ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଲିଉଡ ସେଲିବ୍ରିଟିମାନେ ଯାତ୍ରା ଜଗତରେ ଯୋଗ ଦେବା ଆଉ ବଡ଼ କଥା ହୋଇରହିନାହିଁ। ପ୍ରାୟ ତିନିବର୍ଷ  ଧରି ଏମିତି ଜଣେ କଳାକାର ଯାତ୍ରାରେ ସକ୍ରିୟ ଅଛନ୍ତି। ସେ ହେଉଛନ୍ତି ଲରେନ୍ସ।

ଆସନ୍ତୁ ଜାଣିବା ଓଲିଉଡରୁ ଯଲିଉଡକୁ ଆସିଥିବା ଏହି ଚର୍ଚ୍ଚିତ କଳାକାର ଲରେନ୍ସ ବେହେରାଙ୍କ ବିଷୟରେ

ଓଲିଉଡର ହ୍ୟାଣ୍ଡସମ୍‌ ଆକ୍ଟର ହେଲେ ଲରେନ୍ସ। ତାଙ୍କୁ ଟେଲି ଜଗତର ସୁପରଷ୍ଟାର୍ ବୋଲି ମଧ୍ୟ କୁହାଯାଉଥିଲା। ବଡ଼ପରଦା ହେଉ କି ଛୋଟ ପରଦା ସବୁଠି ଲରେନ୍ସ ନିଜର କମାଲ୍‌ ଦେଖାଇଛନ୍ତି।

ବଡ଼ ପରଦା ଓ ଛୋଟ ପରଦାରେ ସଫଳ ହେବା ପାଇଁ ମଧ୍ୟ ଲରେନ୍ସଙ୍କୁ ବେଶ୍ କିଛି ବର୍ଷ ସମୟ ଲାଗିଥିଲା। ଲରେନ୍ସଙ୍କ ପ୍ରଥମ ଓଡ଼ିଆ ସିନେମା ହେଲା ‘ସୁନା ଚଢ଼େଇ ମୋ’ ରୂପା ଚଢ଼େଇ’। ତା’ପରେ ଓଲିଉଡର ଲରେନ୍ସଙ୍କୁ ଦର୍ଶକ ଭେଟିଥିଲେ ‘ମୁଁ ପ୍ରେମୀ ମୁଁ ପାଗଳ’ ଏବଂ ‘ସପନର ନାୟିକା’ ଭଳି ସିନେମାରେ।

ଲରେନ୍ସ ଫିଲ୍ମ ଅପେକ୍ଷା ଟେଲିଭିଜନରେ ଅଧିକ ନାଆଁ କରିଥିଲେ। ଲରେନ୍ସଙ୍କ ଅଭିନୀତ ପ୍ରଥମ ମେଗା ଧାରାବାହିକ ହେଲା ‘ମହାଯଜ୍ଞ’ ଏଥିରେ ଏହି ହ୍ୟାଣ୍ଡସମ୍ ଆକ୍ଟରଙ୍କୁ ବିଷ୍ଣୁ ପ୍ରସାଦ ଭୂମିକାରେ ଦେଖିବାକୁ ପାଇଥିଲେ ଦର୍ଶକ।

ଏହାପରେ ଲରେନ୍ସ ଆଉପଛକୁ ଫେରି ଚାହିଁ ନାହାନ୍ତି। ଲରେନ୍ସ ମେଗା ସିରିଏଲ୍ ‘ଗାୟତ୍ରୀ’, ‘ତାସ୍‌ ଘର’, ‘ସମ୍ପର୍କ’, ‘ସଂସ୍କାର’, ‘କେମିତି ଏ ବନ୍ଧନ’ ଓ  ‘ଅବୁଝା ଏ ମନ’ ଆଦିରେ ନଜର ଆସିଥିଲେ ଲିଡ୍ ରୋଲ୍‌ରେ।

ଏହିସବୁ ମେଗା ଧାରାବାହିକ ଭିତରୁ ତାଙ୍କୁ ସବୁଠାରୁ ବେଶି ଆତ୍ମସନ୍ତୋଷ ଦେଇଛି କେତୋଟି ଚରିତ୍ର। ଏଗୁଡ଼ିକ ହେଲା ‘ମହାଯଜ୍ଞ’ର ବିଷ୍ଣୁ ପ୍ରସାଦ, ‘ଗାୟତ୍ରୀ’ର ଗିରିଶ ଓ ‘ଅବୁଝା ଏ ମନ’ର ରୋହିତ ବୋଲି କହନ୍ତି ଲରେନ୍ସ।

