ ପାର୍ଶ୍ୱରେ ଆସୁଥିବା ଯାତ୍ରା ଢେଙ୍କାନାଳ-ଅନୁଗୁଳ ଜିଲ୍ଲା ଦେଇ କଟକ ଆସିଥିଲା। କଟକରୁ ଏହି ଟିମ୍‌ ଯାଜପୁର, କେନ୍ଦ୍ରାପଡ଼ା ଅଭିମୁଖେ ଯାଇଥିବା ବେଳେ ଦକ୍ଷିଣ ପାର୍ଶ୍ୱରେ ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଆସିଥିବା ଯାତ୍ରା ଭୁବନେଶ୍ୱର ଦେଇ ଚିଲିକା ଅଭିମୁଖେ ଯାଇଛି। ଆସନ୍ତା ୨୫ ତାରିଖରେ ପାରାଦୀପରେ ଏହି ଯାତ୍ରା ସମାପନ ହେବ।

୨୦ ତାରିଖରେ ମହାନଦୀ ସୁରକ୍ଷା ଅଭିଯାନ କଟକରେ ପହଞ୍ଚିବା ପରେ ଗଡ଼େଶ୍ୱରୀ ମନ୍ଦିର ଏବଂ ଚଣ୍ଡି ମନ୍ଦିରରେ ଆଳତୀ କରାଯାଇଥିଲା। କଟକ ଜିଲ୍ଲାର ସମସ୍ତ ବିଧାୟକ, ସାଂସଦ ଉପସ୍ଥିତ ଏହି ଅଭିଯାନରେ ସାମିଲ ହୋଇଥିଲେ।

୨୧ ତାରିଖ ସକାଳୁ ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଏହି ଅଭିଯାନ ଭୁବନେଶ୍ୱରରେ ପହଞ୍ଚିଥିଲା। ବିଧାୟକ ବିଜୟ ମହାନ୍ତି, ପ୍ରିୟଦର୍ଶି ମିଶ୍ର, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏବଂ ମେୟର ଅନନ୍ତ ନାରାୟଣ ଜେନା ଏହାକୁ ସ୍ୱାଗତ କରିଥିଲେ।

ମହାନଦୀ ସୁରକ୍ଷା ଅଭିଯାନକୁ ୬ ଦିନ ପୂରିଛି। ଆଉ ୪ ଦିନ ପରେ ପାରାଦୀପରେ ଏହି ଅଭିଯାନ ଶେଷ ହେବ। ତେବେ ଯେଉଁ ଯେଉଁ ଅଞ୍ଚଳ ଦେଇ ଏହି ଅଭିଯାନ ଆସୁଛି ସେଠାରେ ଜନସାଧାରଣଙ୍କୁ ମହାନଦୀ ବିଷୟରେ ଅବଗତ କରାଯାଉଛି। କେନ୍ଦ୍ର ଏବଂ ଛତିଶଗଡ଼ର ବିଜେପି ସରକାର ମହାନଦୀ ପ୍ରତି ଅବିଚାର କରୁଥିବା ଲୋକଙ୍କୁ କୁହାଯାଉଛି। ଏହାସହ ମହାନଦୀର ବାସ୍ତବ ଚିତ୍ରକୁ ଲୋକଙ୍କୁ ଭିଡିଓ ମାଧ୍ୟମରେ ପ୍ରଦର୍ଶନ କରାଯାଉଛି।

Comment