ଓଡ଼ିଶାଲାଇଭ୍‌ ବ୍ୟୁରୋ

ରଘୁ ମହାନ୍ତିଙ୍କୁ ପୁରସ୍କାର। କିଛିଦିନ ତଳେ ବିଜେଡି ଉପସଭାପତି ହୋଇଥିବା ରଘୁନାଥ ମହାନ୍ତିଙ୍କୁ ରାଜ୍ୟ ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି।

ବରିଷ୍ଠ ନେତା ରଘୁନାଥ ମହାନ୍ତିଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟ ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ହୋଇଛନ୍ତି ରଘୁ। ଏହି ନୂଆ ଦାୟିତ୍ୱ ସହ ରଘୁଙ୍କୁ କ୍ୟାବିନେଟ ପାହ୍ୟା ମିଳିବ। ପୂର୍ବରୁ ରଘୁଙ୍କୁ ବିଜେଡି ଉପ-ସଭାପତି କରାଯାଇଛି।

ବୋହୂ ବର୍ଷାସୋନି ଚୌଧୁରୀଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ମନ୍ତ୍ରୀ ପଦରୁ ୨୦୧୩ରେ ଇସ୍ତଫା ଦେଇଥିଲେ ରଘୁନାଥ ମହାନ୍ତି। ଓଡ଼ିଶା ପୋଲିସ ଏହି ଅଭିଯୋଗରେ ରଘୁ ଏବଂ ତାଙ୍କ ସ୍ତ୍ରୀ ପ୍ରିତିଲତା ମହାନ୍ତିଙ୍କୁ କୋଲକାତାରୁ ଗିରଫ କରିବା ପରେ ରଘୁଙ୍କୁ ବିଜେଡି ନିଲମ୍ବିତ କରିଥିଲା। ପରିସ୍ଥିତି ଏମିତି ହୋଇଥିଲା ଯେ ରଘୁଙ୍କୁ ୨୦୧୪ରେ ବିଜେଡି ଟିକେଟ ଦେଇ ନଥିଲା।

ବର୍ଷାସୋନି ଏବଂ ରଘୁ ମହାନ୍ତିଙ୍କ ପରିବାର ଭିତରେ ଆପୋଷ ସମାଧାନ ହେବା ପରେ ରଘୁ ବିଜେଡିକୁ ଫେରିଥିଲେ। ମାର୍ଚ୍ଚ ୧୬ ତାରିଖରେ ରଘୁଙ୍କୁ ବିଜେଡି ଉପ-ସଭାପତି ଭାବେ ନିଯୁକ୍ତି ଦେଇଥିଲେ ନବୀନ ପଟ୍ଟନାୟକ। ଏହାସହ ଢେଙ୍କାନାଳ ଜିଲ୍ଲା ପର୍ଯ୍ୟବେକ୍ଷକ ମଧ୍ୟ ଅଛନ୍ତି ରଘୁ।

ରଘୁନାଥ ମହାନ୍ତି ବାଲେଶ୍ୱର ଜିଲ୍ଲା ବସ୍ତା ନିର୍ବାଚନ ମଣ୍ଡଳୀରୁ ୫ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ୧୯୯୦ରୁ ୨୦୦୯ ପର୍ଯ୍ୟନ୍ତ ଲଗାତାର ଭାବେ ରଘୁ ବିଜୟୀ ହୋଇ ଆସିଛନ୍ତି। ବିଜୁ ପଟ୍ଟନାୟକଙ୍କ ନେତୃତ୍ୱରେ ରଘୁ ୧୯୯୦ରୁ ଜନତା ଦଳ ଟିକେଟରେ ନିର୍ବାଚନ ଲଢ଼ିଥିଲେ। ୧୯୯୭ରେ ବିଜେଡି ଗଠନ ହେବା ପରେ ରଘୁ ବିଜେଡି ଟିକେଟରେ ନିର୍ବାଚନ ଲଢ଼ୁଥିଲେ।

Comment