ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହାନଦୀକୁ ନେଇ ବିଜେଡି ବିଜେପିକୁ ଟାର୍ଗେଟ କରୁଥିବା ବେଳେ ଆଜି ସାମ୍ବାଦିକ ସମ୍ମିଳନୀରେ ବିଜେପି ସିଧାଳସଳଖ ନବୀନ ପଟ୍ଟନାୟକଙ୍କୁ ବାଣ ମାରିଛି।

ମହାନଦୀ ପ୍ରସଙ୍ଗକୁ ଅସ୍ତ୍ର କରିଛି ବିଜେଡି। ଛତିଶଗଡ଼ ଏବଂ କେନ୍ଦ୍ରର ବିଜେପି ସରକାର ଓଡ଼ିଶାର ଜୀବନରେଖାକୁ ଶୁଖାଇବା ପାଇଁ ଷଡ଼ଯନ୍ତ୍ର କରୁଥିବା ବିଜେଡି ଅଭିଯୋଗ କରୁଛି। ଏହି ଅଭିଯୋଗର କଡ଼ା ଜବାବ ଦେଇଛନ୍ତି ରାଷ୍ଟ୍ରୀୟ ବିଜେପି ମୁଖପାତ୍ର ଡାକ୍ତର ସମ୍ବିତ ପାତ୍ର।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଟକ ଗସ୍ତର ଦିନକ ପୂର୍ବରୁ ଡକ୍ଟର ପାତ୍ର ବିଜେପି ପାର୍ଟି ଅଫିସରେ ସାମ୍ବାଦିକ ସମ୍ମିଳନୀ କରିଥିଲେ। ମୋଦି ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ବିଷୟରେ କହିବା ସହ ମହାନଦୀ ପ୍ରସଙ୍ଗରେ ବିଜେଡି ଉପରେ ବର୍ଷିଥିଲେ।

“ମହାନଦୀ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଦୋ ମୁହାଁ ନୀତି ଅବଲମ୍ବନ କରୁଛନ୍ତି। ମୁଖ୍ୟମନ୍ତ୍ରୀ ହୋଇ ଗୋଟିଏ ବକ୍ତବ୍ୟ ରଖିବା ଏବଂ ଦଳର ସଭାପତି ଭାବେ ଅନ୍ୟ ଏକ ବୟାନ ରଖିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ”, କହିଛନ୍ତି ସମ୍ବିତ ପାତ୍ର।

କେନ୍ଦ୍ର ସରକାର ଆଲୋଚନା ମାଧ୍ୟମରେ ମହାନଦୀ ବିବାଦର ସମାଧାନ କରିବାକୁ ଚାହୁଁଥିଲେ। ଆପୋଷ ବୁଝାମଣାରେ ଏହି ପ୍ରସଙ୍ଗ ସମାଧାନ ହୋଇପାରିଥାନ୍ତା। କିନ୍ତୁ ନବୀନ ସରକାର ଏହାର ସମାଧାନ ନକରି ରାଜନୀତି ଆରମ୍ଭ କରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା ବୋଲି ଡକ୍ଟର ପାତ୍ର କହିଛନ୍ତି।

ଡାକ୍ତର ପାତ୍ର ଆହୁରି କହିଥିଲେ ଯେ ୨୦୧୪ ପୂର୍ବରୁ ଦେଶରେ ଏକ ଅବିଶ୍ୱାସ ଏବଂ ଭଷ୍ଟ୍ରାଚାରର ପରିବେଶ ଥିଲା। କଂଗ୍ରେସ ୨ଜି, ୩ଜି ସ୍ପେକ୍ଟ୍ରମ, କୋଲ ଗେଟ୍, କମନ ୱଲଥ୍ ଗେମ୍  ଭଳି ଅନେକ ଦୁର୍ନୀତି କରି କୋଟି କୋଟି ଟଙ୍କା ଦେଶର ସାଧାରଣଜନତାଙ୍କଠାରୁ ଲୁଟ୍ କରିଛି। କିନ୍ତୁ ୨୦୧୪ ପରେ ଦେଶରେ ଏକ ପରିବର୍ତ୍ତନ ଆସିଛି। ୪ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଟି କୋଟି ଭାରତୀୟଙ୍କ ବିଶ୍ୱାସକୁ ଜିତିପାରିଛନ୍ତି

