ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେଡି-କଂଗ୍ରେସ ଭିତରେ ଭିତିରି ବୁଝାମଣା ରହିଥିବା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିବା ପରେ ରାଜ୍ୟ ରାଜନୀତିରେ ସୃଷ୍ଟି ହୋଇଛି ହଟଚମଟ।

ଦୀର୍ଘ ଦିନର ନୀରବତା ପରେ ମୁହଁ ଖୋଲିଛନ୍ତି କେନ୍ଦମ୍ରନ୍ତ୍ରୀ ଜୁଏଲ ଓରାମ। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜୁଏଲ ପଟ୍ଟନାୟକ ବ୍ରଦର୍ସଙ୍କୁ ତୀର ମାରିଛନ୍ତି। ବିଜେଡି-କଂଗ୍ରେସ ଭିତରେ ଭିତିରି ବୁଝାମଣା ଚାଲିଥିବା ଜୁଏଲ ଆକ୍ଷେପ କରିବା ପରେ ରାଜ୍ୟ ରାଜନୀତି ସରଗରମ୍ ହୋଇଯାଇଛି।

ଜୁଏଲ କହିଛନ୍ତି, “ବିଜେଡି ଏବଂ କଂଗ୍ରେସ ଭିତରେ ଭିତିରି ବୁଝାମଣା ହୋଇଛି। ବିଜେପିକୁ ଦୂରେଇ ରଖିବା ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ମଧ୍ୟରେ ବୁଝାମଣା ହୋଇଛି। ଏହି ବୁଝାମଣାରେ ନିରଞ୍ଜନଙ୍କ ଭାଇ ତଥା ରାଜ୍ୟସଭା ସାଂସଦ ସୌମ୍ୟ ରଞ୍ଜନ ପଟ୍ଟନାୟକ ସେତୁ ଭଳି କାମ କରୁଛନ୍ତି। ବିଜେଡି-କଂଗ୍ରେସ ଭିତରେ ସୌମ୍ୟ ସମନ୍ୱୟ ରକ୍ଷା କରୁଛନ୍ତି। ହେଲେ ଓଡ଼ିଶାବାସୀ ସବୁ ଜାଣିଛନ୍ତି। ଆଗାମୀ ନିର୍ବାଚନରେ ବିଜେପି ଏକାକୀ ଲଢ଼ିବ ଏବଂ ବିଜୟୀ ହେବ।”

ଜୁଏଲ ଆହୁରି କହିଛନ୍ତି ଯେ ୨୦୦୯ରେ ବିଜେଡି ପରାଜିତ ହୋଇଥାନ୍ତା। ହେଲେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧିଙ୍କ ସହ ଭିତରି ବୁଝାମଣା ହୋଇଥିବାରୁ ବିଜେଡି ଜିତିଗଲା।

ଜୁଏଲ ଓରାମ ଏଭଳି ମନ୍ତବ୍ୟ ଦେବା ପରେ ଉଭୟ ବିଜେଡି ଏବଂ କଂଗ୍ରେସ ଶିବିର ହଲଚଲ ହୋଇଯାଇଛି। ଜୁଏଲଙ୍କୁ କାଉଣ୍ଟର କରିଛନ୍ତି ପଟ୍ଟନାୟକ ବ୍ରଦର୍ସ ନିରଞ୍ଜନ ଏବଂ ସୌମ୍ୟ।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, “କର୍ଣ୍ଣାଟକରେ ସରକାର ଗଠନ କରି ନପାରିବାରୁ ବିଜେପି ଭୟଭୀତ ଏବଂ ବିଚଳିତ ହୋଇଯାଇଛି। ବିଜେଡି-କଂଗ୍ରେସ ଭିତରେ ଆଦୌ ବୁଝାମଣା ନାହିଁ। କଂଗ୍ରେସକୁ ଟେକା ଫିଙ୍ଗିବା ପୂର୍ବରୁ ଜୁଏଲ ପ୍ରଥମେ ନିଜ ଦଳକୁ ଦେଖନ୍ତୁ। ୯ ବର୍ଷ ଧରି ବିଜେଡି ସହ ତାଙ୍କ ଦଳ ମେଣ୍ଟ ସରକାରରେ ଥିଲା। ବିଜେଡି ସହ ବିଜେପିର ଭିତିରି ବୁଝାମଣା ରହିଛି।”

କର୍ଣ୍ଣାଟକରେ କୁମାରସ୍ୱାମୀଙ୍କ ଶପଥ ଗ୍ରହଣ ଉତ୍ସବକୁ ଅଣ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯାଉଛନ୍ତି। ହେଲେ ସେଠାକୁ ନବୀନ ପଟ୍ଟନାୟକ କାହିଁକି ଯାଉ ନାହାନ୍ତି। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ବିଜେପି ସହ ବିଜେଡିର ଭିତିରିଆ ବୁଝାମଣା ରହିଛି ବୋଲି ନିରଞ୍ଜନ କହିଛନ୍ତି।

ସୌମ୍ୟରଞ୍ଜନ ପଟ୍ଟନାୟକ ବି ଜୁଏଲଙ୍କୁ ଜବାବ ଦେଇଛନ୍ତି। ରାଜନୀତିରେ ପରିବାରବାଦ ନୀତିକୁ ଆକ୍ଷେପ କରିବା ଠିକ୍ ନୁହେଁ। ଏହା ଗଣତନ୍ତ୍ରରେ ଆଦୌ ଗ୍ରହଣୀୟ ନୁହେଁ। ଜାନକୀବଲ୍ଲଭ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ବେଳେ ମୁଁ ବିଜେପିରେ ଥିଲି ଏବଂ ନିରଞ୍ଜନ କଂଗ୍ରେସରେ ଥିଲେ। ଏଥିରୁ ଜୁଏଲବାବୁ ଭଲଭାବେ ବୁଝିପାରୁଥିବେ।

ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ମଧ୍ୟ ବିଜେପିକୁ କଡ଼ା ଜବାବ ଦେଇଛନ୍ତି। ଓଡ଼ିଶା ବିଜେପି ଉପରେ କର୍ଣ୍ଣାଟକ ଇଫେକ୍ଟ ପଡ଼ିଛି। ୨୦୧୯ ନିର୍ବାଚନରେ ବିଜେପି ପରାଜୟର ଆଶଙ୍କା କରୁଥିବାରୁ ଜୁଏଲ ଏଭଳି ମନ୍ତବ୍ୟ ଦେଉଛନ୍ତି।

୨୦୧୯ ନିର୍ବାଚନ ପୂର୍ବରୁ ବିଜେପି ଏବଂ ବିଜେଡି ଭିତରେ ଛକାପଞ୍ଝା ଚାଲିଛି। ଏହି ଛକାପଞ୍ଝା ଭିତରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ମନ୍ତବ୍ୟ ରାଜନୀତିକୁ ଭିନ୍ନ ମୋଡ଼ ଦେଇଛି। ବିଜେଡିକୁ ସିଧାସଳଖ ଆକ୍ଷେପ କରୁଥିବା ବିଜେପି ଏବେ କଂଗ୍ରେସକୁ ଟାର୍ଗେଟ କରିବା ଆରମ୍ଭ କରିଛି।

Comment