ଓଲିଉଡ ପରେ ହଠାତ୍ ଯଲିଉଡରେ ଏଣ୍ଟ୍ରି ନେବାର ନିଷ୍ପତ୍ତି ନେଇ ସମସ୍ତଙ୍କୁ ଚମକାଇ ଦେଇଥିଲେ। ୨୦୧୫ ବର୍ଷର ଆରମ୍ଭ ସମୟରେ ଓଲିଉଡର ଲରେନ୍ସ ଏହି ନିଷ୍ପତ୍ତି ନେଇଥିଲେ।

ଲରେନ୍ସଙ୍କୁ ପ୍ରଥମେ ଇଣ୍ଟର୍ଣ୍ଣ ମିଡିଆ ଏଣ୍ଟରଟେନମେଣ୍ଟ ନିବେଦିତ ଇଷ୍ଟର୍ଣ୍ଣ ଅପେରା ଅଫର୍ ଦେଇଥିଲେ। ଏହା ଏକ ପ୍ରେଷ୍ଟିଜିଅସ୍ ଯାତ୍ରା ପାର୍ଟି ହୋଇଥିବା ହେତୁ ରାଜି ହୋଇଥିଲେ।

ଲରେନ୍ସ ଯାତ୍ରାକୁ ଆସିବାର ଅନ୍ୟତମ ମୁଖ୍ୟ କାରଣ ମଧ୍ୟ ଥିଲା। ଏ ସମ୍ପର୍କରେ ଲରେନ୍ସ କହନ୍ତି ଯେ ସେ ମଞ୍ଚରୁ ଦର୍ଶକଙ୍କଠାରୁ ସିଧାସଳଖ ପ୍ରତିକ୍ରିୟା ସେ ପାଇବାକୁ ଚାହୁଁଥିଲେ।

ଲରେନ୍ସ ପ୍ରଥମେ ବର୍ଷକିଆ କଣ୍ଟ୍ରାକ୍ଟରେ ଥିଲେ। ଏହା ପରେ ସେ ଯାତ୍ରା ପ୍ରେମରେ ପଡ଼ିଗଲେ। ଏଣୁ ଯଲିଉଡକୁ ଛାଡ଼ିବା ତାଙ୍କ ପକ୍ଷରେ ସମ୍ଭବ ହେଲାନି। ଲରେନ୍ସଙ୍କ ଅଭିନୀତ ଯାତ୍ରା ନାଟକ ମଧ୍ୟରେ ରହିଛି ‘ତମେ ମଲା ପରେ ତମର ହେବି’, ‘ନା ରୀ ତୁ କେଉଁ ଧାତୁରେ ଗଢ଼ା’ ଓ ‘ସ୍ବାମୀ ଦୁଇ ଜଣ ରାମ ରାବଣ’ ଆଦି। ଯଲିଉଡରେ ବି ଲରେନ୍ସଙ୍କୁ ମିଳିଲା ଭଲ ରେସପନ୍ସ। ଏବେ ଯାତ୍ରାପାର୍ଟି ବନ୍ଦ ହେବାର ନିଷ୍ପତ୍ତି ନେଇଛି ଯାତ୍ରା ପାର୍ଟି ମାଲିକ ମହାସଂଘ।

ଲରେନ୍ସଙ୍କ ମତରେ ଯାତ୍ରା କେବେବି ବନ୍ଦ ହୋଇପାରିବ ନାହିଁ। ଓଡ଼ିଶାରେ ଯାତ୍ରାପ୍ରେମୀ ଓ ଦର୍ଶକଙ୍କ ସଂଖ୍ୟା କିଛି କମ୍ ନୁହେଁ। ଯାତ୍ରାକୁ ଛାଡ଼ିବା ଆଉ ତାଙ୍କ ପକ୍ଷରେ ସମ୍ଭବ ନୁହେଁ।

ଏ ଦୃଷ୍ଟିରୁ ଯାତ୍ରାରେ ଅଭିନୟ ସେ ଜାରି ରଖିବେ। ଲରେନ୍ସ ଯାତ୍ରା ଦର୍ଶକଙ୍କ ପାଖରେ ସଫଳତାର ସହିତ ପହଞ୍ଚିଥିବାରୁ ଖୁବ୍ ଆନନ୍ଦିତ।

Comment