ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆସନ୍ତା କଟକ ଗସ୍ତ ଓଡ଼ିଶା ରାଜନୀତି ପାଇଁ କଣ ମାନେ ରଖୁଛି?ଦେଖିବାକୁ ଗଲେ ବହୁତ କିଛି।

କର୍ଣ୍ଣାଟକ ହାତରୁ ଖସିଯିବା ପରେ ବିଜେପି ନେତୃତ୍ୱ ଏବେ ଓଡ଼ିଶା ଉପରେ ନଜର ରଖିବା ଆରମ୍ଭ କରିଛି। ଶନିବାର ଦିନ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ଏହି ସନ୍ଦେଶ ହିଁ ସ୍ପଷ୍ଟ ଭାବରେ ଦଳ ଦେବାକୁ ଚାହୁଁଛି ଯେ ଆମେ ଚୁପଚାପ ବସିବୁ ନାହିଁ। ଅବଶ୍ୟ କେନ୍ଦ୍ରରେ ସରକାରର ଚାରି ବର୍ଷ ପୂର୍ତ୍ତି ଉପଲକ୍ଷେ ଏହି ଜନକଲ୍ୟାଣ ରାଲି ଅନୁଷ୍ଠିତ ହେଉଛି ବୋଲି କହିଛନ୍ତି ଦଳର କର୍ମକର୍ତ୍ତା। କିନ୍ତୁ ହଠାତ ଓଡ଼ିଶା ଗସ୍ତରେ ଆସିବାର ନିଷ୍ପତ୍ତି ପଛରେ କଣ କାରଣ ଥାଇପାରେ?

ଦଳର ମୁଖ୍ୟ ଅମିତ ଶାହା ବରାବର କହି ଆସିଛନ୍ତି ଯେ ପଶ୍ଚିମବଙ୍ଗ, କେରଳ ଏବଂ ଓଡ଼ିଶାରେ ଦଳ ନପଶିବା ଯାଏ ସେ ଶାନ୍ତିରେ ବସିବେ ନାହିଁ। ବିଜେପି ପାଇଁ ଓଡ଼ିଶା ଗୁରୁତ୍ୱପୂର୍ଣ୍ଣ ଦୁଇଟି କାରଣରୁ।

ପ୍ରଥମ, ବିଜେପି ଆଗରୁ ଓଡ଼ିଶାରେ କ୍ଷମତାରେ ରହି ସାରିଛି ଯଦିଓ ମେଣ୍ଟ ସରକାରରେ। ଦଳର ନେତାମାନେ ଆଶା ରଖୁଛନ୍ତି ଯେ ଆସନ୍ତା ଲୋକସଭା ନିର୍ବାଚନରେ ଦଳ ନିଶ୍ଚିତ ଭାବରେ କିଛି ଅଧିକ ଆସନ ପାଇବ।  ୨୦୧୯ରେ ଉତ୍ତର ପ୍ରଦେଶ, ରାଜସ୍ଥାନ, ଗୁଜରାଟ, ଛତିଶଗଡ଼ ଭଳି କିଛି ରାଜ୍ୟରେ ଯଦି ଆସନ ସଂଖ୍ୟା ହ୍ରାସ ପାଉଛି ଓଡିଶାରୁ ସେହି ଅଭାବକୁ ପୁରଣ କରିବା ପାଇଁ ଦଳ ଯୋଜନା କରୁଛି।

ଦ୍ଵିତୀୟରେ ଦୀର୍ଘ ୧୮ବର୍ଷ ସରକାରରେ ରହିବା ପରେ ଲୋକେ ନିଶ୍ଚିତ ବିଜେଡି ଉପରୁ ମୁହଁ ଫେରାଇବେ ବୋଲି ବିଜେପିର ବିଶ୍ୱାସ। ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଏହା ହେବ ତାଙ୍କର ଷଷ୍ଠ ଓଡ଼ିଶା ଗସ୍ତ। ଆଶା କରାଯାଉଛି ମୋଦି ନିଜେ ତାଙ୍କ ସରକାରର ଚାରି ବର୍ଷର ସଫଳତା ବଖାଣିବେ ଓ ନବୀନଙ୍କ ଠାରୁ ମଧ୍ୟ ହିସାବ ମାଗିବେ। ଦୀର୍ଘ ୧୮ବର୍ଷ ଶାସନରେ ରହି ଓଡ଼ିଶା ପାଇଁ କ’ଣ କରିଛ ବୋଲି ମୋଦି ନବୀନଙ୍କୁ ପ୍ରଶ୍ନ କରିପାରନ୍ତି।

ନିକଟରେ ବିଜେପି ପକ୍ଷରୁ ନବୀନ ପଟ୍ଟନାୟକ ସରକାର ବିରୁଦ୍ଧରେ ୩୬ଟି ପଏଣ୍ଟକୁ ନେଇ ଏକ ଅଭିଯୋଗପତ୍ର ଜାରି କରାଯାଇଛି। କିଛି ଦିନ ଧରି ନବୀନ ପଟ୍ଟନାୟକଙ୍କ ସରକାରକୁ ହରଡ଼ଘଣାରେ ପକାଇବା ପାଇଁ ଚାହିଁଥିଲେ ମଧ୍ୟ ବିଜେପି ବିଭିନ୍ନ କାରଣରୁ ଏଥିରୁ କ୍ଷାନ୍ତ ରହିଥିଲା। ଏବେ କିନ୍ତୁ ବିଜେଡି ସରକାରଙ୍କୁ ଆଉ ଅଧିକ ମହଲତ ଦେବା ପାଇଁ ବିଜେପି ଚାହୁଁନାହିଁ।

ବିଶେଷ କରି ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ରାଜ୍ୟସଭାକୁ ପଠାଯିବା ଓ ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଉଭୟ ବିଜେଡି ଓ କଂଗ୍ରେସ ଭିତରେ କିଛି ନା କିଛି ଚାଲିଥିବା ସନ୍ଦେହ କରୁଛି ବିଜେପି। କର୍ଣ୍ଣାଟକ ଭଳି ଏଠି ବି ମେଣ୍ଟ ହୋଇପାରେ ବୋଲି ବିଜେପିର ଅନୁମାନ। ଦୁଇଦିନ ତଳେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଏକଥା ଖୋଲି କହିଥିଲେ।

ଯଦିଓ ବିଜେପିର ‘ମିଶନ ୧୨୦’ ଏଇକ୍ଷଣି ‘ଆକାଶ କଇଂଆ ଚିଲିକା ମାଛ’ ଭଳି ଲାଗୁଛି ତଥାପି ବିଜେଡିକୁ ୱାକୋଭର ଦେବାକୁ ବିଜେପି ଆଦୌ ଚାହୁଁନାହିଁ। ୨୦୧୯ରେ ଯେହେତୁ ଉଭୟ ଲୋକସଭା ଓ ବିଧାନସଭା ପାଇଁ ଏକାଥରେ ନିର୍ବାଚନ ହେବ କୌଣସି ସୁଯୋଗକୁ ହାତ ଛଡା କରିବା ପାଇଁ ବିଜେପି ଚାହୁଁନାହିଁ।

Comment