ସମ୍ବିତ ପାତ୍ର କହିଛନ୍ତି, “ଭାରତର ଜିଡିପି ୭.୪ ପ୍ରତିଶତ ବୃଦ୍ଧି ପାଇଛି। ସ୍ୱାଧୀନତାର ୭୦ ବର୍ଷ ପରେ ବି ଭାରତର ୫୦ ପ୍ରତିଶତ ଲୋକଙ୍କର ବ୍ୟାଙ୍କ ଆକାଉଉଣ୍ଟ ନଥିଲା। କିନ୍ତୁ ମୋଦି ସରକାରଙ୍କ ଜନଧନ ଯୋଜନା ମାଧ୍ୟମରେ ଦେଶର ୩୩ କୋଟି ଲୋକ ବ୍ୟାଙ୍କ ଆକାଉଣ୍ଟ ଖୋଲଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧ କୋଟି ଲୋକଙ୍କୁ ସାମିଲ କରାଯାଇଛି। ଆଗାମୀ ୨୦୨୨ ସୁଦ୍ଧା ସମସ୍ତଙ୍କ ପାଇଁ ପକ୍କା  ଘର  ନିର୍ମାଣର ଲକ୍ଷ୍ୟ ରଖାଯାଇଛି।”

ଉଜ୍ଜଳା ଯୋଜନାରେ ୩.୮ କୋଟି ପରିବାରକୁ ରନ୍ଧନ ଗ୍ୟାସ ଯୋଗାଇ ଦିଆଯାଇଛି। ଏହାସହ ୮ କୋଟି ଲୋକଙ୍କୁ ୨୦୧୯ ମଧ୍ୟରେ ଏଲପିଜି ସିଲିଣ୍ଡର ପହଞ୍ଚାଇବାର ଲକ୍ଷ୍ୟ ରଖାଯାଇଛି।

ପ୍ରଧାନମନ୍ତ୍ରୀ ଜୀବନ ସୁରକ୍ଷା ବୀମା ଯୋଜନା ମାଧ୍ୟମରେ ବର୍ଷକୁ ମାତ୍ର ୧୨ ଟଙ୍କା ପ୍ରିମିୟମରେ ୧୪ କୋଟି ଲୋକଙ୍କୁ ସାମିଲ କରାଯାଇଛି। ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନାରେ ୯୦ ପଇସା ପ୍ରତିଦିନ ଆଧାରରେ  ୫.୨୨ କୋଟି ପରିବାରକୁ ସାମିଲ କରାଯାଇଛି। ଏହା ସହ ଅଟଳ ପେନସନ ଯୋଜନାରେ ୧ କୋଟି ଲୋକଙ୍କୁ ସାମିଲ କରାଯାଇଛି ବୋଲି ଡକ୍ଟର ପାତ୍ର କହିଛନ୍ତି।

“ମୋଦି ସରକାର ଗରୀବଙ୍କ ସରକାର। ଚାଷୀଙ୍କ ପାଇଁ ମୋଦି ସରକାରଙ୍କ ଅବଦାନ ଅତୁଳନୀୟ। ଯୁବବର୍ଗ, ଛାତ୍ରସମାଜ, ଚାଷୀଙ୍କ ପାଇଁ ମୋଦି ଅନେକ ଲୋକପ୍ରିୟ ଯୋଜନା କରି ସଫଳ ହୋଇଛନ୍ତି”, କହିଛନ୍ତି ସମ୍ବିତ ପାତ୍ର।

Comment